28.1 C
Bhubaneswar
Saturday, April 20, 2024
Homeଓଡିଶାନିୟନ୍ତ୍ରଣ ବାହାରେ ସିଏଚ୍‌ଏସ୍‌ଇ!: ସାର୍ଟିଫିକେଟ୍ ଲାଗି ବାରମ୍ବାର ଦୌଡୁଛନ୍ତି ଛାତ୍ରଛାତ୍ରୀ

ନିୟନ୍ତ୍ରଣ ବାହାରେ ସିଏଚ୍‌ଏସ୍‌ଇ!: ସାର୍ଟିଫିକେଟ୍ ଲାଗି ବାରମ୍ବାର ଦୌଡୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ରେ ପିଲାଙ୍କୁ ମିଳୁଛି ମାନସିକ ଏବଂ ଶାରୀରିକ ଯନ୍ତ୍ରଣା । ଥରେ କି ଦୁଇଥର ନୁହେଁ, ବାରମ୍ବାର ଏଠାକୁ ନଦୌଡ଼ିଲେ ପିଲାଙ୍କୁ ମିଳୁନି ସାର୍ଟିଫିକେଟ୍ । ଟଙ୍କା ପୈଠ କରିବାର ଦୀର୍ଘଦିନ ପର୍ଯ୍ୟନ୍ତ ସାର୍ଟିଫିକେଟ୍ ଇସ୍ୟୁ କରାଯାଉନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି । +୨ ପରିଷଦରେ ୫-ଟି ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ବେଳେ ଏହି ଅନୁଷ୍ଠାନଟି ଗଣଶିକ୍ଷା ବିଭାଗର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଶିକ୍ଷାବିତ୍ ତଥା ଅଭିଭାବକ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଯେପରି ପିଲାଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଯିବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମାତ୍ର ଏହି ନିୟମକୁ +୨ ପରିଷଦର କିଛି ଅଧିକାରୀ ପାଳନ କରିବାକୁ କୁଣ୍ଠାବୋଧ କରୁଛନ୍ତି । କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସାର୍ଟିଫିକେଟ୍ କିମ୍ବା ମାର୍କସିଟ୍ ଲାଗି +୨ ପରିଷଦରେ ଆବେଦନ କରିବା ସମୟରେ ଆବଶ୍ୟକ ଫି’ ପୈଠ କରାଯାଇଥାଏ । ପରିଷଦକୁ ରାଜ୍ୟର ବିଭିନ୍ନ ଦୂରଦୂରାନ୍ତରରୁ ପିଲାମାନେ ଆସୁଥିବା ବେଳେ ଅନେକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କର ବିଭିନ୍ନ କାର୍ଯ୍ୟ ନେଇ ଏଠାକୁ ଆସିଥା’ନ୍ତି । ହେଲେ ମାର୍କସିଟ୍ କିମ୍ବା ସାର୍ଟିଫିକେଟ ପାଇବାକୁ ଆବେଦନକାରୀ ପିଲାଙ୍କୁ ବହୁବାର ଏଠାକୁ ଆସିବାକୁ ପଡ଼ିଥାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି, ଆବେଦନ କରିବାର କେତେ ଦିନ ମଧ୍ୟରେ ସାର୍ଟିଫିକେଟ୍ ବା ମାର୍କସିଟ୍ ପ୍ରଦାନ କରାଯିବ ସେ ସମ୍ପର୍କରେ ପିଲାଙ୍କୁ କିମ୍ବା ପରିସରରେ କୌଣସି ତଥ୍ୟ ଦିଆଯାଉନାହିଁ । ଅଧିକାରୀଙ୍କ ଦୟା ହେଲେ ସାର୍ଟିଫିକେଟ୍ ମିଳୁଛି ନଚେତ ଦୌଡ଼ିବାକୁ ପଡୁଛି ବୋଲି ଶୁଣିବାକୁ ମିଳୁଛି । ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ହଜିଯାଇଥିଲେ ନକଲ କପି ଲାଗି ଏଠାରେ ଆବେଦନ କରାଯାଇଥାଏ ।

ପରୀକ୍ଷା ନିୟନ୍ତ୍ରକ ମାର୍କସିଟ୍ ଉପରେ ଦସ୍ତଖତ କରିବା ପରେ ଏହା ପ୍ରଦାନ କରାଯାଇଥାଏ । ନିୟନ୍ତ୍ରକ ନଥିଲେ ଉପ ନିୟନ୍ତ୍ରକ ମାର୍କସିଟ୍ କିମ୍ବା ସାର୍ଟିଫିକେଟ୍ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ରେଜଲ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ପରୀକ୍ଷା ନିୟନ୍ତ୍ରକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସାର୍ଟିଫିକେଟ୍ କିମ୍ବା ମାର୍କସିଟ୍ ପାଇବା ଲାଗି ଉପ ନିୟନ୍ତ୍ରକଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ମାତ୍ର ଉପ ନିୟନ୍ତ୍ରକ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାକୁ ମାର୍କସିଟ୍ ପ୍ରଦାନରେ ବିଳମ୍ବ ହେଉଥିôବା ଶୁଣିବାକୁ ମିଳୁଛି । ତେବେ ଉପ ନିୟନ୍ତ୍ରକଙ୍କୁ କାହିଁକି ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି ବୋଲି ପ୍ରଶ୍ନଉଠିଛି । ଯଦି ଉପନିୟନ୍ତ୍ରକ ବ୍ୟସ୍ତ ରହୁଛନ୍ତି; ତେବେ ସାର୍ଟିଫିକେଟ୍ କିମ୍ବା ମାର୍କସିଟ୍ ପ୍ରଦାନ ଲାଗି ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କାହିଁକି ଦାୟିତ୍ୱ ଦିଆଯାଉ ନାହିଁ ଅଭିଭାବକମାନେ ପ୍ରଶ୍ନକରିଛନ୍ତି ।

ଏପରି ବହୁ ଅଭିଯୋଗ ସତ୍ତ୍ୱେ ଏ ଦିଗରେ +୨ ପରିଷଦର ଅଧ୍ୟକ୍ଷ କାହିଁକି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଶିକ୍ଷାବିତ୍ ପ୍ରଶ୍ନ ଉଠାଇଛନ୍ତି । ଅନେକ ଥର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି । ଏଠାରେ ଲିଫ୍ଟ ମଧ୍ୟ ଅଚଳ । ଅନେକ କଷ୍ଟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଶିଢ଼ିିରେ ଉପରୁ ଚଢ଼ି ଯାଇଥାନ୍ତି । ତେବେ ପିଲାଙ୍କ ସୁବିଧା ଲାଗି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ କିଛି ଅଧିକାରୀଙ୍କ ଦୟାରେ ସାର୍ଟିଫିକେଟ୍ କାହିଁକି ମିଳୁଛି ବୋଲି ଅନେକ ଭିନ୍ନକ୍ଷମ ପିଲା ଅଭିଯୋଗ ମଧ୍ୟ କରିଛନ୍ତି । ଏ ଦିଗରେ ଗଣଶିକ୍ଷା ମନ୍ତ୍ରୀ ନଜର ଦେବା ସହ ନିଜର କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରିପାରୁନଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking