ଭୁବନେଶ୍ୱର: ରାଜଧାନୀରୁ ‘କୋକେନ୍’ ଜବତ ହେବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟିକରିଛି । ଏହାକୁ ନେଇ ଅନେକ ଆଲୋଚନା ହେଉଥିବାବେଳେ ନିଶାବେପାରୀଙ୍କ ଗୁମର ଖୋଲିଛି । ମୁଖ୍ୟଅଭିଯୁକ୍ତ ରବି କୋକେନ୍ ବିକ୍ରି କରିବାକୁ ଦିଲ୍ଲୀରୁ ଭୁବନେଶ୍ୱର ପ୍ରଥମଥର ଆସିଥିବାବେଳେ ସହଯୋଗୀ ସନ୍ନିର କଳାଫର୍ଦ୍ଦ ଏସ୍ଟିଏଫ୍ ହାତରେ ଲାଗିଛି । ଅଭିଯୁକ୍ତ ସନ୍ନି ନିଶାବେପାର କରିବାକୁ ଦୁଇବର୍ଷ ତଳେ ଭୁବନେଶ୍ୱର ଆସିଥିଲା । ଏଠାରେ ସାଲିଆସାହିରେ ରହି ପ୍ରଥମେ ବ୍ରାଉନସୁଗର ବେପାର ଚଳାଇଥିଲା । ହେଲେ ଖାଲି ନିଶାବେପାର କଲେ, କାଳେ ଲୋକେ ସନ୍ଦେହ କରିବେ; ତେଣୁ ମାର୍କେଟ୍ ବିଲ୍ଡିଂରେ ସେ ଏକ ଚୁଡ଼ି ଓ କସ୍ମେଟିକ୍ସ ଦୋକାନ ଖୋଲିିଥିଲା । ରାଜସ୍ଥାନରୁ କସ୍ମେଟିକ୍ ସାମଗ୍ରୀ ଆଣି ବେପାର କରୁଥିଲା । ଖାଲି ଏତିକି ନୁହେଁ, ଗତ ଦୁଇବର୍ଷ ଧରି ଏହି ଚୁଡ଼ି ଦୋକାନରେ ସେ ବ୍ରାଉନ୍ସୁଗର ରଖି କାରବାର କରିଆସୁଥିବା କୁହାଯାଉଛି ।
ରବି ଓ ସନ୍ନିର ଘର ରାଜସ୍ଥାନ ହୋଇଥିବାରୁ ଦୁହେଁ ପୂର୍ବରୁ ପରିଚିତ । ରବି ଦିଲ୍ଲୀ ଏବଂ ପଞ୍ଜାବରେ କୋକେନ୍ ବେପାର କରେ । ତେଣୁ ଏହି ଧନ୍ଦା ଭୁବନେଶ୍ୱରରେ କଲେ ଭଲ ଚାଲିବ ବୋଲି ସନ୍ନି କହିଥିଲା । ଭୁବନେଶ୍ୱରର ହାଇପ୍ରୋଫାଇଲ ଲୋକ ଓ କଳିଙ୍ଗ ଷ୍ଟାଡିୟମ୍କୁ ଟାର୍ଗେଟ୍ କରିଥିଲା ସନ୍ନି । ଏଠାକୁ ହକି ଖେଳାଳି ଆସୁଛନ୍ତି, ବ୍ରାଉନସୁଗର ଡିଲର୍ ବି ଚିହ୍ନା ଅଛନ୍ତି; ତେଣୁ ଅସୁବିଧା ହେବନାହିଁ ବୋଲି ସନ୍ନି ରବିକୁ ବୁଝାଇଥିଲା । ସନ୍ନି କଥାରେ ରବି ଭୁବନେଶ୍ୱର କୋକେନ୍ ଧରି ଆସିଥିଲା । ମାର୍କେଟ୍ ବିଲ୍ଡିଂ ଚୁଡ଼ିଦୋକାନରେ ରହିଥିଲା କୋକେନ୍ ପୁଡିଆ । ଯେହେତୁ ଏଠାରେ ସେ ବ୍ରାଉନସୁଗର ବିକ୍ରି କରୁଥିବା ନେଇ କେହି ଟେର୍ ପାଉନଥିଲେ, ତେଣୁ କୋକେନ୍ ଧନ୍ଦା ମାର୍କେଟ୍ ବିଲ୍ଡିଂରୁ ଅପରେଟ୍ କରିବାକୁ ସନ୍ନି ମନସ୍ଥ କରିଥିଲା । ହେଲେ ସବୁ ସ୍ୱପ୍ନ ଚୂର୍ମାର ହୋଇଗଲା ଯେତେବେଳେ ଜାଭିଅର୍ ଛକରେ ଜଣେ ଡିଲର୍କୁ କୋକେନ୍ ଦେବାକୁ ଆସି ଦୁହେଁ ଧରାପଡ଼ିଲେ ।
ଏସ୍ଟିଏଫ୍ ମାଡ଼ିବସିଲା । ରବି ଠାରୁ ୨୦୨ଗ୍ରାମ କୋକେନ୍ ଜବତ ହୋଇଛି । ଯାହାର ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ବ୍ରାଉନସୁଗର ୧୦ ଗ୍ରାମକୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବାବେଳେ ‘କୋକେନ୍’ ୨୫ରୁ ୩୦ଲକ୍ଷରେ ଦିଲ୍ଲୀ ଓ ପଞ୍ଜାବରେ ମିଳୁଛି । ପୂର୍ବରୁ ଓଡ଼ିଶାରେ ଏହି ନିଶାଦ୍ରବ୍ୟ କେବେ ଦେଖିବାକୁ ମିଳିନଥିଲା । ହଠାତ୍ ଏହା ବିକ୍ରି ହେବା ଘଟଣା ଏସ୍ଟିଏଫ୍କୁ ଚକିତ କରିଛି । ତେବେ ଏତେ ଟଙ୍କା ଦେଇ ଓଡ଼ିଶାରେ କିଏ କୋକେନ୍ ଖାଉଛି, ସେନେଇ ଖୋଳତାଡ୍ ଆରମ୍ଭ ହୋଇଛି । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଥିବା ଡ୍ୟାନ୍ସ ବାର୍, ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବାର୍ଗୁଡ଼ିକୁ ଆସୁଥିବା ଯୁବପୀଢ଼ି କୋକେନ୍ ସେବନ କରୁଥିବା ସନ୍ଦେହ କରାଯାଉଛି । ଏଥିସହ ଭୁବନେଶ୍ୱରର ତାରକା ହୋଟେଲ୍କୁ ଅନେକ ବଡ଼ବଡ଼ିଆ ଅତିଥି ରହିବାକୁ ଆସୁଛନ୍ତି, ସେମାନେ କୋକେନ୍ ନେବାକୁ ଭାରି ପସନ୍ଦ କରନ୍ତି । ତେଣୁ ତାଙ୍କ ଉଦ୍ଦେଶ୍ୟରେ କେତେକ ନିଶା ଦଲାଲ୍ ଏହି କୋକେନ୍ କିଣୁଥିବା ମଧ୍ୟ ଏସ୍ଟିଏଫ୍ ସନ୍ଦେହ କରିଛି । ଏନେଇ ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ।
ଏହି ଟିମ୍ ରାଜଧାନୀର ବିଭିନ୍ନ ବସ୍ତି ଓ ବଡ଼ବଡ଼ ହୋଟେଲ ଉପରେ ନଜର ରଖିବା ସହ କୋକେନ୍ ଧନ୍ଦାର ଚେର ଖୋଜିବ । ତେଣେ ମାମଲାରେ ଗିରଫ ହୋଇଥିବା ଦୁଇ ଆନ୍ତଃରାଜ୍ୟ ନିଶାବେପାରୀ ରବି ଓ ସନ୍ନିକୁ ଏସ୍ଟିଏଫ୍ ରିମାଣ୍ଡରେ ଆଣିବ । ମୁଖ୍ୟଅଭିଯୁକ୍ତ ରବି ପୂର୍ବରୁ ଦିଲ୍ଲୀରେ କୋକେନ୍ ଧନ୍ଦା କରୁଥିବାବେଳେ ଓଡ଼ିଶାକୁ ପ୍ରଥମଥର ଆସିଥିବା କହିଛି । ତେବେ ଏହି କଥା କେତେ ସତ, କେତେ ମିଛ; ତାହାର ତର୍ଜମା କରୁଛନ୍ତି ଏସ୍ଟିଏଫ୍ର ବରିଷ୍ଠ ଅଧିକାରୀ ଓ ଏକ୍ସପର୍ଟ । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଆହୁରି ଅନେକ ତଥ୍ୟ ମିଳିବାର ଆଶାରଖିଛି ଏସ୍ଟିଏଫ୍ । ଏନେଇ କୋର୍ଟରେ ୫ଦିନିଆ ରିମାଣ୍ଡ ଆବେଦନ ହୋଇଥିବା ଡିଆଇଜି କହିଛନ୍ତି । ରିମାଣ୍ଡ ଅନୁମତି ମିଳିବା ପରେ ସେମାନଙ୍କୁ ଘନଘନ ଜେରା କରାଯାଇ ଓଡ଼ିଶାରେ କୋକେନ୍ ଚେର ଖୋଜାହେବ ବୋଲି ସେ କହିଛନ୍ତି।
କୋକେନ୍’ ଦକ୍ଷିଣ ଆମେରିକାରୁ ଉତ୍ପାଦନ ହୁଏ । ବିଶେଷକରି କଲମ୍ବିଆ, ପେରୁ ଏବଂ ବୋଲିଭିଆରୁ ଉତ୍ପାଦନ ହୋଇଥାଏ । ୟୁଏସ୍ଏ ଏବଂ ୟୁରୋପର ଲୋକମାନେ ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କରନ୍ତି । ଆମଦେଶର ଦିଲ୍ଲୀ ଓ ପଞ୍ଜାବ, ମୁମ୍ବାଇରେ ଏହାର ଚାହିଦା ରହିଛି । ହାଇପ୍ରୋଫାଇଲ ଲୋକ ଏହାକୁ କିଣନ୍ତି ।