ୟୁ.ପି କୌସମ୍ଭୀ ଜିଲା ଅନ୍ତର୍ଗତ ମନୋରୀ ଗ୍ରାମରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । କୌସମ୍ଭୀ ଜିଲାପାଳ ଅମିତ ପାଲଙ୍କ ସୂଚନା ଅନୁଯାୟୀ ବିସ୍ଫୋରଣ ଘଟିବା ପରେ କାରଖାନା ଓ ଏହାର ଆଖପାଖର ପ୍ରାୟ ୧୮ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏସଆରଏନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ୧୧ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବିସ୍ଫୋରଣ ଯୋଗୁ ନିକଟବର୍ତୀ ଅଂଚଳର ୪/୫ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି । ଡଜନେରୁ ଅଧିକ ଦମକଳ ଗାଡ଼ି ନିୟୋଜିତ କରାଯାଇ ନିଆଁକୁ ଆୟତ କରାଯାଇଥିଲା । ଏହି ବିସ୍ଫୋରଣ ଯୋଗୁ ସେହିବାଟ ଦେଇ ଯାଇଥିବା ହାଇ ଭୋଲ୍ଟେଜ ବିଦ୍ୟୁତ ତାର ମଧ୍ୟ ନଷ୍ଟ ହୋଇଯାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତମାନଙ୍କୁ ୫୦,୦୦୦ ଅର୍ଥରାଶି ସହାୟତା ଘୋଷଣା କରିଛନ୍ତି ।










