29.1 C
Bhubaneswar
Thursday, May 14, 2026
Homeଓଡିଶାହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି ଚିଠା ନୀତି ପ୍ରସ୍ତୁତ ହୋଇଛି : ମନ୍ତ୍ରୀ

ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି ଚିଠା ନୀତି ପ୍ରସ୍ତୁତ ହୋଇଛି : ମନ୍ତ୍ରୀ

ଭୁବନେଶ୍ଵର: “ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପରାମର୍ଶଦାତା କର୍ମଶାଳା ସ୍ଥାନୀୟ ମେ ଫେୟାର ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କହିଛନ୍ତି, ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ । ହସ୍ତଶିଳ୍ପୀମାନେ ଆମ ସାଂସ୍କୃତିକ ଐତିହ୍ୟର ସରଂକ୍ଷକ । ତେଣୁ ହସ୍ତଶିଳ୍ପର ସୁରକ୍ଷା, ସରଂକ୍ଷଣ ଓ ପ୍ରସାର ପ୍ରଚାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି “ଓଡିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପ୍ରସ୍ତୁତ ହୋଇଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ପ୍ରାରମ୍ଭିକ ଅଭିଭାଷଣ ରଖି “ଓଡିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବିକଶିତ ଓଡ଼ିଶା @ ୨୦୩୬ ଏବଂ ଓଡ଼ିଶା ଭିଜନ୍ ଡକୁମେଣ୍ଟ ଲକ୍ଷ୍ୟ ହାସଲ ଆଧାରରେ ଆମେ ଚିଠା ନୀତି ପ୍ରସ୍ତୁତ କରିଛୁ ବୋଲି କହିଥିଲେ । ବୁଦ୍ଧିଜୀବୀ, ବିଶେଷଜ୍ଞ, ଡିଜାଇନର୍, ଶିକ୍ଷାବିତ୍, ରପ୍ତାନିକାରୀ, କାରିଗରଙ୍କ ଗଠନମୂଳକ ମତାମତ ଆଧାରରେ ଏହି ନୀତି ଚୂଡ଼ାନ୍ତ ହେବ । ଅଧିକ ବ୍ୟବସାୟ ପାଇଁ ବଜାର ସୁବିଧା, ମେସିନ୍-ନିର୍ମିତ ସାମଗ୍ରୀ ସହିତ ପ୍ରତିଯୋଗିତା, ପର୍ଯ୍ୟାପ୍ତ କଞ୍ଚାମାଲ ସୁବିଧା, ଯୁବପିଢିଙ୍କୁ ଆକର୍ଷିତ କରିବା ଭଳି ଡିଜାଇନ୍, ଡିଜିଟାଲ୍ ମାର୍କେଟିଙ୍ଗ, ଗ୍ଲୋବାଲ ମାର୍କେଟ ଚେନ୍ ସହ ସଂଯୋଗ, ସମବାୟ ସଂସ୍ଥାର ସଶକ୍ତୀକରଣ, ହସ୍ତଶିଳ୍ପ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ, ଜି.ଆଇ ଟ୍ୟାଗ୍‍ ଉତ୍ପାଦକୁ ପ୍ରୋତ୍ସାହନ, ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ହୋତା, ପଦ୍ମଶ୍ରୀ ବିନୋଦ ମହାରଣା, ପଦ୍ମଶ୍ରୀ ପ୍ରଭାକର ମହାରଣା, ପ୍ରଫେସର ଡକ୍ଟର ଅଖିଳ ବିହାରୀ ଓତା, ପ୍ରଫେସର ହରେକୃଷ୍ଣ ମିଶ୍ର, ପ୍ରଫେସର କିଶୋର କୁମାର ବାସା, ‘ସିଏସଆଇଆର-ଆଇଏମଏମଟି’ର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଏନଆଇଏଫଟି ନିର୍ଦ୍ଦେଶିକା ବିଭାବରି କୁମାର, ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ସମସ୍ତ ଜିଲ୍ଲାର ହସ୍ତଶିଳ୍ପ ଅଧିକାରୀ, ଜାତୀୟ ତଥା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ କାରିଗର, ବିଶେଷଜ୍ଞ, ଶିକ୍ଷାବିତ୍, ରପ୍ତାନିକାରୀ, ସମବାୟବିତ୍, ଡିଜାଇନର୍, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking