ଭୁବନେଶ୍ୱର : ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ । ତା’ସାଙ୍ଗକୁ ଦାଉ ସାଧିଛି ବିଦ୍ୟୁତ୍ କାଟ୍ । ଲୋକଙ୍କୁ ଏହା ଖୁବ୍ ବାଧୁଛି । ଗ୍ରାମାଞ୍ଚଳରେ ଲୋକେ ବେଶି ଆଉଟ୍ପାଉଟ୍ ହେଉଛନ୍ତି । ଏଭଳି ସ୍ଥିତିରେ ଶକ୍ତି ବିଭାଗ ଭିତ୍ତିଭୂମି ସଜାଡ଼ିବା ତ ଦୂରେ ଥାଉ ବଜେଟ୍ ଅର୍ଥ ବି ଧାର୍ଯ୍ୟ ସମୟ ଭିତରେ ଓ ଆନୁପାତିକ ହାରରେ ଖର୍ଚ୍ଚ କରିପାରିନାହିଁ । ବର୍ତ୍ତମାନ ସୁଦ୍ଧା ମୋଟ୍ ବ୍ୟୟବରାଦର ୧୫.୦୭% ଅର୍ଥ ଖର୍ଚ୍ଚ ହୋଇଛି । ଅର୍ଥାତ ୨୩୪୭.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ଖର୍ଚ୍ଚ କରିନପାରିବା ବିଭାଗ ତାଲିକାରେ ଶକ୍ତି ବିଭାଗ ସର୍ବାଗ୍ରେ ରହିଛି । ସେହିପରି ଶିଳ୍ପ ବିଭାଗ ବି ବର୍ତ୍ତମାନ ସୁଦ୍ଧା ୨୩.୫୨% ଓ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍ଡି) ୩୦.୨୬% ବ୍ୟୟ କରି ପଛରେ ପଡ଼ଛନ୍ତି ।
ଓଡ଼ିଶା ସରକାରଙ୍କ ଅଧିନରେ ମୋଟ୍ ୪୦ଟି ବିଭାଗ ରହିଛି । ଏଥିରେ ଗୃହ, ପୂର୍ତ୍ତ, କୃଷି, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ୍, ରାଜସ୍ୱ, ଜଳସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଯୋଜନା ଓ ସଂଯୋଜନ ଭଳି ୨୫ଟି ବିଭାଗ ବଜେଟ୍ ଅର୍ଥ ସଠିକ୍ ସମୟରେ ଖର୍ଚ୍ଚ କରିପାରିଛନ୍ତି । ହେଲେ ୧୫ଟି ବିଭାଗ ବର୍ତ୍ତମାନ ବଜେଟ୍ ଅର୍ଥ ଆନୁପାତିକ ଭାବେ ଖର୍ଚ୍ଚ କରିପାରିନାହାନ୍ତି । ଶକ୍ତି ବିଭାଗର ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟୟବରାଦ ୩୯୪୧.୯୬ କୋଟି ହୋଇଥିଲାବେଳେ ବର୍ତ୍ତମାନସୁଦ୍ଧା ଖର୍ଚ୍ଚ ହୋଇଛି ୫୯୩.୧୯ କୋଟି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟୟବରାଦ ୬୦୬୬.୨୪ କୋଟି ହୋଇଥିଲାବେଳେ ୧୮୩୫.୯୨ କୋଟି ଖର୍ଚ୍ଚ ହୋଇଛି । ହେଲେ ୪୨୩୦.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ଶିଳ୍ପ ବିଭାଗର ବ୍ୟୟବରାଦ ୪୩୦.୯୮ କୋଟି ହୋଇଥିଲାବେଳେ ୧୦୧.୩୫ କୋଟି ଅର୍ଥ ଖର୍ଚ୍ଚ ହୋଇଛି ।
ଅର୍ଥାତ ୨୩.୫୨% ଖର୍ଚ୍ଚ ହୋଇଛି । ବାକି ୭୬.୪୮% ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ବାଣିଜ୍ୟ ବିଭାଗର ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟୟବରାଦ ୧୩୦.୯୪ କୋଟି ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୪୯.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ ୩୭.୬୩% ଅର୍ଥ ବ୍ୟୟ ହୋଇଛି । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବ୍ୟୟବରାଦ ୩୮୦୩.୩୮ ଟଙ୍କା ହୋଇଥିଲାବେଳେ ୧୮୩୮.୪୪ କୋଟି ଟଙ୍କ ଖର୍ଚ୍ଚ ହୋଇଛି । ଏହାର ପରିମାଣ ୪୮.୩୪% । ଶ୍ରମ ଓ ରାଜ୍ୟ ର୍କମଚାରୀ ବୀମା ବିଭାଗର ବ୍ୟୟବରାଦ ୨୨୦.୨୭ କୋଟି ହୋଇଥିଲାବେଳେ ୮୬.୯୨ କୋଟି ବ୍ୟୟ ହୋଇଛି ।
