ଭୁବନେଶ୍ୱର: ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ôଥପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୧୧ ତାରିଖ ହେଉଛି ପ୍ରାର୍ôଥପତ୍ର ଦାଖଲର ଶେଷଦିନ । ଇତିମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ କିଏ ହେବେ, ତାକୁନେଇ ଅଙ୍କକଷା ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ସର୍ବସମ୍ମତିକ୍ରମେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ଦଳୀୟ ନେତୃମଣ୍ଡଳୀ ଜଣାଇଛନ୍ତି ।
ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ, ଏଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଚୟନ କମିଟି ଗଠନ କରାଯାଇଥିଲା । କମିଟି ଶୁକ୍ରବାର ଝାରସୁଗୁଡ଼ା ଯାଇ ସେଠାରେ ଦଳର ବିଭିନ୍ନ ବର୍ଗର ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲା । ବେଲପାହାଡ଼ ଠାରେ ଅନୁଷ୍ଠିତ ହୋଇଥିବା କମିଟି ବୈଠକରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଧାମାଧବ ତ୍ରିପାଠୀ ଓ ବରଗଡ଼ର ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ପ୍ରମୁଖ ସାମିଲ ଥିଲେ । ଏହି ଅବସରରେ ବରିଷ୍ଠ ନେତା ଶ୍ରୀ ପଟେଲଙ୍କ ନାମକୁ ଉପସ୍ଥାପନ କରାଯାଇଥିବା ବେଳେ ସମସ୍ତେ ଏହାକୁ ସମର୍ଥନ କରିଥିଲେ । ଏଣୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀ ପଟେଲଙ୍କ ନାମକୁ ଏଆଇସିସି ପାଖକୁ ପଠାଯିବ ଏବଂ ତାଙ୍କର ପ୍ରାର୍ôଥତ୍ୱ ଉପରେ ଏଆଇସିସି ମୋହର ମାରିବ ବୋଲି ଜଣାପଡ଼ିଛି ।
୭୬ ବର୍ଷ ବୟସ୍କ ଶ୍ରୀ ପଟେଲ୍ ପୂର୍ବରୁ ତିନିଥର ସୁନ୍ଦରଗଡ଼ ବିଧାନସଭାରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୦ରେ ଦ୍ୱିତୀୟ ଥର ବିଧାୟକ ଭାବେ ଜିତିବା ପରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ହୋଇଥିଲେ । ୧୯୯୫ରେ ସେ ତୃତୀୟଥର ଜିତି ବର୍ଷକ ପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାପରେ ଜଙ୍ଗଲ ବିଭାଗ, ସାଧାରଣ ଉଦ୍ଦ୍ୟୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୦୦ ମସିହା ପରଠାରୁ ସେ ଆଉ କୌଣସି ନିର୍ବାଚନ ଜିତିନାହାନ୍ତି । ତେବେ କଂଗ୍ରେସ ସଙ୍ଗଠନରେ ସକ୍ରିୟ ରହିବା ସହ ସେ ବହୁ ଗୁରତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି ।
ପ୍ରକାଶ ଯେ ବ୍ରଜରାଜନଗରରୁ ଲଗାତାର ତିନିଥର କଂଗ୍ରେସ ବିଧାୟକ ଭାବେ ଜିତିଆସିଥିବା ଅନୁପ ସାଏ ୨୦୧୪ରେ ବିଜେଡିରେ ଯୋଗ ଦେବାପରେ କିଶୋର ପଟେଲ ବ୍ରଜରାଜନଗରରୁ ଦଳୀୟ ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ । ହେଲେ ନିର୍ବାଚନରେ ଅନୁପ ଓ କିଶୋର ଦୁଇଜଣ ପରାଜୟବରଣ କରିଥିଲେ । ବିଜେପିର ରାଧାରାଣୀ ପଣ୍ଡା ସେତେବେଳେ ବିଜୟଲାଭ କରିଥିଲେ । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀ ନଦେଇ ମେଣ୍ଟ ସହଯୋଗୀ ସିପିଆଇକୁ ସମର୍ଥନ ଦେଇଥିଲା । ଫଳରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ଭିତରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ବାଜି ମାରିଥିଲେ । ଏବେ ଶ୍ରୀ ମହାନ୍ତିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ନିକଟରେ ବେଲପାହାଡ଼ ଏନଏସି ଅଧ୍ୟକ୍ଷ ପଦ ହାତେଇଥିବା କଂଗ୍ରେସ ଦଳ ଉପନିର୍ବାଚନରେ ଶ୍ରୀ ପଟେଲଙ୍କୁ ପ୍ରାର୍ଥୀ କରି କେତେଦୂର ସଫଳ ହେଉଛି, ତାହା ଦେଖିବାର କଥା । ଅନ୍ୟପଟେ ବିଜେଡି ଏବଂ ବିଜେପି ପକ୍ଷରୁ କିଏ ପ୍ରାର୍ଥୀ ହେଉଛନ୍ତି, ତାକୁ ନେଇ ଏବେ ବି କଳ୍ପନା ଜଳ୍ପନା ଲାଗିରହିଛି ।