28.1 C
Bhubaneswar
Saturday, July 27, 2024
Homeଓଡିଶାଓଡ଼ିଶାର ପ୍ରଥମ କମ୍ୟୁନିଷ୍ଟଙ୍କ ସ୍ମୃତି ସମାରୋହ

ଓଡ଼ିଶାର ପ୍ରଥମ କମ୍ୟୁନିଷ୍ଟଙ୍କ ସ୍ମୃତି ସମାରୋହ

ଭୁବନେଶ୍ୱର: ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା, ପ୍ରଥମ କମ୍ୟୁନିଷ୍ଟ ତଥା ବିଶିଷ୍ଟ ମାକ୍ସବାଦୀ ତତ୍ୱବିତ୍ ଗୁରୁଚରଣ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଗତକାଲି ସଂଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଅଭୟ ସାହୁ, ସମ୍ପାଦକମଣ୍ଡଳୀ ସଭ୍ୟ କ୍ଷୀରୋଦ ସିଂହଦେଓ, ଜୟନ୍ତ ଦାସ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣକରି ଗୁରୁଚରଣ ପଟ୍ଟନାୟକଙ୍କ ସଂଘର୍ଷମୟ ଜୀବନ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ ।

ସେମାନେ କହିଥବଲେ– ଗୁରୁଚରଣ ପଟ୍ଟନାୟକ ମାତ୍ର ୧୭ ବର୍ଷ ବୟସରେ ଓଡିଶାରେ ୧୯୩୪ ମସିହାରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ୧୯୩୫ ମସିହାରେ ତାଙ୍କ ଲିଖିତ ପୁସ୍ତକ ‘ଭାରତରେ ଇଂରେଜ୍ ରାଜ’ ବ୍ରିଟିଶ ସରକାରଙ୍କ ଦ୍ୱାରା ବେଆଇନ ଘୋଷିତ ହୋଇଥିଲା । ଓଡିଶାରେ ତାହା ହିଁ ଥିଲା ପ୍ରଥମ ବେଆଇନ ଘୋଷିତ ପୁସ୍ତକ । ୧୯୩୬ ମସିହ।।ରେ ସେ ପ୍ରଥମେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିଲେ । ତାଙ୍କପରେ ପ୍ରାଣନାଥ ପଟ୍ଟନାୟକ ଓ ଭଗବତୀ ଚରଣ ପାଣିଗ୍ରାହୀ ସଭ୍ୟ ହେବା ସହିତ ଓଡିଶାରେ ବିଧିବଦ୍ଧ ଭାବରେ କମ୍ୟୁନିଷ୍ଟ ପାର୍ଟି ଗଠିତ ହୋଇଥିଲା ।

ସେ ‘କମ୍ୟୁନିଜମ୍ କ’ଣ’, ‘ପ୍ରଳୟର ଗର୍ଭର’ୁ, ‘ସୃଷ୍ଟି-ଦୃଷ୍ଟି-କୃଷ୍ଟି’, ‘ଓଡିଆ ସାହିତ୍ୟର ମତି ଓ ଗତି’, ‘ଖଣ୍ଡା ଓ କଲମ’ ଭଳି ପୁସ୍ତକମାନ ରଚନା କରିଥିବାବେଳେ ତାଙ୍କ ଦ୍ୱାରା ରଚିତ ‘ଜଗତ ଦର୍ଶନରେ ଜଗନ୍ନାଥ’ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲା । ଏହି ସମାରୋହରେ ‘ନୂଆଦୁନିଆ’ର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ଏଆଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା, ବ୍ରଜବନ୍ଧୁ ପ୍ରଧାନ, ପ୍ରଫେସର ଅଶୋକ ପଟ୍ଟନାୟକ, ରମେଶ ଚନ୍ଦ୍ର ପ୍ରଧାନ, ବିଜୟ ମହାନ୍ତି ପ୍ରମୁଖ ଆଗାମୀ ନିର୍ବାଚନରେ ସାମ୍ପ୍ରଦାୟିକ ବିଜେପିକୁ ପରାସ୍ତ କରିପାରିଲେ ତାହା ହିଁ ଗୁରୁଚରଣ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ କରିଥିଲେ । ସମାରୋହର ପ୍ରାରମ୍ଭରେ ସିପିଆଇ ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ସତିଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking