ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ମାଲେସିଆ ଅଭିମୁଖେ ଅଗ୍ରସର ହେଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ସାମ୍ନା କରିଛି । ଏଥିରେ ବେଆଇନ ଭାବେ ଯାତ୍ରା କରୁଥିବା ଶତାଧିକ ଲୋକ ଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋହିଗ୍ୟା ଶ୍ରମିକ ଏବଂ ବାଂଲାଦେଶୀ ନାଗରିକ ଥିଲେ । ଏହି ଘଟଣାରେ ଅତିକମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ବାଂଲାଦେଶ ତଟରକ୍ଷୀ ବାହିନୀ ବାହିନୀ ଉଦ୍ୟମ ଜାରି ରଖିଛି । ବାଂଲାଦେଶୀ ଖବରକାଗଜ ଦ ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏହି ଡଙ୍ଗାରେ ରୋହିଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସହିତ ପାଖାପାଖି ୨୫୦ରୁ ୨୮୦ ଲୋକ ଥିଲେ । କୁହାଯାଉଛି ଯେ, ସମୁଦ୍ରରେ ଅନେକ ଦିନ ବିତାଇଲା ପରେ ଏହି ଡଙ୍ଗା ବୁଡି ଯାଇଛି । ଏହି ଘଟଣା ସଂପର୍କରେ ସେତେବେଳେ ଜଣାପଡିଲା, ଯେତେବେଳେ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଜାହାଜ ସମୁଦ୍ରରୁ ୯ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏକ ପ୍ରେସ ବାର୍ତ୍ତାରେ ବାଂଲାଦେଶୀ ତଟରକ୍ଷୀ ବାହିନୀର ଗଣମାଧ୍ୟମ ଅଧିକାରୀ ଲେଫ୍ଟନାଣ୍ଟ ସଚ୍ଚୀର ଆଲମ ସୁଜାନ କହିଛନ୍ତି, ବାଂଲାଦେଶର ପତାକା ଲାଗିଥିବା ଜାହାଜ ଏମଟି ମେଘନା ପ୍ରାଇଡ ଚଟଗାଁରୁ ଇଣ୍ଡୋନେସିଆ ଯାଉଥିଲା ।










