27.1 C
Bhubaneswar
Friday, October 9, 2026
Homeଓଡିଶା'ସୁପୋଷିତ ଓଡ଼ିଶା', ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ...

‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି (Social Sector Development) ନିମନ୍ତେ ଏକ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ମୁଖ୍ୟତଃ ତିନୋଟି ପ୍ରମୁଖ ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକାରିତାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଗୁଣାତ୍ମକ ଶିକ୍ଷା- ଏହି ତିନୋଟି କ୍ଷେତ୍ର ମାଧ୍ୟମରେ ହିଁ ଏକ ମଜବୁତ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗଗୁଡ଼ିକୁ ଅଧିକ ତତ୍ପର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ ଏହି କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ମାତୃ ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଶିଶୁ ମୃତ୍ୟୁ ହାର ତଥା ନବଜାତ ଶିଶୁ ମୃତ୍ୟୁ ହାର କମାଇବାର ଲକ୍ଷ୍ୟକୁ ଏକ ଅଭିଯାନ ସ୍ୱରୂପ ଗ୍ରହଣ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ପ୍ରସୂତି ଏବଂ ନବଜାତ ଶିଶୁମାନଙ୍କୁ ଗ୍ରାମାଞ୍ଚଳ ତଥା ଦୂରଦୂରାନ୍ତ ଅଞ୍ଚଳରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା, ସ୍ୱାସ୍ଥ୍ୟକର୍ମୀମାନଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ଏବଂ ମେଡିକାଲ ଗୁଡ଼ିକରେ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପୁଷ୍ଟିହୀନତା (Malnutrition) ଯୋଗୁ ଷ୍ଟଣ୍ଟିଂ (stunting) ଏବଂ ୱେଷ୍ଟିଂ (wasting) ପରି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହିସବୁ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ‘ସୁପୋଷିତ ଓଡ଼ିଶା’ ଅଭିଯାନକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ମା’ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବହୁବିଧ ଉନ୍ନତି ପରିଲକ୍ଷିତ ହୋଇପାରିବ। ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ପୁଷ୍ଟିକର ସାମଗ୍ରୀର ମାନ ତଥା ନିରିକ୍ଷଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ, ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରାଥମିକ ସ୍ତରରୁ ହିଁ ପିଲାଙ୍କ ମୌଳିକ ଶିକ୍ଷାର ମାନରେ ବୃଦ୍ଧି କରିବା ପାଇଁ ସମସ୍ତ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ଏଥିସହିତ ଶିକ୍ଷକମାନେ ଶିକ୍ଷାଦାନ ଏବଂ ଶିକ୍ଷାର ମୂଳ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ମାନ ବୃଦ୍ଧି ପାଇବ ବୋଲି ଆଶାପୋଷଣ ମଧ୍ୟ କରିଛନ୍ତି । ଏହି ବୈଠକରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍. ତିରୁମାଲା ନାଏକ ଏବଂ ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking