ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲସ୍କର କମାଣ୍ଡର ହାଶିମ ମୂସା ନିହତ । ସୁରକ୍ଷାକର୍ମୀଙ୍କ ବଡ଼ ଅଭିଯାନ । ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାର ୟୁସମର୍ଗ ଅଞ୍ଚଳରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ଲଶ୍କର-ଏ-ତୈବାର ଟପ୍ କମାଣ୍ଡର ଭାବେ ପରିଚିତ ହାଶିମ ମୂସା ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟବେଳେ ନିହତ ହୋଇଥିବା ସୂଚନା ମିଳିଛି ।
ସେପ୍ଟେମ୍ବର ୨୯ ତାରିଖ ରାତିରୁ ୟୁସମର୍ଗର କୋରାଗ ଅଞ୍ଚଳରେ ସ୍ଥାନୀୟ ପୁଲିସସହ ମିଶି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ଭାରତୀୟ ସେନା । ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ CRPFକୁ ମିଳିଥିବା ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଏହି ଯୁଗ୍ମ ଛାନବିନ ଅଭିଯାନ ଆରମ୍ଭ ହୋଇଛି । ଏହି ସମୟରେ ସୁରକ୍ଷାବଳ ସନ୍ଦିଗ୍ଧ ଗତିବିଧି ଦେଖିଥିଲେ । ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା । ପରେ ତାଙ୍କ ପରିଚୟ ହାଶିମ ମୂସା ଭାବେ କରାଯାଇଥିଲା ।ରିପୋର୍ଟ ଅନୁସାରେ, ମୂସା ପୂର୍ବରୁ ସେପ୍ଟେମ୍ବର ୫ରେ ୟୁସମର୍ଗ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଏକ ମୁକାବିଲାରୁ ଖସି ପଳାଇଥିଲା । ସେହି ଘଟଣାରେ ତା’ର ଘନିଷ୍ଠ ସହଯୋଗୀ ୟାସିର ନିହତ ହୋଇଥିବା ଅଧିକାରୀମାନେ କହିଥିଲେ । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମୂସାଙ୍କୁ ଖୋଜୁଥିଲେ।










