29.1 C
Bhubaneswar
Wednesday, May 1, 2024
Homeଓଡିଶାରାଜ୍ୟରେ ବିଜେଡ଼ି ଓ ବିଜେପି ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ରାଜ୍ୟରେ ବିଜେଡ଼ି ଓ ବିଜେପି ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ ବିଜେପି ନେତାମାନଙ୍କ ମଧୁଚନ୍ଦ୍ରିକା ବା ଫିକସିଂ ଯୋଗୁଂ ରାଜ୍ୟର ବିଭିନ୍ନ ଅଂଚଳରେ ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଲୋକଙ୍କର କୌଣସି ଊନ୍ନତ୍ତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ ହୋଇପାରୁନାହିଁ । ଏ ସନ୍ଧର୍ଭରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ସାମ୍ବାଦିକ ଶ୍ରୀ ଜଗଦାନନ୍ଦ ପ୍ରଧାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପାରଗତା ଓ ସ୍ଥାଣୁତାକୁ କଟୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଓ ଓଡ଼ିଶାର ତଥାକଥିତ ଟାଣୁଆ କେନ୍ଦ୍ର ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଦେଇ ଯାଇଥିବା ଏନ୍‌ଏଚ୍‌-୫୫ର ନିର୍ମାଣ କାର୍ଯ୍ୟର ମନ୍ଥର ଗତିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଜଣାପଡ଼େ । କଟକ ଓ ସମ୍ବଲପୁର ଜାତୀୟ ରାଜପଥ ହେଊଛି ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଏକ ସଂଯୋଗ ରାଜମାର୍ଗ।

ଏହାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ । ଫଳରେ ଏହି ରାସ୍ତାରେ ଶହଶହ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶର ଅନ୍ୟାନ୍ୟ ଅଂଚଳରେ ରାଷ୍ଟ୍ରିୟ ରାଜମାର୍ଗଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହୋଇଯାଯାଉଥିବାବେଳେ କଟକରୁ ସଂଯୋଗ କରୁଥିବା ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତିନି ବର୍ଷ ପରିବର୍ତ୍ତେ ଆଜିକି ଛଅ ବର୍ଷ ହେଲାଣି ଶେଷ ହୋଇପାରୁ ନାହିଁ। ୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ରେ ସରିବା କଥା। ତେବେ ୨୦୬ କି.ମି. ଲମ୍ବା ରାସ୍ତାକାର୍ଯ୍ୟ ବିଳମ୍ବ ଯୋଗୁଁ ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ ଗତ ୮ ବର୍ଷ ଭିତରେ ଏହି ଜାତୀୟ ରାଜପଥରେ ୪୦୦ରୁ ଊର୍ଦ୍ଧ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ହିସାବ ଅନୁଯାୟୀ ପ୍ରତି ଦୁଇ ଦିନରେ ଏହି ରାସ୍ତାରେ ଜଣେ ଲେଖାଁଏ ଲୋକ ଦୂର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି ।

ତେବେ ଏଥିପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ସଂପୂର୍ଣ୍ଣ ରୂପେ ଦାୟୀ।ଏହି ରାଜପଥରେ ଦିନକୁ ଦିନ ଦୂର୍ଘଟଣା ବଢିଚାଲିଥିଲେ ମଧ୍ୟ ଏହି ଦୁଇ ଦଳଙ୍କ ପାଇଂ ଏହାର କୌଣସି ପ୍ରଭାବ ପଡୁ ନାହିଁ। ରାସ୍ତା ନିର୍ମାଣର ଖର୍ଚ୍ଚ ବଢି ବଢି ଚାଲୁଥିବାବେଳେ ରାଜକୋଷରୁ ମଧ୍ୟ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି। ୨ହଜାର ୩୬୭ କୋଟିରୁ ଏହା ବଢିବଢି ୪ହଜାର୪୮୨ କୋଟି ଟଙ୍କାରେ ପଂହଚିଛି। ଏଠାରେ କେନ୍ଦ୍ରର ଜଣେ ପାୱାରଫୁଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ କାମ ଆଗେଇ ପାରୁ ନାହିଁ। ସେହିଭଳି ରାଜ୍ୟ ସରକାର କେନ୍ଦର ସରକାରଙ୍କ ଊପରେ ଯେଉଁଭଳି ଚାପ ପକାଇବା କଥା ସେଭଳି ପକାଊ ନାହାଁନ୍ତି କିମ୍ବା ଏ ନେଇ ପଦେ ହେଲେ ମଧ୍ୟ କେନ୍ଦ୍ର ବିରୋଧରେ କହୁନାହାନ୍ତି । ଲୋକଙ୍କ ଜାବନ ସହ ଖେଳ ଖେଳୁଥିବା ଏହି ଦୁଇ ଦଳକୁ ଜନସାଧାରଣ ଆଗାମୀ ନିର୍ବାଚନରେ ନିଶ୍ଚୟ ଜବାବ ଦେବେ।

୨ୟରେ ତାଳଚେରରେ ଏକ ମେଡ଼ିକାଲ କଜେଲ ଓ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ହୋଇଛି । ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଛଅ,ସାତଟି ଜିଲ୍ଲାର ଲୋକେ ଏଠାରୁ ସ୍ୱାସ୍ଥ୍ୟ ସେବା ପାଇଥାନ୍ତେ। ତେବେ ବିଜେଡି ଓ ବିଜେପି ଏହି ଦୁଇ ଦଳର ନେତାଙ୍କ ଉଦାସିନତା ତଥା ରାଜନୈତିକ ଅପରିପକ୍ୱତା ଯୋଗୁଁ ଆଜିସୁଧା ସରକାର ଲୋକଙ୍କୁ ସ୍ୱାସ୍ଥ୍ୟୃ ସେବା ଯୋଗଇବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନେଇ ୨୦୧୫ରେ ବୁଝାମଣା ପରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ସୁଧା ଊଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରକୋଇଲା ମନ୍ତ୍ରୀ ଗତ ୨୦୧୫ ମସିହାରେ ଏହି ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କେବଳ ଘର କାମ ପାଇଁ ବର୍ତମାନ ସୁଧା ଏମସିଏଲ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ୱେ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିନାହିଁ । ପୂର୍ବରୁ କଂଗ୍ରେସ ସରକାର ସମୟରୁ ଥିବା ନେହେରୁ ଶତାଦ୍ଦୀ ଚିକିତ୍ସାଳୟକୁ ନାମ ପରିବର୍ତ୍ତନ କରି ପବିତ୍ର ମୋହନ ଚିକିତ୍ସାଳୟ କରିବା ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟ ବର୍ତମାନ ସୁଧା ହୋଇନାହିଁ । ବାରମ୍ବାର ଏଥିପାଇଁ ଆନ୍ଦୋଳନ ମଧ୍ୟ ହୋଇଛି। ଏଥିପାଇଁ ଊଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପରକୁ ଦାୟୀ କରୁଥିବାବେଳେ ଲୋକେ କେବେ ମେଡିକାଲ କଲେଜ ହେବ ତାହାକୁ ଅପେକ୍ଷା କରିଛନ୍ତି।

ସେହିଭଳି ବର୍ଷ ବର୍ଷ ଦଶନ୍ଧି ଦଶନ୍ଧି ସମୟ ବିତିଯାଇଥିଲେ ମଧ୍ୟ ଏବେ ବି ରେଙ୍ଗାଳି ଓ ହୀରାକୁଦ ଡ୍ୟାମ ବିସ୍ଥାପିତ ପରିବାର ସେମାନଙ୍କ ହକ୍ ପାଇବାରୁ ବଂଚିତ ହୋଇଛନ୍ତି। ଦେଶର ବୃହତମ କୋଇଲା କଂପାନୀ ଏମସିଏଲ ଯୋଗୁଁ ବିସ୍ଥାପିତ ହୋଇଥିବା ହଜାର ହଜାର ପରିବାର ଜମିର କ୍ଷତିପୂରଣ ଅର୍ଥ ସହ ଥଇଥାନରୁ ବଂଚିତ ହେଊଛନ୍ତି।ଏଥିପାଇଁ ରାଜ୍ୟର ସୁନ୍ଦରଗଡ,ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲା ଅଂଚଳରେ ଭଯଙ୍କର ଜନମତ ଏ ବିଜେପି ଓ ବିଜେଡି ସରକାର ବିପକ୍ଷରେ ସୃଷ୍ଟି ହୋଇଛି।

ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଓଡିଶାର ଜନସାଧାରଣଙ୍କ ପାଇଁ କିଛି ନ କରି ଖାଲି ବାହାସ୍ପୋଟ ମାରି ଚାଲିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଙ୍ଗାଳି ହୀରାକୁଦ ଭଳି ବିଭିନ୍ନ ବାସଚ୍ୟୁତ ଲୋକ ନ୍ୟାୟ ପାଇବାରୁ ଏବେ ବି ବଂଚିତ।। ସେହିଭଳି ୫୦ ବର୍ଷ ବିତିଯାଇଥିଲେ ସୁଧା ଏବେ ବି ରେଙ୍ଗାଳି ବିସ୍ଥାପିତ ପରିବାର ସେମାନଙ୍କ ନାର୍ଯ୍ୟ ଦାବିରୁ ବଂଚିତ ହୋଇଛନ୍ତି। ରେଙ୍ଗାଲି ବୁଡି ଅଂଚଳବାସୀଙ୍କୁ ବିଜେଡି ସରକାର ଓ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଠକିଛନ୍ତି ଯେ, ରେଙ୍ଗାଳି ଜଳ ଭଣ୍ଡାର ଯୋଗୁଁ ୨୦୦ରୁ ଊର୍ଦ୍ଧ ଗ୍ରାମର ପ୍ରାୟ ୧୩ହଜାର ପରିବାର ନିଜର ଭିଟାମାଟି ହରାଇ ଆଜି ସର୍ବସ୍ୱାନ୍ତ ହୋଇପଡିଛନ୍ତି। ବୁଡି ଅଂଚଳର ପ୍ରତ୍ୟେକ ପରିବାର ପିଛା ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ହାରର ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ସୁଧା ସମସ୍ତ ବୁଡି ଅଂଚଳବାସୀ ଏହି ଅର୍ଥକୁ ପାଇପାରି ନାହାଁନ୍ତି। ସେହିଭଳି ଏମସିଏଲ ଯୋଗୁଁ ତାଳଚେର,ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ୪୦ ହଜାରରୁ ଊର୍ଦ୍ଧ ପରିବାର ବାସଚ୍ୟୁତ ହେବା ସହ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଆଜି ସୁଧା ସଠିକଭାବେ କ୍ଷତିପୂରଣ ଟଙ୍କା ପାଇପାରି ନାହାଁନ୍ତି କିମ୍ବା ନିୟୁକ୍ତି ସୁବିଧା ପାଇ ନାହାଁନ୍ତି।

ଊଭୟେ କେନ୍ଦ୍ରରେ ଥିବା ସରକାର ଓ ରାଜ୍ୟ ସରକାର ଏହି ବିସ୍ଥାପିତ ଲୋକଙ୍କ କଥା ନ ବୁଝି କେବଳ କୋଇଲା ଊତ୍ପାଦନ ପାଇଁ ପୋଲିସ ଲଗାଇ କ୍ଷତିଗ୍ରସ୍ତ ଲୋକଙ୍କ ଊପରେ ଜୋରଜୁଲମ କରି ଜମିବାଡି ଅଧିଗ୍ରହଣ କରିବା ସହ ଲୋକଙ୍କ ଊପରେ ଦାଊ ସାଧି କୋଇଲା ଊତ୍ପାଦନରେ ଲାଗି ପଡିଛନ୍ତି। କ୍ଷତିଗ୍ରସ୍ତ ଲୋକେ ମରନ୍ତୁ ଅବା ବଂଚନ୍ତୁ ଯାଏ ଆସେ ନାହିଁ। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଏତେ ପାୱାରଫୁଲ ମନ୍ତ୍ରୀ ଯେ ଓଡିଶା ପାଇଁ କଣ ନିଜ ଜିଲ୍ଲା ପାଇଁ ମଧ୍ୟ କିଛି କରିପାରିଲେ ନାହିଁ । ନିଜ ଜିଲ୍ଲାରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରଟିଏ ମଧ୍ୟ ସ୍ଥାପନ କରି ପାରି ନାହାଁନ୍ତି। ଅନୁଗୁଳ ଜିଲ୍ଲା ଊଭୟ କେନ୍ଦ୍ର ଓ ରାଜ୍ୟକୁ ରାଜସ୍ୱ ବାବଦକୁ ବାର୍ଷିକ ପ୍ରାୟ ୮ହଜାରରୁ ୧୦ହଜାର କୋଟି ଟଙ୍କା ଦେଊଥିବାବେଳେ ଏହାର ଊନ୍ନତ୍ତି ପାଇଁ ବିଜେଡ଼ି ଓ ବିଜେପି ସରକାର ଆଦୌଂ ନଜର ଦେଇ ନାହାଁନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ପ୍ରଶାନ୍ତ ଶତପଥି, ସଂଗ୍ରାମ ମାଝି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking