25.1 C
Bhubaneswar
Saturday, January 18, 2025
Homeଓଡିଶାବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ; ଏମ୍‌ସି ଅଞ୍ଚଳରେ ‘ମାଷ୍ଟର ପ୍ଲାନ୍‌’ ନଥିବାରୁ ଜଳବନ୍ଦୀ ସମସ୍ୟା

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ; ଏମ୍‌ସି ଅଞ୍ଚଳରେ ‘ମାଷ୍ଟର ପ୍ଲାନ୍‌’ ନଥିବାରୁ ଜଳବନ୍ଦୀ ସମସ୍ୟା

– ବର୍ଷାଜଳ ନିଷ୍କାସନ, ସ୍ୱିରେଜ୍ ପରିଚାଳନା ବାବଦକୁ ଖର୍ଚ୍ଚ ହୋଇଛି କମ୍
– ସ୍ୱିରେଜ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିରେ ତ୍ରୁଟି ଯୋଗୁଁ ୩,୦୪୫.୪୪ କୋଟି ଅପବ୍ୟୟ
– ଦୟା ପଶ୍ଚିମ ଜଳସେଚନ କେନାଲ ଏକ ସ୍ୱିରେଜ୍ ବର୍ଜ୍ୟଜଳ ଡ୍ରେନ୍‌ରେ ପରିଣତ

ଭୁବନେଶ୍ୱର: ଦ୍ରୁତ ସହରୀକରଣ ଯୋଗୁଁ ସହରର ଜମି ଓ ଡ୍ରେନ ଉପରେ କୁପ୍ରଭାବ ପଡ଼ିଛି। ସହରଗୁଡ଼ିକରେ ବର୍ଷା ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ଓଡ଼ିଶାରେ ମହାନଗର ନିଗମଗୁଡ଼ିକ ବର୍ଷା ଜଳ ନିଷ୍କାସନ ପାଇଁ ‘ମାଷ୍ଟର ପ୍ଲାନ୍‌’ ପ୍ରସ୍ତୁତ କରିନଥିବାରୁ ଜଳବନ୍ଦୀ ସମସ୍ୟା ଉତ୍କଟ ହୋଇଛି। ସହରାଞ୍ଚଳରେ ବନ୍ୟା ପରିସ୍ପତି ଉପୁଜିଛି। ସ୍ୱିରେଜ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିରେ ତ୍ରୁଟି ଯୋଗୁଁ ୩,୦୪୫.୪୪ କୋଟି ବି ଅପବ୍ୟୟ ହୋଇଛି। ଅନ୍ୟପକ୍ଷରେ ଦୂରଦୃଷ୍ଟିହୀନତା ପାଇଁ ନିଗମ ବିଭିନ୍ନ ଯୋଜନା ଆଳରେ କୋଟି କୋଟି ଟଙ୍କା ଅପବ୍ୟୟ କରିଥିବାର ନଜରକୁ ଆସିଛି। ଏନେଇ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜି କ୍ଷୋଭ ପ୍ରକାଶ କରିଛନ୍ତି।

ଶନିବାର ବିରୋଧୀ ସଭ୍ୟଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ଓଡ଼ିଶାର ପାଞ୍ଚ ମହାନଗର ନିଗମ(ଏମ୍‌ସି) ରହିଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ, ବ୍ରହ୍ମପୁର,ରାଉରକେଲା ଓ ସମ୍ବଲପୁର। ଏସବୁ ମହାନଗର ନିଗମ ଦ୍ୱାରା ବନ୍ୟା ଜଳ ନିଷ୍କାସନ ଓ ସ୍ୱେରେଜ୍ ପରିଚାଳନା ପଦ୍ଧତିର ପ୍ରଦର୍ଶନ ଉପରେ ସମୀକ୍ଷା କରିଥିଲେ ସିଏଜି। ବିଶେଷକରି ମହାନଗର ନିଗମରେ ବନ୍ୟା ଜଳ ନିଷ୍କାସନ, ସ୍ୱିରେଜ୍ ବର୍ଜ୍ୟବସ୍ତୁ ଓ ପରିଚାଳନାର ଯୋଜନା, ଆର୍ଥିକ ସ୍ଥିତିର ପରିଚାଳନା, କର୍ମ ନିଯୁକ୍ତି, ନାଗରିକ ସଚେତନତା ସୃଷ୍ଟି ଓ ପରିବେଶ ପ୍ରଭାବ ଉପରେ ନଜର ଦିଆଯାଇଥିଲା।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ମହାନଗର ନିଗମମାନଙ୍କ ଦ୍ୱାରା ଆର୍ଥକ ସମ୍ବଳର ପରିଚାଳନା ବିଷୟରେ ଆଲୋଚନା କରାଯାଇଛି। ମହାନଗର ନିଗମମାନେ ସେମାନଙ୍କ କାର୍ଯ୍ୟକଳାପ କରିବା ପାଇଁ ମୁଖ୍ୟତଃ ସରକାରୀ ଅନୁଦାନ ଉପରେ ନିର୍ଭର କରୁଥିଲେ। ତନଖିରୁ ଜଣାପଡ଼ି ପଡ଼ିଛି ଯେ ବର୍ଷାଜଳ ନିଷ୍କାସନ ଓ ସ୍ୱିରେଜ୍ ପରିଚାଳନା ବାବଦକୁ ଖର୍କ କମ୍ ହୋଇଛି। ଏହା ବ୍ୟତୀତ ଉପକର ଓ ଉପଭୋକ୍ତା ଶୁକ୍ଳ ଆଦାୟ ନ କରିବା ଯୋଗୁଁ ମହାନଗର ନିଗମଗୁଡ଼ିକର ରାଜସ୍ୱ ହ୍ରାସ ପାଇଥିଲା। ଦ୍ୱିତୀୟରେ ‘ମାଷ୍ଟର ପ୍ଲାନ’ ଅଭାବରୁ ଏମ୍‌ସି, ଓଡବ୍ଲ୍ୟୁଏଏସ୍‌ଡି ପକ୍ଷରୁ ବନ୍ୟାଜଳ ଡ୍ରେନ ଓ ସ୍ୱିରେଜ୍ ପରିଚାଳନା ପାଇଁ ପାଣ୍ଠିର ବି ପୂର୍ଣ୍ଣ ବିନିଯୋଗ ହୋଇନାହିଁ। ମାତ୍ର ସରକାରୀ ଅର୍ଥର ଅପବ୍ୟୟ ହୋଇଛି। କନସଲଟାନ୍ସି ସେବା ପାଇଁ ଜିଏସ୍‌ଟି ଓ ସେବା କର ଛାଡ଼ ଯୋଗୁଁ ରାଜ୍ୟ ରାଜକୋଷରୁ ୩୦ କୋଟି ୧୧ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଛି।

ସିଏଜି ପୁଣି କହିଛନ୍ତି ଯେ ମହାନଗର ନିଗମମାନେ ଡ୍ରେନ୍‌କୁ ସ୍ଲାବରେ ଢାଙ୍କି ଯାତ୍ରୀଙ୍କୁ ପର୍ଯାପ୍ତ ସୁରକ୍ଷା ଦେଇ ନଥିଲେ। ଫଳରେ ଅଘଟଣ ଘଟିଛି। ସେହିପରି ସ୍ୱରେଜ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିରେ ତ୍ରୁଟି ଯୋଗୁଁ ୩,୦୪୫.୪୪ କୋଟି ଟଙ୍କା ବିନା କାରଣରେ ବ୍ୟୟ ହୋଇଛି। ଅନ୍ୟପକ୍ଷରେ ଦୟା ପଶ୍ଚିମ ଜଳସେଚନ କେନାଲ ଏକ ସ୍ୱିରେଜ୍ ବର୍ଜ୍ୟଜଳ ଡ୍ରେନରେ ପରିଣତ ହୋଇଯାଇଛି। କୁଆଖାଇ ନଦୀର ଜଳ ଦୂଷିତ ହେବା ସହ ସ୍ଥାନୀୟ ପରିବେଶ ବିଧ୍ୱସ୍ତ ହୋଇଛି। ବାୟୋକେମିକାଲ ଅମ୍ଳଜାନ ଚାହିଦା, ମୋଟ କୋଲିଫର୍ମ ଏବଂ ଫିକାଲ କୋଲିଫର୍ମ ଅନୁମୋଦିତ ସୀମା ଠାରୁ ଅଧିକ ରହିଛି। ଏଥିପାଇଁ ରାଜ୍ୟ ସରକାର ଦୂଷିତ ଜଳକୁ ତଳମୁଣ୍ଡରେ ଥିବା ୮୩୫ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଗାଇ ଦିଆଯାଇଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ଆବଶ୍ୟକ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଏଏମ୍‌ସି, ଓଡବ୍ଲ୍ୟୁଏସ୍ ଏସ୍‌ବି, ୱାଟ୍‌କୋ, ବିଏସ୍‌ସିଏଲ୍ ଏବଂ ଆରଏସ୍‌ସିଏଲ ନିଜ ନିଜ ଅଧୀନରେ ଏମ୍‌ଡବ୍ଲ୍ୟୁଡି ଏବଂ ସ୍ୱିରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ବିଶେଷକରି ବନ୍ୟା ଜଳ ନିଷ୍କାସନ ଓ ସ୍ୱିରେଜ୍ ପରିଚାଳନାର ଉପରେ ବେଶି ଦୃଷ୍ଟି ନିକ୍ଷେପ କରାଯାଇଛି। ଅଡ଼ିଟରୁ ଯାହା ଜଣାପଡ଼ିଛି, ଚୁକ୍ତି ରଦ୍ଦ ନହେବା କାରଣରୁ କଟକ ଡ୍ରେନେଜ୍ ପ୍ରକଳ୍ପ ପାଇଁ ନଅ ବର୍ଷ ନଷ୍ଟ ହେବା ସହ ୨୪୯.୨୧ କୋଟି ଟଙ୍କା ଅପବ୍ୟୟ ହୋଇଛି। ଏହି ୫ଟି ମହାନଗର ନିଗମରେ ଉତ୍ପନ୍ନ ହେଉଥିବା ୫୫୮.୬୪ ଏମ୍‌ଏଲଡି ସ୍ୱିରେଜ୍ ବର୍ଜ୍ୟବସ୍ତୁ ମଧ୍ୟରୁ କେବଳ ୫୨.୯୭ ଏମଏଲ୍‌ଡିି (୯.୪୮%) ସ୍ୱିରେଜ୍ ବର୍ଜ୍ୟବସ୍ତୁ ମଧ୍ୟରୁ ବର୍ତ୍ତମାନର ସ୍ୱିରେଜ ପ୍ରଣାଳୀ ଦ୍ୱାରା ସଂଗ୍ରହ କରାଯାଉଛି। ଅବଶିଷ୍ଟ ୫୦୫.୬୭ ଏମଏଲଡି (୯୦.୫୨%) ସଂଗୃହିତ ହୋଇନାହିଁ। ଏସବୁ କାରଣରୁ ଜଳାଶୟଗୁଡ଼ିକର ଜଳ ଦୂଷିତ ହୋଇଛି। ଅନ୍ୟପକ୍ଷରେ ସ୍ୱିରେଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବା କାରଣରୁ ଭୁବନେଶ୍ୱରର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ୱିରେଜ୍ ଜିଲ୍ଲା ପାଇଁ ଯଥାକ୍ରମେ ୧୨ ବର୍ଷ ସମୟ ନଷ୍ଟ ହେବା ସହି ୫୫୦.୦୭ କୋଟି ଟଙ୍କାର ଖର୍ଚ୍ଚ ବୃଦ୍ଧି ହୋଇଥିଲା। ଏଥିପାଇଁ ସିଏଜି ଆଶ୍ଚର୍ଯ୍ୟ ପ୍ରଟକ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking