ନୟାଗଡ: ନୟାଗଡ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରେ ପହଂଚି ପ୍ରସାଶନ ଏବଂ ଚାଇଲ୍ଡ ଲାଇନ ନାବାଳିକା ବିବାହକୁ ରୋକିଛନ୍ତି । ଏଭଳି ସ୍ଥଳେ ଖଣ୍ଡପଡା ବ୍ଲକ ସରପୋଖରୀ ଗ୍ରାମରେ ପହଂଚି ପୁଲିସ, ପ୍ରଶସାନ ଏବଂ ଚାଇଲ୍ଡ ଲାଇନ ଏକ ନାବାଳିକା ବିବାହ ରୋକିବା ସହ ଝିଅକୁ ନେଇଆସିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଖଣ୍ଡପଡା ଅଂଚଳର ଜଣେ ବସ ହେଲପରଙ୍କ ନାବାଳିକା ଝିଅ ସହ ସରପୋଖରୀ ଗ୍ରାମର ଗାଡି ଚାଳକ ତ୍ରିନାଥ ସ୍ୱାଇଁ ଙ୍କ ବିବାହ ହେଉଥିଲା । ବିବାହ ନିମନ୍ତେ ଝିଅ ପୁଅ ଘରେ ପହଂଚି ସାରିଥିବା ବେଳେ ଭୋଜି କାର୍ଯ୍ୟ ଶେଷ ହୋଇ ବାହାଘର ପାଇଁ ବେଦି ବନ୍ଧା ସରିଥିଲା । ପରେ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଆସିଡିଏସ ସନ୍ତୋଷିନୀ ପାଣି ଏବଂ ଖଣ୍ଡପଡା ପୁଲିସ ପୁଅ ଘରେ ପହଂଚି ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛନ୍ତି । ଏହି ଘଟଣାରେ ଖଣ୍ଡପଡା ଥାନାରେ ଏକ ଷ୍ଟେସନ ଡାଏରୀ ହୋଇଥିବା ଜଣାପଡିଛି ।