ଭୁବନେଶ୍ୱର: କୁକୁର ବନ୍ଧ୍ୟାକରଣ ପାଇଁ ବିଏମ୍ସି ଅଣ୍ଟା ଭିଡୁଥିବା ବେଳେ ରାଜଧାନୀରେ କେତେ କୁକୁର ଅଛନ୍ତି ତା’ର ହିସାବ ବିଏମ୍ସି ପାଖରେ ନାହିଁ । ଏଥିରେ କିନ୍ତୁ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯାଇଛି, ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ମଧ୍ୟ ଦିଆସରିଛି । ହେଲେ ସୁରକ୍ଷିତ ବନ୍ଧ୍ୟାକରଣ ପାଇଁ ଏବେ ବି ଅଧା ରହିଛି ଭିତିଭୂମି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ଏପଟେ ସଂଖ୍ୟା ନଜାଣି କେବଳ ଅନୁମାନ ଆଧାରରେ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବାରୁ ବଡ଼ ଦୁର୍ନୀତି ହେବା ଆଶଙ୍କା ମଧ୍ୟ ରହିଛି ।
ରାଜଧାନୀ ଗଳିକନ୍ଦିରେ ବୁଲାକୁକୁର ଉତ୍ପାତ କରୁଥିବା ବେଳେ ହାଇକୋର୍ଟଙ୍କ ରହିତାଦେଶ ଆଳରେ ଦୋଷ ଖସାଇ ଆସୁଥିଲା ବିଏମ୍ସି । ଯେତେବେଳେ ବନ୍ଧ୍ୟାକରଣ ନେଇ ହାଇକୋର୍ଟ ରହିତାଦେଶ ହଟାଇଦେଲେ ସେତେବେଳେ ଅସଲ ସମସ୍ୟା ସାମ୍ନାକୁ ଆସିଛି । କୁକୁର ବନ୍ଧ୍ୟାକରଣ ନେଇ ଜୋରଦାର ପ୍ରସ୍ତତି ଆରମ୍ଭ କରିଦେଇଛି ସତ, ହେଲେ ଭୁବନେଶ୍ୱରରେ କେତେ କୁକୁର ଅଛନ୍ତି, ତା’ର ସଠିକ୍ ହିସାବ ନାହିଁ ବିଏମ୍ସି ପାଖରେ । କେବଳ ଅନୁମାନ ଆଧାରରେ ୨-୩ ଦିନ ମଧ୍ୟରେ ଆରମ୍ଭ କରିବାକୁ ଯାଉଛି କୁକୁର ବନ୍ଧ୍ୟାକରଣ । ଆନୁମାନିକ ଭାବେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୩ ହଜାର କୁକୁର, ଯଦି ରାଜଧାନୀର ଜନସଂଖ୍ୟା ୧୫ ଲକ୍ଷ ହୁଏ, ତେବେ ସେହି ଅନୁପାତରେ କୁକୁର ରହିଥିବେ, ଏପରି ଆକଳନ କରିଛି ଭୁବନେଶ୍ୱର ମହନଗର ନିଗମ । ଏପଟେ ଦିନକୁ ବନ୍ଧ୍ୟାକରଣ ଟାର୍ଗେଟ ୧୦୦ । ୨ ବର୍ଷ ଧରି ଚାଲିବ କୁକୁର ବନ୍ଧ୍ୟାକରଣ କାର୍ଯ୍ୟ । ଏହିପରି ହିସାବ ଲଗାଇ ବିଏମସି ଆଗକୁ ବଢୁଥିବା ବେଳେ ଏ ନେଇ ଅନେକ ପ୍ରଶ୍ନ ଉଠିଛି ।
ବନ୍ଧ୍ୟାକରଣ ପାଇଁ ଗୋଟିଏ କୁକୁରକୁ ୪ ଦିନ ରଖାଯିବ ହେଲେ ଭୁବନେଶ୍ୱରରେ ମାତ୍ର ୩୦୦ କୁକୁରଙ୍କ ପାଇଁ ରହିଛି ୧୦ଟି କେଭ୍ ୧ କୋଟି ଟଙ୍କାରେ ଏହା ନିର୍ମାଣ କରାଯାଇଛି । ତେବେ ୪ ଦିନରେ ୪୦୦ କୁକୁର ରଖିବାକୁ ଜାଗା ନାହିଁ ୨୦୦୮ରୁ କୁକୁର ବନ୍ଧ୍ୟାକରଣ କରି ଆସୁଥିଲା ବିଏମ୍ସି । ଭିତିଭୂମି ଅଭାବ ସହ ବନ୍ଧ୍ୟାକରଣ ସୁରକ୍ଷିତ ଭାବେ ହେଉନଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଏପଟେ ବନ୍ଧ୍ୟାକରଣ କାର୍ଯ୍ୟ ପାଇଁ ଭେଟ୍ ଫର ଆନିମଲ୍ସକୁ ଟେଣ୍ଡର ଦିଆଯାଇଛି । କେବଳ ଭିତ୍ତିଭୂମି ଯୋଗାଇଦେବ ବିଏମ୍ସି କୁକୁର ଧରିବାଠାରୁ ବନ୍ଧ୍ୟାକରଣ କରି ଛାଡ଼ିବା ପର୍ଯ୍ୟନ୍ତ ଦାୟିତ୍ୱ ନେବ ଭେଟ୍ ଫର ଆନିମଲ୍ସ । ଏଥିପାଇଁ ଭେଟ୍ ଫର ଆନିମଲ୍ସକୁ ପ୍ରତି କୁକୁର ପିଛା ୧୬୫୦ ଟଙ୍କା ଦିଆଯିବବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।