33.1 C
Bhubaneswar
Friday, May 17, 2024
Homeଓଡିଶାରାଜଧାନୀରେ ପୁଣି ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ପୁଣି ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଗତ କାଲି ରାତିରେ ରାଜଧାନୀ ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରେ ଘଟାଇଛନ୍ତି ସିରିଜ ଲୁଟ୍ । ଆପାର୍ଟମେଣ୍ଟର ୩ଟି ବ୍ଲକର ୩ଟି ଫ୍ଲାଟରେ କଲାକନା ବୁଲାଇଛନ୍ତି ଲୁଟେରା । ରାତି ୩:୩୨ରୁ ୪:୧୨ ମଧ୍ୟରେ ମାତ୍ର ୪୦ ମିନିଟ୍‌ରେ ବ୍ଲକ-ବିର ୩୦୩, ବ୍ଲକ-ସିର ୩୦୮ ଏବଂ ବ୍ଲକ-ଡିର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ବ୍ଲକ-ବିରେ ୩୦୩ରେ ଫ୍ଲାଟରେ ଜଣେ ଯାଜପୁରର ବ୍ୟବସାୟୀ ରହୁଥିଲେ, ବ୍ଲକ୍‌-ସି ୩୦୮ ଫ୍ଲାଟରେ ଜଣେ ଆଇଟି ପ୍ରଫେସନାଲଙ୍କ ଏବଂ ବ୍ଲକ-ଡି ୩୦୮ରେ ଜଣେ ବିଚାରପତି ରହୁଥିବା ବେଳେ ଉକ୍ତ ୩ଟି ଫ୍ଲାଟରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ଲୁଟେରାମାନେ ସୁନା ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପାହାଳ ଥାନା ପୁଲିସ ଘଟଣସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ସେଠାରେ ଥିବା ସିସିଟିଭିରେ ଲୁଟପାଟର ସମ୍ପୁର୍ଣ୍ଣ ଦୃଶ୍ୟ କଏଦ ହୋଇଛି । ଯେଉଁ ଘରକୁ ଟାର୍ଗେଟ୍ କରି ମିଶନ ଆରମ୍ଭ କରିଥିଲେ ଲୁଟେରା, ସେହି ଘରେ କେହିନଥିଲେ । ସେହି ଆପାର୍ଟମେଣ୍ଟରେ ରାତି ପାଇଁ ନିଯୁକ୍ତ ଥିଲେ ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ । ଯାହାର ଫାଇଦା ନେଇ ଆପାର୍ଟମେଣ୍ଟରେ ପଶିବା ପରେ ଦୁର୍ବୃତ୍ତ ପ୍ରଥମେ ଗେଟରେ ତାଲା ଭାଙ୍ଗିଲା । ତା’ପରେ ଖଣ୍ଡେ ଖଣ୍ଡେ ଅନ୍ତବସ୍ତ୍ର ପିନ୍ଧିଥିବା ୩ ଲୁଟେରା ପଶିଲେ ଘର ଭିତରେ । ଏଭଳି ଭାବେ ଗୋଟିଏ ପରେ ଗୋଟିଏ ଫ୍ଲାଟରେ ପଶି କେଉଁଠୁ ଟଙ୍କା ତ କେଉଁଠୁ ସୁନା ଅଳଙ୍କାର ଲୁଟି ସେଠାରୁ ଖସିଯାଇଥିଲେ । ସେମାନେ ଦେହରେ ପୋଷାକ କି ପାଦରେ ଚପଲ କିମ୍ବା ଜୋତା କିଛି ପିନ୍ଧି ନଥିଲେ । ଲୋକଙ୍କ କାବୁରୁ ବର୍ତ୍ତିବା ପାଇଁ ଅଭିନବ ଫଣ୍ଡା ଆପଣାଇବା ସହ ଲୁଟପାଟ୍ କରି ଖସିଯାଇଛନ୍ତି ସମସ୍ତେ । ରାଜଧାନୀରେ ବାରମ୍ବାର ଲୁଟ ହେବା ପରେ କମିଶନରେଟ ପୁଲିସ କିଛି ଦିନ ପୂର୍ବେ ଆପାର୍ଟମେଣ୍ଟ ସୁରକ୍ଷା ପାଇଁ ବୈଠକ ଡାକି ଆପାର୍ଟମେଣ୍ଟରେ କିଭଳି କଡା ସୁରକ୍ଷା ବ୍ୟବସ୍ଥା ହୋଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଲୁଟକୁ ରୋକିବାକୁ ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଥିଲା । ବିଭିନ୍ନ ଅତ୍ୟାଧୁନିକ ମେସିନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେବା ସହିତ ନିକଟସ୍ଥ ଥାନାର ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରଖିବାକୁ କୁହାଯାଇଥିଲା । ଫଳରେ ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ସିକ୍ୟୁରିଟି ଗାର୍ଡ । ହେଲେ ଏବଂ କମିଶନରେଟ ପୁଲିସର ସମସ୍ତ ଯୋଜନା ଫେଲ ମାରିଛି । ବୈଠକର କିଛି ଦିନ ବିତିଛି କି ନାହିଁ ପୁଣି ଲୁଟ ହୋଥିବାରୁ ରାଜଧାନୀରେ ପୁଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ । ପେଟ୍ରୋଲିଂ ଅଭାବ ଯୋଗୁଁ ଲୁଟ ବଢୁଛି ବୋଲି ଅଭିଯୋଗ କରିଛନ୍ତି ଆପାର୍ଟମେଣ୍ଟବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking