25.1 C
Bhubaneswar
Saturday, January 18, 2025
Homeଓଡିଶାଏଏସ୍‌ଓ ଚାକିରି ବିକ୍ରି ପ୍ରସଙ୍ଗ ନେଇ ହଟ୍ଟଗୋଳ; ଗୃହ ଭିତରେ ହଙ୍ଗମା, ବାରମ୍ବାର ମୁଲତବୀ

ଏଏସ୍‌ଓ ଚାକିରି ବିକ୍ରି ପ୍ରସଙ୍ଗ ନେଇ ହଟ୍ଟଗୋଳ; ଗୃହ ଭିତରେ ହଙ୍ଗମା, ବାରମ୍ବାର ମୁଲତବୀ

– ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ତଦନ୍ତ କରି ପ୍ରମାଣିତ କରନ୍ତୁ: ବିଜେଡି

ଭୁବନେଶ୍ୱର: ଏଏସ୍‌ଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ଆଜି ଗୃହ ଅଚଳ ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେଡି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖରେ ପ୍ରବଳ ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲେ। ଫଳରେ ଅସ୍ୱାଭାବିକ ସ୍ଥିତି କାରଣରୁ ଗୃହ ପରିଚାଳନା କରିବା ସମ୍ଭବ ନହେବାରୁ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ମୁଲତବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଗୃହ ଭିତରେ ଓ ବାହାରେ ସ୍ଥିତି ଉଷ୍ଣ ରହିଥିଲା। ବିଜେଡି ଓ ବିଜେପି ସଭ୍ୟ ବସ୍ତୁତଃ ମୁହାଁମୁହିଁ ହୋଇଥିଲେ।

ବାଚସ୍ପତି ସୁରମା ପାଢୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା କ୍ଷଣି ବିରୋଧୀ ବିଜେଡି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ହାଏ..ହାଏ.. ସିଏମ୍ ବିବୃତ୍ତି ଆମର ଦାବି.. ଆମର ଦାବି… ଶ୍ଲୋଗାନ ଦେଇ ଗୃହକୁ କମ୍ପାଇ ଦେଇଥିଲେ। ଏହି ହୋହାଲ୍ଲା ଭିତରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ, ମୁଖ୍ୟମନ୍ତ୍ରୀ ଶସ୍ତା ବିବୃତି ଦେଇଛନ୍ତି। ବିଗତ ସରକାର ସମୟରେ ଚାକିରି ବିକ୍ରି ହେଉଥିଲା, ମୋ ପାଖରେ ପ୍ରମାଣ ଅଛି। ଯେଉଁମାନେ ବିକ୍ରି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନିର୍ଦ୍ଧିଷ୍ଟ ଭାବେ କହିଥିଲେ, ୨୦ରୁ ୩୦ ଲକ୍ଷ ଟଙ୍କାରେ ହାଟ ବଜାରରେ ଚାକିରି ବିକ୍ରି ହୋଇଛି। ଏହା ଅପମାନଜନକ। ଲକ୍ଷ ଲକ୍ଷ ପିଲା ଚାକିରି ପାଇଛନ୍ତି। ସେମାନଙ୍କ ମନୋବଳ ଭାଙ୍ଗୁଛି। ଯଦି ଦୁର୍ନୀତି ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରମାଣ ଅଛି, ଛଅ ମାସ ହେଲା କାହିଁକି ବସିଛନ୍ତି? ତାଙ୍କ ପାଖରେ ଇଡି, ସିବିଆଇ ଅଛି ସମସ୍ତ ତଦନ୍ତକାରୀ ସଂସ୍ଥା ଅଛି। ଶସ୍ତା ବକ୍ତବ୍ୟ ଓ ଶବ୍ଦ ପ୍ରୟୋଗ କରି ପୂର୍ବ ସରକାରକୁ ଅପମାନ ଦିଆଯାଇଛି। ଏହାକୁ ବିଧାନସଭା ପ୍ରୋସିଡିଙ୍ଗସରୁ ବାଦ୍ ଦିଆଯାଉ। ଏହା ପରେ ବିଜେଡି ସଭ୍ୟମାନେ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ।

ବିଜେଡି ସଦସ୍ୟମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିଜେଡି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତିଙ୍କୁ ଅଣଦେଖା କରି ବିଜେଡି ସଦସ୍ୟମାନେ ଗୃହରେ ପ୍ରବଳ ହୋ ହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଅନୁରୂପ ସ୍ଥିତି ଉପୁଜିଥିଲା। ବିଜେଡି ସଭ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପରିସ୍ଥିତି ବଦଳି ଯାଇଥିଲା। ବିଜେଡି ସଦସ୍ୟମାନେ ନିଜ ସିଟ୍‌ରେ ଚୁପଚାପ ବସିଥିବା ବେଳେ କଂଗ୍ରେସ ଆଦାନୀକୁ ଜମି ଯୋଗାଣ ଓ ଲାଞ୍ଚକାରବାର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା।

ହେଲେ ଗୃହ ବାହାରେ ବିଜେଡି ଓ ବିଜେପି ସଭ୍ୟଙ୍କ ମଧ୍ୟରେ ବୟାନବାଜି ଚାଲିଥିଲା। ବିଜେପି ବିଧାୟକ ମାନସ ଦତ୍ତ କହିଥିଲେ, ଗତ ସରକାରରେ ପରୀକ୍ଷାରେ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେତେବେଳେ କାହିଁକି ସିବିଆଇ ତଦନ୍ତ ଦେଲେ ନାହିଁ। ଏବେ ଯେହେତୁ ବିରୋଧୀଙ୍କ ହାତରେ କିଛି ପ୍ରସଙ୍ଗ ନାହିଁ ସେଥିପାଇଁ ଅପ୍ରସଙ୍ଗେ ପ୍ରସଙ୍ଗ କରୁଛନ୍ତି। ବିଧାନସଭା ସଭାରେ ଅନେକ ଫୋରମ ରହିଛି ଏ ପ୍ରସଙ୍ଗକୁ ଉଠାଇପାରିଥାନ୍ତେ। ପ୍ରଶ୍ନ କଳକୁ ବନ୍ଦ୍ କରିବା ଠିକନୁହେଁ ବୋଲି ସେ କହଥିଲେ। ସେହିପରି ବିଜେଡି ବିଧାୟକ ଗୌତମ ବୁଧ ଦାସ କହିଥିଲେ, ଗତକାଲି ବିଧାନସଭାରେ ପ୍ରଶ୍ନପତ୍ର ନେଇ ସଂଶୋଧନ ବିଲ ଆସିଲା, ମୁଖ୍ୟମନ୍ତ୍ରୀ ସାଙ୍ଘାତିକ କଥା କହିଲେ। ସେ କହିଲେ ୩୦ ଲକ୍ଷରେ ଆସ ଏଏସ୍‌ଓ ଚାକିରୀ ବିକ୍ରି ହୋଇଥିଲା ପୂର୍ବ ସରକାରରେ। ମୁଖ୍ୟମନ୍ତ୍ରୀ ଏପରି କହିବା ଶୋଭନୀୟ ନୁହେଁ। କିଏ ଲାଞ୍ଚ ନେଇ ଚାକିରୀ ଦେଲା, ତଦନ୍ତ କରନ୍ତୁ। ସରକାର ତାଙ୍କର. ଉଈଓ ତଦନ୍ତ କରନ୍ତୁ। କିଏ ଲାଞ୍ଚ ନେଇଛନ୍ତି ଓ କିଏ ଲାଞ୍ଚ ନେଇ ଚାକିରୀ ପାଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ. ନ ହେଲେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ, ପରୀକ୍ଷାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସରକାର ଆଇନ ଆଣିଛନ୍ତି। ଏହାକୁ ବିରୋଧ କରିବା ଘୃଣ୍ୟ ଓ ଲଜ୍ଜିତ କଥା। କେଉଁ ସାଧବ ପୁଅ ବଣିକ ହୋଇ ଚାକିରୀ ଏବଂ ନିଯୁକ୍ତି ପତ୍ର ବାଣ୍ଟୁ ଥିଲେ ଏବଂ ଟଙ୍କା ଆଣି ପାର୍ଟିକୁ ଦେଉଥିଲେ। ଏବେ ମାନନ୍ତୁ ୨୫ ନା ୩୦ ନା ୪୦ ଲକ୍ଷ କେତେ ନେଉଥିଲେ? ପ୍ରଶ୍ନ କରି ସେ କଟାକ୍ଷ କରିଥିଲେ। ଅନ୍ୟପକ୍ଷରେ ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ବିଧାନସଭା ଏକ ପବିତ୍ର ଗୃହ। ଏଠି ଦାୟିତ୍ୱପୂର୍ଣ୍ଣ ଭାବେ ବକ୍ତବ୍ୟ ରଖିବା କଥା। ଗୁଲିଖଟି କଲାଭଳି ବିଧାନସଭାରେ ବକ୍ତବ୍ୟ ରଖାଯାଉଛି। ୨୫ ରୁ ୩୦ ଲକ୍ଷ ଟଙ୍କାରେ ହାଟ ବଜାରରେ ମିଳୁଛି। ୬ ମାସ ହେଲା ସରକାରକୁ ଆସିଲେଣି ସେକଥାକୁ ବାହାର କରାଯାଉ। ଯଦି ନିଯୁକ୍ତିରେ ଦୁର୍ନୀତି ହୋଇଛି, ସେତେବେଳେ ସେମାନେ ବିରୋଧୀ ଦଳରେ, ତାଙ୍କ ସରକାର କେନ୍ଦ୍ରରେ ଥିଲେ ତଦନ୍ତ କଲେନି। ଓପିଏସସି ଷ୍ଟାଫ ସିଲେକ୍ସନ, ହଜାର ହଜାର ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଜେଆର୍‌ଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସେମାନଙ୍କ ପାଇଁ ଅପମାନ ଜଣଙ୍କ ମନ୍ତବ୍ୟ। କେତେବେଳେ ବି ଯୁକ୍ତିଯୁକ୍ତ ନୁହେଁ। ବିରୋଧୀ ଦଳର ଥିବାବେଳେ ଯେମିତି ମାନସିକତା ଥିଲା ସେମିତି ମାନସିକତା ଅଛି। ତଦନ୍ତ କରନ୍ତୁ, ସାମ୍ନାକୁ ଆଣନ୍ତୁ। ନିଯୁକ୍ତି ସ୍ୱଛତା ଭିତିରେ ହୋଇଛି। ରାଜନୈତିକ ବୟାନବାଜି ଭିତରେ ହଜାର ହଜାର ପିଲାଙ୍କ ଭିତରେ ନୈରାଶ ଖେଳାଇଦେଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking