ଯାଜପୁର: ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଏକ ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି। ମୃତକ କଳିଙ୍ଗନଗର ଥାନା ରଣାଗୁଣ୍ଡି ଗ୍ରାମର ରାକେଶ ଜେନା। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ରାକେଶ ନିକଟରେ ଯାଜପୁର ଜିଲ୍ଲାରେ ଗୃହରକ୍ଷୀ ଭାବେ ନବ ନିଯୁକ୍ତି ପାଇଥିଲେ। କିଛିଦିନ ହେବ ପ୍ରଶିକ୍ଷଣ ନେବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରହି ଆସୁଥିଲେ। ଆଜି ସକାଳେ କୌଣସି କାରଣବଶତଃ ରାକେଶ ସାଥୀ କର୍ମଚାରୀଙ୍କ ସହ ନିକଟସ୍ଥ ପୋଖରୀକୁ ଧୋଇ ହେବାକୁ ଯାଇଥିବା ବେଳେ ପୋଖରୀରେ ଗୋଡ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ। ଖବର ପାଇ ଯାଜପୁର ରୋଡ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ଦୀର୍ଘ ସମୟ ପରେ ରାକେଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି।










