27.1 C
Bhubaneswar
Sunday, September 8, 2024
Homeଓଡିଶାଆସନ୍ତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଦିଆଯିବ “ନିଯୁକ୍ତି କ୍ରାନ୍ତି”ର ଦାବି ପତ୍ର

ଆସନ୍ତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଦିଆଯିବ “ନିଯୁକ୍ତି କ୍ରାନ୍ତି”ର ଦାବି ପତ୍ର

ଭୁବନେଶ୍ୱର: ଆସନ୍ତା କାଲି ଓଡ଼ିଶାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ୫ ଦଫା ଦାବି ସମ୍ମଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସଂପୃକ୍ତ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଓ କର୍ମକର୍ତା ଏବଂ କର୍ମୀମାନେ ଏହି ଦାବିପତ୍ର ଦେବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଲେ, ସେହି ଅନୁସାରେ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତ ଦେବା କଥା । ମାତ୍ର ରାଜ୍ୟ ସରକାରଙ୍କର ଏବେ ୨ଲକ୍ଷ ୨୬ ହଜାର ପଦବୀ ଖାଲିପଡ଼ିଛି । ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୯ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରି ଚାକିରୀ ପାଇଁ ଚାହିଁ ବସିଛନ୍ତି । ନବୀନ ସରକାର ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହା କେବଳ ତାଙ୍କ ଦଳର କର୍ମୀ ପୋଷଣ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୧୩ ମସିହାରେ ନବୀନ ସରକାର ଯେଉଁ ଯୁବନୀତି ପ୍ରଣୟନ କଲେ ସେଥିରେ ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ସମ୍ପର୍କରେ ଗୋଟିଏ ଶବ୍ଦବି ନଥିଲା । ଷ୍ଟାଫସିଲେକସନ କମିଶନ ଠାରୁ ଆରମ୍ଭ କରି ଯେଉଁ ସରକାରୀ ସଂସ୍ଥା ମାଧ୍ୟମରେ ସରକାରୀ ଚାକିରୀ ପାଇଁ ପରୀକ୍ଷା କରାଯାଉଛି ତାହା ଦୁର୍ନୀତିରେ ବୁଡ଼ି ରହିଛି । ପରୀକ୍ଷା ପୂର୍ବରୁ ନବୀନ ସରକାର ଚାକିରୀ ବିକି ଦେଉଛନ୍ତି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି । ନିକଟରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନର ଜଣେ କିରାଣୀ ଠାରୁ କୋଟି କୋଟି ଟଙ୍କା ଜବତ ହେବା ଘଟଣା ଜଣାପଡ଼ିଲା ପରେ ସରକାର ଏ ସମସ୍ତ ଦୁର୍ନୀତିକୁ ଚପେଇ ଦେଉଛନ୍ତି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା ହେଉଛି ସରକାରଙ୍କର ଚୟନକାରୀ ବୋର୍ଡରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିବାର ଅଭିଯୋଗ ମଧ୍ୟ ରହିଛି । ଏଭଳି ସ୍ଥଳେ ପରୀକ୍ଷାର୍ଥୀମାନେ ନିଜ ଭବିଷ୍ୟତ ଅନ୍ଧାରରେ ଥିବା ଭଳି ଅନୁଭବ କରୁଛନ୍ତି ।

ବିଶେଷକରି ବିମୁଦ୍ରାୟନ ଓ କରୋନା କାରଣରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ କ୍ଷତିଗ୍ରସ୍ତ ଓ ବନ୍ଦ ହୋଇଯିବାରୁ ଆମ ରାଜ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାଁନ୍ତି । ଆମ ରାଜ୍ୟରେ ପୂର୍ବରୁ ଥିବା ସୂତାକଳ, ଲୁଗାକଳ, ତେଲକଳ, ଝୋଟକଳ ଓ ଚିନିକଳ ଗୁଡ଼ିକ ବନ୍ଦ ହୋଇଯାଇଛି । ଗାଁରୁ ସହର ଲକ୍ଷ ଲକ୍ଷ ଯୁବକ ଯୁବତୀ କାମଧନ୍ଦା ଅନ୍ୱେଷଣରେ ଘୂରି ବୁଲୁଛନ୍ତି । ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ଯାଉଛନ୍ତି । ସୁରାଟର ସୂତାକଳ, ଆନ୍ଧ୍ରର ଇଟାଭାଟୀ ରେ ଓଡ଼ିଆ ଯୁବକ ଯୁବତୀଙ୍କ ସ୍ୱପ୍ନ ହଜିଯାଉଛି । ଓଡ଼ିଆ ପିଲା ବାହାରେ ଦାଦନ ଖଟୁଛନ୍ତି । ଓଡ଼ିଶା ସରକାରଙ୍କ ସହମତିରେ ଆମ ରାଜ୍ୟର ଖଣିଜ ସମ୍ପଦ ଖୋଲା ଲୁଟ ହେଉଛି । ମିଛ ଶିଳ୍ପର ସ୍ୱପ୍ନ ଦେଖାଇ ଦିଆଯାଉଛି । ମାତ୍ର ବାସ୍ତବରେ ଶିଳ୍ପପତି ଓ ଖଣି ମାଫିଆମାନେ ମୂଲ୍ୟବାନ ଖଣିଜ ସମ୍ପଦକୁ ଲୁଟିବାରେ ଲାଗିଛନ୍ତି । ଓଡ଼ିଶାର ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରାଯାଉଛି । ଆମ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ନା ଅଛନ୍ତି ଡାକ୍ତର ନା ସ୍ୱାସ୍ଥ୍ୟକର୍ମୀ ନା ଶିକ୍ଷକ ନା ପୋଲିସ୍‌! ସରକାରୀ ଚାକିରୀକୁ ସଙ୍କୁଚିତ କରାଯାଉଛି ଓ ଘରୋଇ କାରଖାନାରେ କୌଣସି ନିର୍ଦ୍ଦିଷ୍ଟ ନିଯୁକ୍ତି ନୀତି ନଥିବାରୁ ଓଡ଼ିଶାର ଯୁବସମାଜ ଆଜି ହତାଶ । ପାଠ ପଢ଼ି ମଧ୍ୟ ବେକାର । ସରକାରଙ୍କ ଯୁବନୀତି ଏବେ ନିରୁଦ୍ଦିଷ୍ଟ । ଓଡ଼ିଶାରେ ଥିବା ଶିଳ୍ପାଂଚଳର ଲୋକ ଧୂଳି, ଧୂଆଁ ଖାଉଛନ୍ତି । ଏଠିକାର ପରିବେଷ ଦୂଷିତ ହେଉଛି । ଲୋକେ ରୋଗାଗ୍ରସ୍ତ ହେଉଛନ୍ତି । ମାତ୍ର ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ଦେବାରେ ଏଠିକାର ଶିଳ୍ପଗୁଡ଼ିକ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି । ଏଭଳି ଉଦାସୀନତା ଓ ପ୍ରତାରଣା କେତେଦିନ ଚାଲିବ? ଏ ଅବହେଳା ଓ ଅଣଦେଖା ଆଉ କେତେଦିନ ଆମେ ସହିବୁ? ନିଯୁକ୍ତିକ୍ରାନ୍ତି ହେଉଛି ଓଡ଼ିଶାର ବେକାର ଯୁବକଯୁବତୀ ମାନଙ୍କର ସ୍ୱର । ଯଦି ମୁଖ୍ୟମନ୍ତ୍ରୀ ନିଯୁକ୍ତି କ୍ରାନ୍ତିର ଦାବିଗୁଡ଼ିକର ସମାଧାନ ନକରନ୍ତି ତେବେ ନିଯୁକ୍ତିକ୍ରାନ୍ତି ତୀବ୍ରତର ହେବ ବୋଲି ଶ୍ରୀ ୟାସିର ନୱାଜ ଚେତାବନୀ ଦେଇଛନ୍ତି ।
ନିଯୁକ୍ତି କ୍ରାନ୍ତିର ଦାବି :
୧. ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ସରକାରୀ ପଦବୀକୁ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଉ । ସମସ୍ତ ସରକାରୀ ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଉ ।
୨. ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ ।
୩. ସରକାରୀ ଚାକିରୀରେ ଚୁକ୍ତିଭିତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ ।
୪. ଯେଉଁ ପ୍ରବାସୀ ଓଡ଼ିଆ, ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ତୁରନ୍ତ ପ୍ୟାକେଜ କରନ୍ତୁ ।
୫. ବେକାରୀ ଭତା ୫୦୦୦ ଟଙ୍କା ଦିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking