ଭୁବନେଶ୍ୱର: ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ସରକାରଙ୍କ ଅପାରଗତା ଓ ଅବହେଳା ପାଇଁ ଆଜି ରାଜ୍ୟବାସୀ ବନ୍ୟା ବିପର୍ଯ୍ୟୟର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ସେ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ପୂର୍ବରୁ ସରକାର କେତେ ପ୍ରସ୍ତୁତି କରିଥିଲେ, ତାହାର ଜବାବ ମାଗିବା ସହ ଦାୟିତ୍ୱରେ ଖିଲାପ କରିଥିବା ଅଧିକାରୀଙ୍କୁ ଗିରଫ ଦାବି କରିଛନ୍ତି। ଆଗାମୀ ଦିନରେ ବିଧାନସଭାଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ବନ୍ୟା କ୍ଷୟକ୍ଷତିର ହିସାବ ମାଗିବ କଂଗ୍ରେସ । ବନ୍ୟା ବିପର୍ଯ୍ୟୟକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ରାଜ୍ୟରେ ସରକାର ଅଛି ତ ? ସରକାର ନିଜ ଦାୟିତ୍ୱ ନିର୍ବାହ କରିବାରେ କାହିଁକି ବିଫଳ ହେଲେ?
ବାତ୍ୟା କିମ୍ବା ବନ୍ୟା ପୂର୍ବରୁ ସରକାର ସ୍ଥିତି ଅନୁଧ୍ୟାନ କରିବା ସହ ଆଗୁଆ ପଦକ୍ଷେପ ନେବା କଥା। ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୦୦ ମିଲିମିଟର ବର୍ଷା ହେବା ନେଇ ସରକାରଙ୍କ ପାଖରେ ଆଗୁଆ ସୂଚନା ଥିଲା କି ନାହିଁ, ଯଦି ଥିଲା ତେବେ ଏହି ଦୁଇ ଜିଲ୍ଲାକୁ କାହିଁକି ଅଧିକ ଫୋକସ୍ କରାଗଲା ନାହିଁ । ସରକାରଙ୍କ ଅପାରଗତା ପାଇଁ ପୂର୍ବରୁ ହଇଜା ଓ ଏବେ ବନ୍ୟାରେ ଲୋକଙ୍କ ଜୀବନ ଯାଇଥିବା ସେ ଅଭିଯୋଗ କରିଛନ୍ତି। ରିଲିଫ୍ ବଣ୍ଟନରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ଏହାସହ ଭୂସ୍ଖଳନରେ ନିଖୋଜଙ୍କ ମୃତଦେହ ଏଯାଏଁ ଉଦ୍ଧାର ହୋଇପାରିନଥିବା ପ୍ରସଙ୍ଗ ଉଠାଇଛନ୍ତି।










