ଲମ୍ବା ୩୭ ଇଞ୍ଚ ଓ ଓଜନ ୬.୬. କେଜି
ଗୋଟିଏ ମିନିଟ୍ରେ ୬ ରାଉଣ୍ଡ୍ ଫାୟାର୍
ନୂଆଦିଲ୍ଲୀ : ସ୍ୱିଡେନ୍ କମ୍ପାନୀ ‘ସାବ୍’ ନିଜର ସବୁଠୁ ଚର୍ଚ୍ଚିତ ରାଇଫଲ୍ କାର୍ଲ-ଗୁସ୍ତାଫ୍ର ନିର୍ମାଣ ଭାରତରେ କରିବ । ନିଜର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କମ୍ପାନୀ ଭାରତରେ ଏହି ରାଇଫଲ୍ ସିଷ୍ଟମ୍ର ନିର୍ମାଣ କରିବ ବୋଲି ସାବ୍ର ଭାଇସ୍ ପ୍ରେସିଡେଣ୍ଟ ଗୋର୍ଗେନ୍ ଜୋହାନ୍ସନ୍ ସୂଚନା ଦେଇଛନ୍ତି । ଭାରତରେ ସାବ୍ର ନୂଆ ଫ୍ୟାକ୍ଟ୍ରିରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ । ଜୋହାନ୍ସନ୍ କହିଛନ୍ତି, ଏହି ଫ୍ୟାକ୍ଟ୍ରିରୁ କାର୍ଲ-ଗୁସ୍ତାଫ୍ ରାଇଫଲ୍ ବ୍ୟତୀତ ସାରା ବିଶ୍ୱରେ ବ୍ୟବହୃତ ଅନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଉପକରଣ ମଧ୍ୟ ନିର୍ମାଣ କରାଯିବ । ତେବେ ଏହି ନୂଆ ଫ୍ୟାକ୍ଟ୍ରି ପାଇଁ କମ୍ପାନୀ କେତେ ଅର୍ଥ ନିବେଶ କରିବ, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ଖାସ୍ ବିଷୟ ହେଉଛି କାର୍ଲ-ଗୁସ୍ତାଫ୍ ରାଇଫଲ୍ ସ୍ୱିଡେନ୍ ବାହାରେ କୌଣସି ଦେଶରେ ନିର୍ମାଣ କରାଯିବା ଏହା ପ୍ରଥମ ହେବ ।
କାର୍ଲ-ଗୁସ୍ତାଫ୍ ରାଇଫଲ୍ର ବ୍ୟବହାର ଭାରତୀୟ ସେନା ୧୯୭୬ରୁ କରିଆସୁଛି । ଚୀନ୍ ନିକଟସ୍ଥ ଏଲ୍ଏସିରେ ମୁତୟନ ପ୍ରତ୍ୟେକ ଭାରତୀୟ ଯବାନଙ୍କ ନିକଟରେ କାର୍ଲ-ଗୁସ୍ତାଫ୍ର ଏମ୍୨ ଓ ଏମ୍୩ ମଡେଲ୍ ଉପଲବ୍ଧ । ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ଏହି ରାଇଫଲ୍ର ଡିମାଣ୍ଡ୍ ବହୁ ଦେଶରେ ବୃଦ୍ଧି ପାଇଛି । ଏହି କାରଣରୁ କମ୍ପାନୀର ଏହାର ଉତ୍ପାଦନ ବୃଦ୍ଧି ଉପରେ ବିଚାର କରିଥିଲା । ଏହି ରାଇଫଲ୍ର ଚାରିଟି ଭର୍ସନ୍ ଏମ୍୧, ଏମ୍୨, ଏମ୍୩ ଏବଂ ଏମ୍୪ ରହିଛି । ଏମ୍୪ ମଡେଲ୍ ୨୦୧୪ରେ ନିର୍ମାଣ କରାଯାଇଥିବା ବେଳେ ଭାରତ ନିକଟରେ ଏହା ପ୍ରଥମ ତିନିଟି ମଡେଲ୍ ରହିଛି । ଏହି ରାଇଫଲ୍କୁ କାନ୍ଧ ରଖି ଫାୟାର୍ କରାଯାଇଥାଏ । ଦେଢ଼ କିଲୋମିଟର ଦୂରରେ ଥିବା ଶତ୍ରୁକୁ ସଠିକ୍ ଟାର୍ଗେଟ୍ କରିବାରେ ଏହା ସକ୍ଷମ । କେବଳ ଏତିକି ନୁହେଁ ଯୁଦ୍ଧାସ୍ତ୍ର ଯାନକୁ ମଧ୍ୟ ନଷ୍ଟ କରିଥାଏ ।
ଫିଙ୍ଗର୍ପ୍ରିଣ୍ଟ୍ ଟେକ୍ନୋଲୋଜିରେ ପରିଚାଳିତ କାର୍ଲ-ଗୁସ୍ତାଫ୍ ଏମ୍୪ର ପ୍ରୋଗ୍ରାମିଂ ବହୁ ସୂକ୍ଷ୍ମଭାବେ କରାଯାଇଛି । ସୈନିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଥିରେ ଆଡ୍ଭାନ୍ସ ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ ସାମିଲ କରାଯାଇଛି । ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ରକେଟ୍ ଲଞ୍ଚର୍ ମଧ୍ୟରୁ ଅନ୍ୟତମ କାର୍ଲ-ଗୁସ୍ତାଫ୍ ଏମ୍୪ର ଲମ୍ବା ୩୭ ଇଞ୍ଚ ଏବଂ ଓଜନ ୬.୬ କେଜି । ଏହାକୁ ଚଳାଇବା ପାଇଁ ଦୁଇଜଣ ସୈନିକ ଗନର୍ ଓ ଲୋଡର୍ଙ୍କ ଆବଶ୍ୟକତା ପଡ଼ିଥାଏ । ଏଥିରୁ ଏକ ମିନିଟ୍ରେ ୬ ରାଉଣ୍ଡ୍ ଫାୟାର୍ କରାଯାଇପାରେ ଏବଂ ଫାୟାର୍ ପରେ ଏହାର ଗୁଳିି ୮୬୦ ଫୁଟ ପ୍ରତି ସେକେଣ୍ଡ୍ ସ୍ପିଡ୍ରେ ବଢ଼ିଥାଏ । ଭାରତରେ ସ୍ଥାପନ ହେବାକୁ ଥିବା ଫ୍ୟାକ୍ଟ୍ରିରୁ ଭାରତୀୟ ବାୟୁସେନା ପାଇଁ ମଧ୍ୟ ୱେପନ୍ ସିଷ୍ଟମ୍ର ଉତ୍ପାଦନ କରାଯିବ । ଏହା ସହିତ ସାରା ବିଶ୍ୱକୁ କମ୍ପୋନେଟ୍ସ ମଧ୍ୟ ରପ୍ତାନୀ କରାଯିବ । ଭାରତରେ ସାବ୍ର ସବ୍ସିଡିଆରୀ ଭାବେ ଏଫ୍ଏଫ୍ଭି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କାମ କରିବ । ଏହା ନିକଟରେ ମାନ୍ୟୁଫାକ୍ସରିଂ ଦାୟିତ୍ୱ ରହିବ । ସାରା ଅପରେସନ୍ ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ହେବ ଏବଂ ଏହାଦ୍ୱାରା ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ ।