ଭୁବନେଶ୍ବର : ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଚଳିତ ଥିବା ଆପାର୍ଟମେଣ୍ଟ୍ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଓ ସରକାରଙ୍କ ରାଜସ୍ବ ଆଦାୟକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ରେ ଆବଶ୍ୟକ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିବା ନିମନ୍ତେ କ୍ୟାବିନେଟର ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ [Odisha Apartment (Ownership and Management) Act, 2023] ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକୁ (Common areas and facilities) ଆସୋସିଏସନ ଅଫ୍ ଆଲଟି(Association of Allottees)ଙ୍କ ସପକ୍ଷରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ଅଟେ l ଏଥିପାଇଁ ଆସୋସିଏସନ ଅଫ୍ ଆଲଟି (Association of Allottees)ଙ୍କୁ ଦଲିଲ୍ ପଞ୍ଜୀକରଣ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା, ଯାହାକି ସେମାନଙ୍କ ଉପରେ ଅଧିକ ଆର୍ଥିକ ଭାର ସୃଷ୍ଟି କରୁଥିଲା ଏବଂ ଏହାଦ୍ଵାରା ଆପାର୍ଟମେଣ୍ଟ ପଞ୍ଜୀକରଣରେ ବାଧା ସୃଷ୍ଟି ହେଉଥିଲା l ତେବେ, ବର୍ତ୍ତମାନ ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜୀକରଣ ନିମନ୍ତେ Association of Allotteesଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ୫୦,୦୦୦/-ଟଙ୍କା ମାତ୍ର ଷ୍ଟାମ୍ପ ଦେୟ ଦେବାକୁ ପଡିବ। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡିକ(common areas and facilities)ର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡ୍ୟୁଟି ଆନୁପାତିକ ଭାବେ ଆଦାୟ ହେବ । ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡିବ ।










