32.1 C
Bhubaneswar
Thursday, May 2, 2024
Homeସ୍ୱାସ୍ଥ୍ୟପାଣି ଟେଷ୍ଟିଂରୁ ବାହାରିଲା ‘କୋଲିଫର୍ମ’ ନାମକ ବ୍ୟାକ୍ଟେରିଆ

ପାଣି ଟେଷ୍ଟିଂରୁ ବାହାରିଲା ‘କୋଲିଫର୍ମ’ ନାମକ ବ୍ୟାକ୍ଟେରିଆ

ଖୋର୍ଦ୍ଧା: ବାହାରୁ ବୋତଲ ଚିକ୍କଣ ଦିଶୁଥିଲେ ବି ଭିତରେ ଲୋକଙ୍କୁ ବିକ୍ରି ଚାଲିଛି ବ୍ୟାକ୍ଟେରିଆଯୁକ୍ତ ପାଣି। କିଛି ଦିନ ତଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପାଣି ଫ୍ୟାକ୍ଟ୍ରିରୁ ସଂଗ୍ରହ କରିଥିବା ବୋତଲ ପାଣି ନମୁନା ପରୀକ୍ଷା କରି ଏକଥା ଖୁଲାସା କରିଛି। ଜିଲ୍ଲାର ତିନି ଗୋଟି ପାଣି ଫ୍ୟାକ୍ଟ୍ରିର ସିଲ୍ ଯୁକ୍ତ ବୋତାଲ ପାଣି ଭିତରୁ ‘କୋଲିଫର୍ମ’ ନାମକ ବ୍ୟାକ୍ଟେରିଆ ବାହାରିଛି। ରାଜ୍ୟ ଖାଦ୍ୟ ପରୀକ୍ଷାଗାର ପରୀକ୍ଷଣରୁ ଏହା ପ୍ରମାଣିତ ହେବା ପରେ ବ୍ୟାକ୍ଟେରିଆଯୁକ୍ତ ପାଣି ବିକ୍ରି କରୁଥିବା କମ୍ପାନି ବିରୋଧରେ ଜୁଡିସିଆଲ୍ ମାମଲା ରୁଜୁ କରିବାକୁ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଅଣ୍ଟା ଭିଡ଼ିଛି।
ବିଭାଗ କହିବା ମୁତାବକ, ଏହି ତିନି ଗୋଟି ପାଣି ଫ୍ୟାକ୍ଟ୍ରି ଭିତରେ ଦୁଇ ଗୋଟି ଖୋର୍ଦ୍ଧା ଉପକଣ୍ଠର ହୋଇଥିବା ବେଳେ ଅନ୍ୟଟି ହେଉଛି ବାଲିଅନ୍ତା, ବାଲିପାଟଣା ବ୍ଲକ୍‌ର। ବଜାରରେ ବିକ୍ରିବଟା ହେଉଥିବା ପ୍ୟାକିଂ ପାଣି ମଧ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଭୁକ୍ତ। ପାଣି ଲୋକଙ୍କର ଅତ୍ୟାବଶ୍ୟକ ହୋଇଥିବା ବେଳେ ବର୍ତ୍ତମାନ ଏହାର ଭଲ ମାର୍କେଟିଂ ବି ଚାଲିଛି। ପାଣି ବେପାରରେ ଭଲ ମୁନାଫା ଅଳ୍ପ କିଛି ଖର୍ଚ୍ଚ କରି ବୋତଲ ପିଛା ୧୦ରୁ ୨୦ଟଙ୍କାର ବିକ୍ରିବଟା। ତେଣୁ, ଜଳ ଶିଳ୍ପରେ ଜିଲ୍ଲା ବହୁ ଲୋକ ମାତିଛନ୍ତି। କିନ୍ତୁ, ଯେଉଁ ଢଙ୍ଗରେ ଜଳ ପ୍ୟାକିଂ ହେବା କଥା, ସେହି ରକମର ହେଉନାହିଁ। ନିୟମ ଅନୁସାରେ, ପାଣି ଫ୍ୟାକ୍ଟ୍ରି କରିବା ପୂର୍ବରୁ ବିଆଇଏସ୍ ମାର୍କ(ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ) ରହିବା କଥା। ଜଳ ଶିଳ୍ପରେ ଅନ୍ୟୁନ ଦୁଇ ଗୋଟି ଲାବୋଟାରୀ ନିତ୍ୟାନ୍ତ ଜରୁରି। ଗୋଟିଏ ରସାୟନିକ ପରୀକ୍ଷଣ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟଟି ମାଇକ୍ରୋ ବାଓଲୋଜି ଲାବୋଟାରୀ ରହିବା କଥା। ଯେଉଁଥିରେ ଉଭୟ ରସାୟନ ଏବଂ କ୍ଷୁଦ୍ର ଅଣୁଜୀବର ପରୀକ୍ଷଣ ହେଲା ପରେ ମାର୍କେଟ୍‌କୁ ପାଣି ପଠାଇବା କଥା। କିଛି ଦିନ ତଳେ ଖୋର୍ଦ୍ଧା ମାର୍କେଟ୍‌ରେ ବିକ୍ରିବଟା ଚାଲିଥିବା ବୋତଲ ପାଣି ଏହି ସବୁ ମାନକ ପାଳନ କରୁଛନ୍ତି କି’ ନାହିଁ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ତାହା ଯାଞ୍ଚ କରିଥିଲା।
ଆଖିକୁ ପାଣି ସ୍ବଚ୍ଛ ଏବଂ ବୋତଲ ଚିକ୍କଣ ଦିଶୁଥିଲେ ବି ଜଳର ମାନକୁ ନେଇ ବିଭାଗର ସନ୍ଦେହ ହୋଇଥିଲା। ତେଣୁ, ପୂରା ଜିଲ୍ଲାର ବିଭିନ୍ନ ପାଣି ଫ୍ୟାକ୍ଟ୍ରିରୁ ପ୍ରାୟ ୧୨ଗୋଟି ନମୁନା ସଂଗ୍ରହ କରି ରାଜ୍ୟ ଖାଦ୍ୟ ଲାବୋଟାରୀକୁ ପଠାଇଥିଲା। ଯେଉଁଥିରୁ ତିନି ଗୋଟି ପାଣି ନମୁନା ପାନୀୟ ପାଇଁ ଅସୁରକ୍ଷିତ ବୋଲି ରିପୋର୍ଟ ଆସିଛି ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ନିବେଦିତା ଭଟ୍ଟ ପ୍ରକାଶ କରିଛନ୍ତି। ଏହି ଜଳ ନମୁନା ଗୁଡ଼ିକ ସିଧା ପାଣି ଫ୍ୟାକ୍ଟ୍ରିରୁ ସଂଗ୍ରହ କରାଯାଇଥିଲା। ଯେଉଁଥିରୁ ‘କୋଲିଫର୍ମ’ ଠାବ ହୋଇଛି। ଯାହା ପାନୀୟ ପାଇଁ ସୁରକ୍ଷିତ ନୁହେଁ। ଲାବୋଟାରୀ ରିପୋର୍ଟ ଆସିଲା ପରେ ଏହି ପାଣି ଫ୍ୟାକ୍ଟ୍ରି ବିରୋଧରେ ଜୁଡିସିଆଲ୍ ମାମଲା ରୁଜୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କମିସନରଙ୍କଠାରୁ ଅନୁମତି ମିଳିଲା ପରେ ଏହି ପାଣି କମ୍ପାନି ନାଁରେ ଫୁଡ୍ ସେଫ୍‌ଟି ଆଣ୍ଡି ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀମତୀ ଭଟ୍ଟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking