25.1 C
Bhubaneswar
Saturday, January 18, 2025
Homeଓଡିଶାଭୁବନେଶ୍ୱର ଏମ୍‌ସରେ ୩୧ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ଏମ୍‌ସରେ ୩୧ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ତିନିମାସ ମଧ୍ୟରେ ଏମ୍‌ସ ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି) ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆରଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି। ଉପରୋକ୍ତ ପ୍ରକ୍ରିୟା ଏଚ୍‌ଆଇଭି ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପ୍ରତିରୋଧ, ନିରାକରଣ ଏବଂ ଯତ୍ନ ପାଇଁ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ବୋଲି ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ, ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେନତନା ସୃଷ୍ଟି ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ଏବଂ ଟ୍ରାନ୍ସଫ୍ୟୁଜନ୍ ଏବଂ ବ୍ଲଡ ବ୍ୟାଙ୍କ ବିଭାଗ ଦ୍ୱାରା, ଓଡ଼ିଶା ରାଜ୍ୟ ଏଡସ୍ ସୋସାଇଟି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶେଷଜ୍ଞ ଏଡ୍‌ସକୁ ନେଇ ଉପାଦେୟ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ମାଗଣା ଏଚ୍‌ଆଇଭି ପରୀକ୍ଷା ଶିବିର ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଅୟୋଜିତ ହୋଇଥିଲା। ଏହି ଶିବିରରେ ୪୫ ଜଣ ବ୍ୟକ୍ତି ଏଚ୍‌ଆଇଭି ପରୀକ୍ଷା କରାଇଥିଲେ। ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଆଠଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଏମ୍‌ସ ଭୁବନେଶ୍ୱର ଅନ୍ୟତମ। ଏହି ଜାତୀୟ ଅନୁଷ୍ଠାନର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟରେ ଏଡ୍‌ସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ଆସନ୍ତା ଜାନୁୟାରୀରେ ୧୯ତମ ରାଉଣ୍ଡ ଏଚ୍‌ଆଇଭି ସେଣ୍ଟିନେଲ ସର୍ଭିଲାନ୍ସ ଆୟୋଜନ ହେବ। ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଏଚ୍‌ଆଇଭି ମହାମାରୀ ଥିବାବେଳେ ପ୍ରାୟ ୨୪.୬୭ ଲକ୍ଷ ଲୋକ ଏଚ୍‌ଆଇଭିରେ ବାସ କରୁଛନ୍ତି। ଦେଶ ଏଆରଟି (୬୮%)କଭରେଜରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ୫୨,୦୦୦ ପିଏଲ୍ ଏଚ୍‌ଆଇଭି ସହିତ ଓଡ଼ିଶାରେ ଏଚ୍‌ଆଇଭି ପ୍ରାଦୁର୍ଭାବ ହାର ୦.୧୪ ପ୍ରତିଶତ ରହିଛି। ଏଆରଟି କଭରେଜ୍ ୪୯ ପ୍ରତିଶତ ରହିଛି। ଏହି ପରିସଂଖ୍ୟାନ ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ନିରନ୍ତର ନିରାକରଣ, ଚିକିତ୍ସା ଏବଂ ଯତ୍ନ ନିଶ୍ଚିତ କରିବାକୁ ନିରନ୍ତର ପ୍ରୟାସର ଆବଶ୍ୟକତାକୁ ଦର୍ଶାଏ। ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ବିନୋଦ କୁମାର ପାତ୍ରୋ, ଡ. ଅନୁପମ ଦେ, ଡ. ବିଜୟିନୀ ବେହେରା, ଡ. ବିନୋଦ କୁମାର ବେହେରା, ଡ. ଅରବିନ୍ଦ କୁମାର ସିଂ, ଡ. ଅଂଶୁମାନ ସାହୁ, ଡ. ଧ୍ରିତିମାନ ଏବଂ କେଏନପି ପ୍ଲସ୍‌ର ପ୍ରଭାସିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking