ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଆଜି ତାରିଖ ଘୋଷଣା କରିଛି । ଜାନୁୟାରୀ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବାର ସମ୍ଭାବନା ରହିଛି ବୋଲି ସିବିଏସଇ କହିଛି । ମାତ୍ର ବାସ୍ତବରେ କେବେ ପରୀକ୍ଷା ହେବ ପରବର୍ତ୍ତୀ ସମୟରେ ସିବିଏସଇ ଏଥିପାଇଁ ସ୍ପଷ୍ଟ ଭାବରେ ଘୋଷଣା କରିବ । ପରୀକ୍ଷା ପାଇଁ ବୋର୍ଡ ଏସଓପି ମଧ୍ୟ ଜାରି କରିଛି । ସ୍କଲଗୁଡିକୁ ପରୀକ୍ଷା ପାଇଁ ତାରିଖ ସବୁ ପଠାଯିବ ବୋଲି ସିବିଏସଇ କହିଛି । ବୋର୍ଡ ତରଫରୁ ଜଣେ ପର୍ଯ୍ୟବେକ୍ଷକ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପ୍ରୋଜେକ୍ଟ ଇଭ୍ୟାଲୁଏସନ ପାଇଁ ନିୟୋଜିତ ରହିବେ । ପ୍ରାକ୍ଟିକାଲ ପରୀକ୍ଷାରେ ଗତ ବର୍ଷ ଭଳି ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରୀକ୍ଷକ ରହିବେ । କେବଳ ସିବିଏସଇ ବୋର୍ଡ ଦ୍ୱାରା ନିଯୁକ୍ତ ହୋଇଥିବା ବାହ୍ୟ ପରୀକ୍ଷକଙ୍କ ଦ୍ୱାରା ପ୍ରାକ୍ଟିକାଲ ପରୀକ୍ଷା କରିବା ସ୍କୁଲଗୁଡିକର ଦାୟିତ୍ୱ ରହିବ । ମୂଲ୍ୟାଙ୍କନ ସମାପ୍ତ ହେବା ପରେ ବିଦ୍ୟାଳୟଗୁଡିକୁ ବୋର୍ଡ ଦ୍ୱାରା ପ୍ରଦତ୍ତ ଲିଙ୍କରେ ମାର୍କ ଅପଲୋଡ କରିବାକୁ ପଡିବ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପ୍ରକଳ୍ପ ମୂଲ୍ୟାଙ୍କନ କାର୍ଯ୍ୟ ସଂପୃକ୍ତ ବିଦ୍ୟାଳୟରେ କରାଯିବ ।