ପୋଲସରା: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କା ଦେଇ ଘୋଷାଡି ନେଲା ବସ । ଦୁର୍ଘଟଣାରେ ଅଟୋରେ ଯାଉଥିବା ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଅଟୋରେ ୧୦ ଜଣ ଯାତ୍ରୀ ମାଂ ସିହାସିନୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅଟୋକୁ ବସଟି ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଅଟୋଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ଘଟଣା ଘଟାଇ ଦୁର୍ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ଅଛି । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଆଉ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ପାଖାପାଖି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଖବର ପାଇ କୋଦଳା ଏବଂ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।