ଖର୍ଚ୍ଚର ହାର ହେଉଛି ୩୯.୮୬% । କ୍ରୀଡା ଓ ଯୁବସେବା ବିଭାଗର ବ୍ୟୟବରାଦ ୫୯୯.୮୮ କୋଟି ହୋଇଥିଲାବେଳେ ୨୫୭.୧୨ କୋଟି ବ୍ୟୟ ହୋଇଛି । ଖର୍ଚ୍ଚର ହାର ହେଉଛି ୪୨.୮୬% । ପରିବହନ ବିଭାଗ ପାଇଁ ବ୍ୟୟବରାଦ ୯୮୮.୩୮ କୋଟି ହୋଇଥିଲାବେଳେ ୩୦୨.୧୦ କୋଟି ଖର୍ଚ୍ଚ ହୋଇଛି । ଖର୍ଚ୍ଚର ହାର ହେଉଛି ୩୦.୫୭% । ଇସ୍ପାତ ଓ ଖଣି ବିଭାଗ ପାଇଁ ବ୍ୟୟବରାଦ ୧୩୯.୭୧ କୋଟି ହୋଇଥିଲାବେଳେ ୬୨.୯୩ କୋଟି ବ୍ୟୟ ହୋଇଛି । ଉକ୍ତ ବିଭାଗର ଖର୍ଚ୍ଚର ହାର ୪୫.୦୫% । ବିଜ୍ଞାନ ଓ ବୈଷୟିକ ବିଭାଗର ବ୍ୟୟବରାଦ ୧୩୮.୭୦ କୋଟି ହୋଇଥିଲାବେଳେ ୪୧.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ପର୍ଯ୍ୟଟନ ବିଭାଗର ବ୍ୟୟବରାଦ ୫୩୪.୬୩ କୋଟି ହୋଇଥିଲାବେଳେ ୧୯୧.୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସମବାୟ ବିଭାଗର ବ୍ୟୟବରାଦ ୨୧୯୪.୬୩ କୋଟି ହୋଇଥିଲାବେଳେ ୧୦୦୨.୭୪ କୋଟି ବ୍ୟୟ ହୋଇଛି । ଖର୍ଚ୍ଚର ହାର ରହିଛି ୪୫.୬୯ ପ୍ରତିଶତ । ଅର୍ଥାତ ବର୍ତ୍ତମାନ ସୁଦ୍ଧା ୧୧୮୧.୮୯ କୋଟି ଟଙ୍କା ବ୍ୟୟ ହୋଇନାହିଁ । ସେହିପରି ସରକାରୀ ଉଦ୍ୟୋଗ ବିଭାଗର ବ୍ୟୟବରାଦ ୯.୧୮କୋଟି ହୋଇଥିଲାବେଳେ ୩.୩୯ କୋଟି ଟଙ୍କା ବ୍ୟୟ ହୋଇଛି । ଖର୍ଚ୍ଚ ହାର ୩୬.୯୮ ପ୍ରତିଶତ ରହିଛି ବୋଲି ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଉଲ୍ଲେଖନୀୟ ଯେ ୨୦୨୧-୨୨ରେ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୋଟ୍ ୧.୭୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାନ କରିଥିଲେ ।
ହେଲେ ୨୦୨୨-୨୩ ଆର୍ôଥକ ବର୍ଷର ପ୍ରଥମ ଚାରି ମାସ (ଏପ୍ରିଲରୁ ଜୁଲାଇ) ପାଇଁ ୧ ଲକ୍ଷ ୬ ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରିଥିଲେ ହେଁ ମୋଟ୍ ୨ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ବିଧାନସଭାର ଅନୁମୋଦନ ହୋଇଛି । ଉକ୍ତ ବଜେଟ୍ ବିଗତ ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୧୭.୬% ଅଧିକ ରହିଛି । ଆସନ୍ତା ଜୁନ ଶେଷ ବା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି ।