29.1 C
Bhubaneswar
Sunday, May 19, 2024
Homeଓଡିଶାଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଜନୈତିକ ଚିଠା ପ୍ରସ୍ତାବ
ଭୁବନେଶ୍ୱର : ଓଡ଼ିଶା ଧନୀ କିନ୍ତୁ ଓଡ଼ିଆ ଆଜି ଗରୀବ । କୋଇଲା, ଲୁହାପଥର, ମାଙ୍ଗାନିଜ, ବକସାଇଟ୍ କ୍ରୋମାଇଟ ଭଳି ଖଣିଜ ସମ୍ପଦରେ ଭରପୁର ଓଡ଼ିଶା । ସୁଦୀର୍ଘ ୪୮୦କି.ମି.ର ବିସ୍ତିର୍ଣ୍ଣ ବେଳାଭୂମି । ବିସ୍ତୃତ ଜଳସମ୍ପଦ ସତ୍ୱେ ଆମ ରାଜ୍ୟ ଉଭୟ ମରୁଡି ଓ ବନ୍ୟାର ଚିର ସହଚର । ଜଳସମ୍ପଦର ସୁବିନିଯୋଗ କରାଯାଇ ପାରିଲେ ଓଡିଶା କୃଷି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ୧ନଂ ହୋଇପାରିବ । କେବଳ କୃଷି ନୁହେଁ ଜଳ ବିଦ୍ୟୁତ ଉତ୍ପାଦନରେ ମଧ୍ୟ ଓଡ଼ିଶା ଆଗୁଆ ହୋଇପାରିବ । ନିଜ ଦୋଷ ଦୁର୍ବଳତାକୁ ଲୁଚାଇ, ବିଫଳତାକୁ ଘଂଟ ଘୋଡାଇ ମିଥ୍ୟାକୁ ଆଶ୍ରୟ କରି ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କୁ ଅଯଥା ସମାଲୋଚନା କରୁଛି ରାଜ୍ୟ ସରକାର ।
ଆମର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁଁ ଖଣିଜସମ୍ପଦ, ସୁଦୀର୍ଘ ବେଳାଭୂମି ଓ ବ୍ୟାପକ ଜଳସମ୍ପଦର ଅଧିକାରୀ ଆମ ରାଜ୍ୟ । ଶାସନରେ ଥିବା ସରକାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଆମେ ଆଜି ଆର୍ôଥକ ଦୁର୍ଗତି ଦେଇ ଗତି କରୁଛୁ । ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାରଙ୍କ ଜନବିରୋଧୀ ମନଭାବ, ଦୁର୍ନୀତି ଓ ଅପରାଧ ମନବୃତି ଯୋଗୁଁ ଓଡ଼ିଶା ଆଜି ପଛୁଆ । ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ଥିବା ଅପାରଗ ନେତୃତ୍ୱର ସ୍ଥାଣୁ ସରକାରକୁ ବିତାଡିତ କରି ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଜ୍ୟରେ ସରକାର ଅବସ୍ଥାପିତ ହେଲେ ହିଁ ଓଡ଼ିଶା ଓ ଓଡିଆଙ୍କ ସର୍ବାଙ୍ଗିନ ବିକାଶ ସମ୍ଭବ ହୋଇପାରିବ ବୋଲି ଆଜିର ରାଜ୍ୟ କାର୍ଯ୍ୟକାରିଣୀ ଓଡିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଉଛି ।
ସାରା ଓଡ଼ିଶାରେ ସ୍ଥାଣୁତା : ଆଜି ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବଜାରେ । ଜନପ୍ରତିନିଧିମାନେ ଅସହାୟ ଅବସ୍ଥାରେ ଓ ଗଣତନ୍ତ୍ର ବିପଦରେ । ଏହାଦ୍ୱାରା ଓଡ଼ିଶାର ବିକାଶକ୍ଷେତ୍ର ବାଧାପ୍ରାପ୍ତ ହେଉଛି । କିଛିଦିନ ତଳେ ରାଷ୍ଟ୍ରୀୟ ସଭାପତି ମାନନୀୟ ଜଗତ ପ୍ରକାଶ ନଡ୍ଡାଜୀ ଓଡ଼ିଶା ଆଗମନ ସମୟରେ କହିଥିଲେ “ଏ ସରକାରକୁ କିଏ ଚଳାଉଛି ତାହା ଜଣାପଡୁ ନାହିଁ” । ବାସ୍ତବିକ ଏହା ରାଜ୍ୟର ସାଧାରଣ ଜନତା ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସିବା, ବିଭିନ୍ନ ମନ୍ତ୍ରୀ ପ୍ରଶ୍ନକାଳରେ ଉପସ୍ଥିତ ନରହିବା ଏବଂ ଗୃହକୁ (ବିଧାନସଭା) ବାରମ୍ବାର ସମୟ ଅବଧି ପୂର୍ବରୁ ବାତିଲ କରି ଗଣତାନ୍ତ୍ରିକ ପରମ୍ପରାକୁ ନଷ୍ଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ନଡ୍ଡାଙ୍କ ଉତର ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦେବାକୁ ସମର୍ଥ ହେଲେ ନାହିଁ । ରାଜ୍ୟରେ କୌଣସି ଦୀର୍ଘମିଆଦି ଉନ୍ନୟନ କାର୍ଯ୍ୟ ସମ୍ବର୍ଦ୍ଧରେ ଚିନ୍ତା ରଖୁନଥିବା ବିଜେଡି ସରକାର କେନ୍ଦ୍ରର ସମସ୍ତ ଯୋଜନାକୁ ନିଜ ନାମରେ ନାମିତ କରି ଯୋଜନାକୁ ହଡପ କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି । ରାଜ୍ୟରେ ଚାଲିଥିବା ସରକାର ଏକ ସମ୍ବେଦନହୀନ, ଦୁର୍ନୀତିଖୋର ଓ ପ୍ରଚାର ସର୍ବସ୍ୱ ସରକାର ବୋଲି ଆଜି ରାଜ୍ୟ କାର୍ଯ୍ୟକାରିଣୀ ଅନୁଭବ କରୁଛି ।
ଆଇନ ଶୃଙ୍ଖଳା ପରିସ୍ଥିତି
ରାଜ୍ୟ ଓ ରାଜ୍ୟବାସୀଙ୍କ ଧନ ଜୀବନର ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଥିବାବେଳେ ସେଥିରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ । ଶାନ୍ତିପ୍ରିୟ ଓଡ଼ିଶା ଏବେ ଅଶାନ୍ତିର ଶିକାର । ନାଁ ରାଜ୍ୟ ସୁରକ୍ଷିତ ନାଁ ରାଜ୍ୟବାସୀ ସୁରକ୍ଷିତ । ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ଯେ, ଅପରାଧ ଓ ଅପରାଧୀମାନଙ୍କୁ ପୃଷ୍ଟପୋଷକତା କରୁଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀମାନେ । ବିଗତ କିଛି ବର୍ଷର ଲୋମହର୍ଷଣକାରୀ ଓ ଅମାନବୀୟ ଅପରାଧୀକ ଘଟଣାକୁ ଯଦି ସମୀକ୍ଷା କରାଯାଏ ତାହାଲେ ନିସନ୍ଦେହରେ କୁହାଯାଇପାରେ ଯେ, ଶାସକ ଗୋଷ୍ଠୀର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରରୋଚନାରେ ରାଜ୍ୟରେ ହତ୍ୟା, ଧର୍ଷଣ ଓ ଅପହରଣ ଭଳି ସଙ୍ଗିନ ଘଟଣା ଘଟୁଛି । ପେ।।ଲିସ ପୀଡିତ ସପକ୍ଷରେ ଠିଆ ହେବା ପରିବର୍ତେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ଇଙ୍ଗିତରେ ଅପରାଧୀଙ୍କୁ ସୁରକ୍ଷା ଦେଉଛି । ଏପରିକି ଆଇନକୁ ଆଇନ ବାଟରେ ଯିବାକୁ ସର୍ବଦା କହୁଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଦାଗୀମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ପାଖରେ ବସାଇ ଆଇନର ବାଟ ଓଗାଳୁଛନ୍ତି ।
ପ୍ରତିଦିନ ୯ଦୁଷ୍କର୍ମ, ୮ହଜ୍ୟା ଓ ବିଗତ କିଛି ବର୍ଷ ଧରି ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ବିଡମ୍ବନାର ବିଷୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ରାଜ୍ୟ ପୋଲିସ ବିଭାଗର ପାରିବା ପଣିଆ ହେଉଛି ବର୍ଷକୁ ୯ଜଣ ମାତ୍ର ଦଣ୍ଡିତ ହେଉଛନ୍ତି । ମାନ୍ୟବର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦେଇଥିବା ସତ୍ୟପାଠ ଅନୁଯାୟୀ ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡ଼ିଶା ଜନସଂଖ୍ୟା ଅନୁପାତରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନରେ । ସେହିଭଳି ଚୋରୀ, ରାହାଜାନି ଓ ରାସ୍ତା ଦୁର୍ଘଟଣାରେ ସର୍ବାଗ୍ରେ ଓଡିଶା । ଯେଉଁଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ମଦର ବ୍ୟାପକ ପ୍ରସାର ଯୋଗୁଁ ରାଜ୍ୟରେ ଅପରାଧୀକ ଗତିବିଧି ବଢ଼ୁଥିବା ନିସନ୍ଦେହରେ କୁହାଯାଇପାରେ । ଗଞ୍ଜେଇ, ବ୍ରାଉନସୁଗାର, ଚରସ, କୋକେନ, ହେରୋଇନ ଭଳି ଉତ୍‌କଟ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ନବୀନ ବାବୁଙ୍କ ନୂଆ ଓଡ଼ିଶା ।
ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାର ଆଇନ ଶୃଙ୍ଖଳା ଅତ୍ୟନ୍ତ ଉଦ୍‌ବେଗ ଜନକ । ପୋଲିସ ହେପାଜତରେ ହତ୍ୟା ଏବଂ ତାହାକୁ ଆତ୍ମହତ୍ୟା ଭଳି ରୂପ ଦେବାଭଳି ଘଟଣା ସାରା ଦେଶରେ ବିରଳ । ଏବେ ରାଜଧାନୀରେ କ୍ରୀଡା ମହୋତ୍ସବ(ବିଶ୍ୱକପ୍ ହକି) ସମୟରେ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ହାତଗୋଡ ବାନ୍ଧି ସାରାରାତି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । କାର୍ଯ୍ୟରତ ମହିଳା ପୋଲିସ ମଧ୍ୟ ସୁରକ୍ଷିତ ନୁହନ୍ତି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବା ରାଜ୍ୟରେ ଏକ ପଦ୍ଧତି ହୋଇଛି । ବହୁଚର୍ଚ୍ଚିତ ପରୀ, ମମିତା, ମାହାଙ୍ଗା ଟ୍ରିପଲ୍ ମର୍ଡର, ସ୍ମୀତାରାଣୀ, ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାକାଣ୍ଡରେ ଅପରାଧି ଓ ଶାସକ ଦଳ ନେତାଙ୍କର ଲିଙ୍କ୍ ଅଭିଯୋଗର ତଦନ୍ତ ଏବେ ଶୀତଳ ଭଣ୍ଡାରରେ । ମହିଳା କ୍ରିକେଟର ରାଜଶ୍ରୀ, ଏସିଏଫ ସୌମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁର ରହସ୍ୟ ଏବେବି ଉନ୍ମୋଚିତ ହୋଇନାହିଁ । ରାଜ୍ୟର ଥାନା ଗୁଡିକରେ ଦଳଗତ ସମ୍ପର୍କ ଅନୁଯାୟୀ ଏତଲା ପଞ୍ଜିକୃତ ହେଉଛି । ରାଜ୍ୟରେ ଦଳିତ, ଆଦିବାସୀ ଓ ମହିଳାମାନେ ବହୁ ଅତ୍ୟାଚାରର ଶିକାର ହେଉଛନ୍ତି । ରାୟଗଡା ଜିଲ୍ଲା ଅଣ୍ଡିରାକଂଚର ଗର୍ଭବତୀ ଦଳିତ ମହିଳା ମୁଳା ନାଏକଙ୍କ ମୃତ୍ୟୁ ତାହାର ନଗ୍ନ ଉଦାହରଣ ।
ବିଜେଡି ଶାସନରେ ଓଡ଼ିଶା ଆଜି ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ବିଜୁ ଜନତା ଦଳ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ରାଜ୍ୟ ସରକାରଙ୍କ ସବୁଠୁ ବଡ ଉପଲବ୍ôଧ । ଶାନ୍ତିପ୍ରିୟ ରାଜ୍ୟଭାବେ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଥିବା ସତ୍ୱେ ଶାସକ ବିଜେଡିର ଏଭଳି ହିଂସାତ୍ମକ ଆଭିମୁଖ୍ୟକୁ ଭାରତୀୟ ଜନତା ପାର୍ଟି ଆଦୌ ବରଦାସ୍ତ କରିବ ନାହିଁ । ସରକାରଙ୍କ ଏତାଦୃଶ୍ୟ ଜନବିରୋଧୀ ଆଭିମୁଖ୍ୟକୁ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତି ନେଉଛି ।
ବେକାରୀ ସମସ୍ୟା
୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ଆସିଥିବାବେଳେ ବର୍ତମାନ ସୁଦ୍ଧା ୫୬୭୪ କୋଟି ଅର୍ଥ କାର୍ଯ୍ୟକାରୀ ହୋଇଛି । ଯାହାକି ନିବେଶ ପ୍ରସ୍ତାବର ମାତ୍ର ୧% । ସେହିପରି ଏହି ଦୁଇଟି ସଂସ୍କରଣରେ ୭ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତିର ଆଶ୍ୱାସନା ଦିଆଯାଇଥିବାବେଳେ ନିଯୁକ୍ତି ପାଇଛନ୍ତି ମାତ୍ର ୫୮୭୮ । ଯାହାକି ଆଶ୍ୱାସନାର କେବଳ ୦.୭୯ ପ୍ରତିଶତ ଅଟେ । ପ୍ରସ୍ତାବିତ ୨୮୬ଟି ପ୍ରକଳ୍ପରୁ ମାତ୍ର ୧୬ଟି କାର୍ଯ୍ୟକାରୀ ହୋଇଛି, ଅର୍ଥାତ ୫.୬% । ଦାଦ୍ରା-ନଗର-ହାବେଳୀ-ଦାମନ-ଡିଉ ଭଳି ଛୋଟିଆ ରାଜ୍ୟକୁ ମଧ୍ୟ ୧୫ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିଥିବାବେଳେ ଓଡିଶାକୁ ମାତ୍ର ୧୪.୮ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆସିଛି ଯାହା ସବୁଠୁ ନିରୁତ୍ସାହଜନକ । କନକ୍ଲେଭର ସଫଳତା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ବିଦେଶ ଗସ୍ତ କରି ମଉଜ ମଜଲିସ୍ କରୁଥିବାବେଳେ ଗରୀବ ଓଡିଆ ଟିକସଦାତାଙ୍କ ଅର୍ଥକୁ କିଭଳି ଆତ୍ମସାତ କରାଯାଉଛି, ତାହା ଏଥିରୁ ସ୍ପଷ୍ଟ । ସମଗ୍ର ଦେଶର ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ରାଜ୍ୟ ସରକାର ବାହାସ୍ପୋଟ ମାରୁଛନ୍ତି । ତେଣୁ ଓଡିଶାର ବେରୋଜଗାର ସମସ୍ୟା ସର୍ବଭାରତୀୟ ସମସ୍ୟାଠାରୁ ଅଧିକ ଉତ୍କଟ । ଓଡ଼ିଶାରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଥିବାବେଳେ ରାଜ୍ୟ ସରକାର ଖାଲି ପଦବୀ ଗୁଡିକରେ ନିଯୁକ୍ତି ଦେଉନାହାନ୍ତି । ଅନ୍ୟପକ୍ଷରେ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କୁ ଥଇଥାନ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଯୁବ ବିରୋଧୀ ମନୋଭାବକୁ ରାଜ୍ୟ କାର୍ଯ୍ୟାକାରିଣୀ ଘୋର ବିରୋଧ କରୁଛି ।
ଚାଷୀ ଓ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ସାରା ଓଡ଼ିଶାରେ ଧାନ ମଣ୍ଡିର ଅବ୍ୟବସ୍ଥା ଏପର୍ଯ୍ୟନ୍ତ ସୁଧାରି ପାରି ନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ନିଜ ଆଡୁ ଘୋଷଣା କରିଥିଲେ ଯେ, ଗତ ନଭେମ୍ବର ୨ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଧାନ ମଣ୍ଡିକୁ ବ୍ୟବସ୍ଥିତଭାବେ କାର୍ଯ୍ୟକାରୀ କରିବେ କିନ୍ତୁ ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ତାର ବ୍ୟତିକ୍ରମ ଘଟୁଛି । ପ୍ରଥମତଃ ଏକ ମାସ ବିଳମ୍ବରେ ମଣ୍ଡି ଖୋଲିଲେ । ଚାଷୀଙ୍କୁ ଟୋକନ ମିଳିବାରେ ବିଳମ୍ବ ଓ ବ୍ୟାପକ ଅନିୟମିତତା ଦେଖାଦେଉଛି । ମଣ୍ଡିରେ କ୍ୱିଟାଲ ପିଛା ୧୦କେଜି ପର୍ଯ୍ୟନ୍ତ କଟନି ଛଟନି ଚାଷୀକୁ ହତାଶ୍ କରିଛି । ଜଣ ଚାଷୀ ପିଛା ୬୦କ୍ୱିଂଟାଲ ପର୍ଯ୍ୟନ୍ତ ବିକ୍ରି କରିପାରିବାର ସୀମା ଧାର୍ଯ୍ୟ ଫଳରେ ଅନେକ ଚାଷୀ ଅମଳ କରିଥିବା ବାକି ଧାନ ଦେଇନପାରି ବିପୁଳ କ୍ଷତି ସହୁଛି । ମଣ୍ଡିର ଅବ୍ୟବସ୍ଥା କାରଣରୁ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ୧୫ଦିନରୁ ଅଧିକ ଅପେକ୍ଷା କରିବାକୁ ପଡୁଛି । କେନ୍ଦ୍ର ଦେଉଥିବା ଏମଏସପି କ୍ୱଂଟାଲ ପିଛା ୨୦୪୦ଟଙ୍କା ଚାଷୀ ପାଉନାହିଁ । ଅନ୍ୟପକ୍ଷରେ ଚାଷୀଙ୍କୁ କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର । ୧୮ଲକ୍ଷରୁ ଊର୍ଦ୍ଧ୍ୱଚାଷୀ ଆଜି ବି ପିଏମ୍ କିଷାନ ଯୋଜନାର ଲାଭାର୍ଥୀ ହେବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଉଠାଜଳସେଚନ ପ୍ରକଳ୍ପ ସ୍ୱପ୍ନରେ ରହିଯାଇଛି । ସେ କଥାରୁ ଦୃଷ୍ଟି ହଟାଇବା ପାଇଁ ବେଳେବେଳେ ସାର ଅଭାବିର ମିଥ୍ୟା ପ୍ରହସନ କରି କୃଷକଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର ।
ପ୍ରତି ବ୍ଲକରେ ଗୋଟିଏ ଶୀତଳଭଣ୍ଡାର ଖୋଲିବାପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବିଜେଡି ସରକାର ୨୩ବର୍ଷ ମଧ୍ୟରେ ତାହା ପାଳନ କରିପାରିଲେ ନାହିଁ । ବରଂ ଯେତିକି ଶୀତଳଭଣ୍ଡାର ରାଜ୍ୟରେ ଥିଲା ସେଥିରୁ ମାତ୍ର ୨୮ରୁ ୩୨ ଗୋଟି ସଚଳ ଅଛି ଯାହା ପର୍ଯ୍ୟାପ୍ତ ନୁହେଁ । ଯେଉଁଥିପାଇଁ ଅମଳ ବେଳେ ପନିପରିବାକୁ ଚାଷୀ ରାସ୍ତାରେ ଢାଳୁଛି, ଗୋରୁଗାଈଙ୍କୁ ଚରାଇ ଦେଉଛି ଏବଂ ସ୍ଥଳବିଶେଷରେ ଟ୍ରାକ୍ଟର ମଡାଇ ପୁନର୍ବାର ହଳ କରିନେଉଛନ୍ତି । ଏଭଳି ବିକଳ ଚିତ୍ର କେବେ ବି ଓଡିଶାରେ ଦେଖା ଦେଇନଥିଲା । ଏପରି ସ୍ଥଳେ ରାଜ୍ୟର କୃଷି ବଜେଟ୍‌୍‌, ଆଳୁମିଶନ ଏବଂ ପିଆଜ ମିଶନ୍ ସବୁ ପ୍ରହସନରେ ପରିଣତ ହୋଇଛି । ଏଥିନେଇ ରାଜ୍ୟ କାର୍ଯ୍ୟକାରିଣୀ ଉଦ୍‌ବେଗ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରୀ ରଖିବ ।

ଶିକ୍ଷାୟତନ ଓ କ୍ରୀଡା ଭିତିଭୂମିର ସ୍ଥିତି
ରାଜ୍ୟରେ ୬୧୯୩ ସରକାରୀ ହାଇସ୍କୁଲ ରହିଛି । ତନ୍ମଧ୍ୟରୁ ୧୮୦୦ରୁ ଊର୍ଦ୍ଧ୍ୱ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ୯୦% ବିଦ୍ୟାଳୟରେ ବିଜ୍ଞାନ ଉପକରଣ ନାହିଁ । ଖେଳପଡିଆ, ଖେଳ ଉପକରଣ ଓ ଖେଳ ଶିକ୍ଷକର ଘୋର ଅଭାବ ଭିତରେ ବିଦ୍ୟାଳୟର ଛାତ୍ରଛାତ୍ରୀ ହତାଶ ହେଉଥିବା ସମୟରେ ରାଜ୍ୟ ସରକାର ବିଶ୍ୱକପ୍ ପାଇଁ ଅଜସ୍ର ଅର୍ଥଶ୍ରାଦ୍ଧ କରିବା ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଗତ ୨୦୧୮ ବିଶ୍ୱକପ୍ ଓଡ଼ିଶାରେ ଅନୁଷ୍ଠିତ ସମୟରେ ୬୮କୋଟି ଖର୍ଚ୍ଚରେ ହୋଇଥିଲା । କିନ୍ତୁ ଚିନ୍ତାର ବିଷୟ ରାଜ୍ୟ ବର୍ତମାନ ଆତ୍ମ ପ୍ରଚାର ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ରଖିଛନ୍ତି । ଏହାର ୫୦ପ୍ରତିଶତ ଅର୍ଥରେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ କ୍ରୀଡା କ୍ଷେତ୍ରକୁ ବିକଶିତ ଓ ସାମର୍ଥ୍ୟ ପ୍ରଦାନ କରାଯାଇ ପାରିଥାନ୍ତା ।
ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ଓପିଏସି ଆଜି ଦୁର୍ନୀତିର ପେଣ୍ଠସ୍ଥଳରେ ପରିଣତ ହୋଇଛି । କ୍ୟାମ୍ପସ ପରିସର ଅଣଛାତ୍ର ତଥା ବିଜୁ ଜନତା ଦଳ ଦ୍ୱାରା ସଂରକ୍ଷଣ ପ୍ରାପ୍ତ ଗୁଣ୍ଡାମାନଙ୍କ ଆସରସ୍ଥଳ ପାଲଟିଛି । ଆଶ୍ରମ ବିଦ୍ୟାଳୟ ଗୁଡିକରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ରାଜ୍ୟର ଏକ ସାଧାରଣ ଘଟଣା ପାଲଟି ଗଲାଣି । ରାଜ୍ୟରେ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଗଣ୍ଡା ଗଣ୍ଡା ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ରାଜ୍ୟ ସରକାର “୫ଟି” ଯୋଜନାରେ ହାତଗଣତି ସ୍କୁଲର ଭିତିଭୂମୀ ବିକାଶ ନାଁରେ ବ୍ୟାପକ ଦୁର୍ନୀତି କରୁଛନ୍ତି । ରାଜ୍ୟର ବିଇଡି କଲେଜ ଗୁଡିକୁ ଗୋଟିଏ ପରେ ଗୋଟିଏ ବନ୍ଦକରି ରାଜ୍ୟରେ ଶିକ୍ଷା ଦଲାଲ ଗ୍ୟାଙ୍ଗସହ ସହଭାଗିତାରେ ରାଜ୍ୟ ସରକାର ଓଡିଆ ପିଲାଙ୍କୁ ଆନ୍ଧ୍ର ପ୍ରଦେଶ ସମେତ ବାହାର ରାଜ୍ୟରେ ଯାଇ ହଇରାଣ ହେବାକୁ ବାଧ୍ୟ କରୁଛନ୍ତି । ଏବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରି ବନ୍ଦ ହୋଇଥିବା ବିଇଡି କଲେଜ ଗୁଡିକୁ ପୁନଃ ଖୋଲିବା ଆବଶ୍ୟକତା ରହିଛି ।
ଦୁର୍ନୀତିର ପାହାଡ ଓଡ଼ିଶା
 କେବଳ କେତୋଟି ଆରଆଇ, କନିଷ୍ଟଯନ୍ତ୍ରୀ, କିରାଣୀଙ୍କୁ ଭିଜିଲାନ୍ସରେ ଧରାଇ ବଡ ବଡ ଦୁର୍ନୀତିରୁ ଦୃଷ୍ଟି ହଟାଇବା ଏକ ନିତିଦିନିଆ ଘଟଣା ହୋଇଛି ।
 ରାଜ୍ୟର ବୃହତ ଠିକାଦାରୀ କାର୍ଯ୍ୟ ରାଜ୍ୟ ବାହାର ସଂସ୍ଥାକୁ ଦେଇ ମୋଟାଅଙ୍କର ପିସି ହାତଉଛନ୍ତି ଶାସକ ଦଳ ।
 ଅନ୍ୟ ପକ୍ଷରେ ଡିପାଟମେଂଟାଲ ୱାର୍କ ନାଁରେ ସରକାରୀ କର୍ମଚାରୀ ଓ ବିଜୁ ଜନତା ଦଳର କୁଜି ନେତାଙ୍କ ଠିକାଦାରୀରେ ବ୍ୟାପକ ଭ୍ରଷ୍ଟାଚାରକୁ ବନ୍ଦ କରାଯାଉ ।
 ନିର୍ମଳ ଶାସନର ଦ୍ୱାହିଦେଇ କାମ୍ପାଫଣ୍ଡ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା (ପିଏମ୍‌କେକେକେୱାଇ) ଅର୍ଥ ବହୁଳ ମାତ୍ରାରେ ହରିଲୁଟ୍ ଚାଲିଛି ।
 ଗରୀବ ଲୋକଙ୍କ ଚିଟଫଣ୍ଡ ଟଙ୍କା ପାଇଁ କର୍ପସଫଣ୍ଡ ଡେଙ୍ଗୁରା କେଉଁ ଆଡେ ହଜିଗଲା । ଟାଟାପାୱାର କମ୍ପାନୀ ଉପଭୋକ୍ତାଙ୍କୁ ଶୋଷଣ କରିଚାଲିଛି, ସରକାର ନିରବଦ୍ରଷ୍ଟା ।
 ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଦଳୀୟ ଭିତିରେ ସରକାର ଜ୍ଞାତସାରରେ ହରିଲୁଟ ହେଉଛି ।
 ମନରେଗା ଯୋଜନାର ବ୍ୟୟବରାଦ କେନ୍ଦ୍ର ଯଥେଷ୍ଟ ବୃଦ୍ଧି କରିଥିବା ସତ୍ୱେ ରାଜ୍ୟ ସେ ଅର୍ଥକୁ ସଠିକ ବାଟରେ ଖର୍ଚ୍ଚ ନକରି ଦଳୀୟ ଠିକାଦାର ଦ୍ୱାରା ମେସିନ ଲଗାଇ ରାତିରେ କାର୍ଯ୍ୟ କରି ହରିଲୁଟ କରାଯାଉଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଂକଳ୍ପ ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର । ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସ୍କିମ ଯୋଜନା । ଆଜି ଏହି ଯୋଜନାରେ ସାରା ଦେଶରେ ୨ କୋଟି ୭୮ ଲକ୍ଷ ଗରିବ ପରିବାର ପାଇଁ ପକ୍କାଘର ନିର୍ମାଣ ସରିଲାଣି । ଓଡ଼ିଶା ସରକାର ବିଧାନସଭାରେ ୨୭ଲକ୍ଷ ଘର ଆବଶ୍ୟକ ବୋଲି କହିଥିଲାବେଳେ କେନ୍ଦ୍ର ସରକାର ଓଡିଶାକୁ ଅଦ୍ୟାବଧି ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି । ହେଲେ ଓଡିଶାରେ ଏହି ମହତ ଯୋଜନାକୁ ରାଜ୍ୟର ଶାସନ କରୁଥିବା ବିଜୁ ଜନତା ଦଳର ସରକାର ବିଭିନ୍ନ ଷଡଯନ୍ତ୍ର କରି ବିଭ୍ରାଟ କରିବା ପାଇଁ ଅପଚେଷ୍ଟା କରିଆସୁଛି । ଆଗରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଘରେ ପିଏମ ଆଓାସର ଲୋଗୋ ନଲଗାଇବା ପାଇଁ ଏକ ହୀନ ରାଜନୈତିକ ପ୍ରୟାସ ବିଜେଡିର ସରକାର କରିଥିଲା । ଏବେ ସୁଦ୍ଧା ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣରେ ୧୭ ଲକ୍ଷରୁ ଅଧିକ ପରିବାର ପାଇଁ ପକ୍କାଘର ନିର୍ମାଣ ସରିଛି । ଏବେ କେନ୍ଦ୍ର ସରକାର ଆଉ ୯ ଲକ୍ଷ ପକ୍କାଘର ନିର୍ମାଣ ପାଇଁ ମଂଜୁରି ଦେଇସାରିଛନ୍ତି । ଏନେଇ କେନ୍ଦ୍ର ସରକାର ୧୭ ହଜାର କୋଟିର ବ୍ୟୟ ବରାଦ ମଧ୍ୟ କରିଛନ୍ତି । ହେଲେ ରାଜ୍ୟ ସରକାର ଅଯୋଗ୍ୟ ହିତାଧୀକାରିର ନାଁକୁ ତାଲିକାରେ ରଖିଥିବା ବେଳେ ଯୋଗ୍ୟ ତଥା ଗରିବ ହିତାଧୀକାରିଙ୍କ ନାଁକୁ ତାଲିକାରୁ କାଟି ଦେଇଛନ୍ତି । ବିଜୁ ଜନତା ଦଳର କର୍ମୀମାନଙ୍କୁ ଦଳୀୟ ଆଧାରରେ ରାଜ୍ୟ ସରକାର ଚଂଚକତା କରି ପକ୍କାଘର ଦେବାର ଯେଉଁ ଷଡଯନ୍ତ୍ର କରିଛନ୍ତି ତାହାକୁ ଆଜିର ଏହି କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରିବା ସହିତ ସାଧାରଣ ଗରିବ ଲୋକମାନେ କେମିତି ପକ୍କାଘର ପାଇବାରୁ ବଂଚିତ ନହେବେ ସେଥିପାଇଁ ରାଜନୈତିକ ଲଢାଇ ଲଢିବା ପାଇଁ ଆଜିର ଏହି ରାଜ୍ୟ କାର୍ଯ୍ୟକାରିଣୀ ନିଷ୍ପତି ନେଉଛି ।
ମହିଳାଙ୍କ ଆର୍ଥୀକ ବିକାଶ ପାଇଁ ମୋଦି ସରକାର ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର କେବଳ ଭୋଟବ୍ୟାଙ୍କ ମାନସିକତାରେ ସୀମିତ
ଓଡିଶାରେ ମିଶନ ଶକ୍ତି ଯୋଜନାରେ ମହିଳା ସଶକ୍ତିକରଣ ହୋଇଛି ବୋଲି ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସବୁବେଳେ କହି ଆସୁଛି । ସବୁବେଳେ ମହିଳାମାନଙ୍କ ଭୋଟ ହାତେଇବା ପାଇଁ ବିଜୁ ଜନତା ଦଳ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଧ୍ୟମ କରୁଛି । ହେଲେ ବାସ୍ତବରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଯେଉଁ ସୁବିଧା ମିଳୁଛି ତାହା ହେଉଛି କେନ୍ଦ୍ର ସରକାରଙ୍କର ‘ଦୀନ ଦୟାଲ ଅନ୍ତୋଦୟ ଯୋଜନା – ଜାତୀୟ ଜୀବିକା ମିଶନ’ ଯୋଜନାରେ । ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଯାହା ଯାହା ଆର୍ଥୀକ ସହାୟତା ମିଳେ ଯଥା ରିଭଲଭିଙ୍ଗ ଫଣ୍ଡ, କମ୍ୟୁନିଟ ଇନଭଷ୍ଟମେଂଟ ଫଣ୍ଡ ଏବଂ ରିହାତ ସୁଧ ହାରରେ ଋଣ ଏସବୁ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦିଅନ୍ତି । ରାଜ୍ୟ ସରକାର କେବଳ ମାଛ ତେଲରେ ମାଛ ଭାଜନ୍ତି । ମୋଟ ୧୧ ପ୍ରତିଶତ ସୁଧରୁ କେନ୍ଦ୍ର ସରକାର ୭ ପ୍ରତିଶତ ସୁଧ ଦିଅନ୍ତି ଓ ରାଜ୍ୟ ସରକାର ମାତ୍ର ୪ ପ୍ରତିଶତ ସୁଧ ବହନ କରନ୍ତି । ୪ ପ୍ରତିଶତ ସୁଧ ବ୍ୟତୀତ ମିଶନ ଶକ୍ତିର ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାରଙ୍କର । ମାତ୍ର ରାଜ୍ୟରେ ଥିବା ବିଜୁ ଜନତା ଦଳ ସରକାର କେନ୍ଦ୍ରୀୟ ଯୋଜନାର ଶ୍ରେୟ କେବେବି କେନ୍ଦ୍ର ସରକାରଙ୍କୁ ଦିଅନ୍ତି ନାହିଁ ଯାହାକୁ ଆଜିର ଏହି ରାଜ୍ୟ କାର୍ଯ୍ୟକାରିଣୀ ସମାଲୋଚନା କରୁଛି ।
ସେହିଭଳି ରାଜ୍ୟରେ ଥିବା ବିଜୁ ଜନତା ଦଳ ମହିଳାଙ୍କ ଆର୍ଥୀକ ବିକାଶକୁ ନେଇ ଯେଉଁ ମିଛ ଗୋଲାପି ଚିତ୍ର ଦେଖାଇ ଆସୁଛି ତାହାର ମଧ୍ୟ ଖୁଲାସା ଆଜିର ଏହି କାର୍ଯ୍ୟକାରିଣି କରୁଛି । ରାଜ୍ୟରେ ୭ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ହେଲେ ସେଥିରୁ ମାତ୍ର ୫୯ ହଜାର ଗୋଷ୍ଠୀ ହିଁ କିଛି ରୋଜଗାର କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ବାକି ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ରୋଜଗାର ପାଇଁ ରାଜ୍ୟ ସରକାର କିଛି କରି ନାହାନ୍ତି । ସେହିଭଳି ରୋଜଗାର କାର୍ଯ୍ୟକ୍ରମରେ ସାମିଲ ଥିବା ୫୯ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ରୋଜଗାର ମଧ୍ୟ ସେମିତି କିଛି ଆଖିଦୃଶିଆ ନୁହେଁ, ହାରାହାରି ଜଣେ ମହିଳା ପିଛା ବର୍ଷକୁ ମାତ୍ର ୬ ରୁ ୭ ହଜାର ଟଙ୍କା ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ପରିଣତ ହେଉଛିା ତେଣୁ ରାଜ୍ୟ ସରକାର କିଭଳି ଭାବରେ ରାଜ୍ୟର ୭୦ ଲକ୍ଷ ମାତୃଶକ୍ତିଙ୍କୁ ମିଛରେ ଭୁଆଁ ବୁଲାଉଛି ତାହାକୁ ଏହି କାର୍ଯର୍୍ୟକାରିଣୀ ଦୃଢ ନିନ୍ଦା କରୁଛି ।
ସ୍ୱାସ୍ଥ୍ୟ ସେବା ଓ ପାନୀୟଜଳ
ସମସ୍ତ ଘରକୁ ପାଇପ ଯୋଗେ ସ୍ୱଚ୍ଛ ଜଳ ଯୋଗାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପଂଚଦଶ ଅର୍ଥକମିଶନ ସୁପାରିଶ ଆଧାରରେ ୭୦୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟକୁ ପ୍ରଦାନ କରିଥିବା ସତ୍ୱେ ବର୍ତମାନ ସୁଦ୍ଧା ତାହା ସଂପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ହୋଇନାହିଁ । ୫୬% ପରିବାର ଏପର୍ଯ୍ୟନ୍ତ ସୁଯୋଗରୁ ବଂଚିତ ରହିଛନ୍ତି । ମହିଳା ଓ ଶିଶୁ କୁପୋଷଣରେ ଓଡ଼ିଶାର ସ୍ଥାନ ପ୍ରଥମ । ହାରାହାରୀ ୬୪% ମହିଳା ଓ ଶିଶୁ ରକ୍ତହୀନତାରେ ପୀଡିତ । ୧୮ଟି ଜିଲ୍ଲା ମୁଖ୍ୟାଳୟ ଚିକିତ୍ସା କେନ୍ଦ୍ରରେ ଆଇସିୟୁ ନାହିଁ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦% ଡାକ୍ତର ନାହାନ୍ତି । ଓଡ଼ିଶାରେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫୯ଟି ଶଯ୍ୟାର ବ୍ୟବସ୍ଥା ହାସ୍ୟାସ୍ପଦ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତି ଦୃଢ଼ ନିନ୍ଦା କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜିର କାର୍ଯ୍ୟକାରିଣୀ ଦୃଢ଼ ଦାବି ରଖୁଛି ।
ଆଦିବାସୀ- ଦଳିତଙ୍କୁ ଅଣଦେଖା
ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୨୨.୮୫ ଏବଂ ଅନୁସୂଚିତ ଜାତି ୧୭.୧୩ ରହିଛି । ଉଭୟ ବର୍ଗଙ୍କ ଆନୁପାତିକ ୩୯.୯୮ ହୋଇଥିବାବେଳେ ଏମାନଙ୍କୁ ରାଜ୍ୟସରକାର ସର୍ବଦା ଅଣଦେଖା କରିଆସିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ବିଭାଗରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଯାହାକି ନିକଟରେ ସଂସଦୀୟ କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ମାଗଣା ଶିକ୍ଷା ବ୍ୟବସ୍ଥା ନାହିଁ । କେନ୍ଦ୍ର ସରକାର ଅର୍ଥ ଯୋଗାଇଦେଇଥିଲେ ମଧ୍ୟ ତିନିବର୍ଷ ହେଲା ଛାତ୍ରାବାସ ନିର୍ମାଣ ହୋଇପାରିନାହିଁ । ଆମ୍ବେଦକର, ବିର୍ସା ମୁଣ୍ଡା କି ଜ୍ୟୋତିବା ଫୁଲେଙ୍କ ନାଁରେ ପୁରସ୍କାର ବ୍ୟବସ୍ଥା ନାହିଁ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି- ଜନଜାତି ବିଦ୍ୟାର୍ଥୀ ଙ୍କ ପାଇଁ କୌଣସି ଛାତ୍ରବୃତି ବ୍ୟବସ୍ଥା ତ ନାହିଁ କିନ୍ତୁ ସମସ୍ତଙ୍କ ପାଇଁ ଥିବା ଛାତ୍ରବୃତିରେ ସଂଖ୍ୟା ମଧ୍ୟ ଅତି ନଗଣ୍ୟ ରହିଛି ।
ଆଦିବାସୀ ମାନଙ୍କ ପାଇଁ ଜମି, ଜଳ ଓ ଜଙ୍ଗଲ ଅଧିକାର କେବଳ ସ୍ଲୋଗାନରେ ସୀମିତ ରହିଛି । ଭୂମି ହୀନ ଅନୁସୂଚିତ ବର୍ଗଙ୍କୁ ଘର ଡିହ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଯଦ୍ୱାରା ଗରୀବ ଦଳିତ ପରିବାର ପ୍ରଧାନମନ୍ତ୍ରୀ ଆବାସରୁ ଖଣ୍ଡେ ପାଇବାରୁ ବଂଚିତ ହେଉଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ସରକାରଙ୍କ ଟାଳଟୁଳ ନୀତି କୁ ଆଜିର କାର୍ଯ୍ୟକାରିଣୀ ଘୋର ବିରୋଧ କରୁଛି । ଡଙ୍ଗରିଆ କନ୍ଧଙ୍କ ନାଁରେ ଆସୁଥିବା କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରିଲୁଟ୍ କରାଯାଉଛି । ଯାହାଫଳରେ ଡଙ୍ଗରିଆ କନ୍ଧଙ୍କର ଅବସ୍ଥାରେ ଉନ୍ନତି କ୍ଷେତ୍ରରେ ବିଶେଷ ପରିବର୍ତନ ହୋଇନାହିଁ ।
ଓବିସି ବର୍ଗ ସପୂର୍ଣ୍ଣ ଅବହେଳିତ
ରାଜ୍ୟ ଜନ ସଂଖ୍ୟାର ୫୪% ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ବିଜେଡି ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରୁଛନ୍ତି । ସମଗ୍ର ଦେଶରେ ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ(ନାମଲେଖା) ସଂରକ୍ଷଣ ଦିଆଯାଉଥିବାବେଳେ ଓଡ଼ିଶା ସରକାର ତାର ନାଁ ଧରୁନାହାନ୍ତି । ରାଜ୍ୟର ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ଅନୁଷ୍ଠାନ ମାନଙ୍କର ୨୭% ସଂରକ୍ଷଣ ପାଉଛନ୍ତି । ହେଲେ ରାଜ୍ୟ ସରକାରଙ୍କର ସ୍କୁଲ ଓ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ଏହା ଆଦୌ ସଂରକ୍ଷଣ ଦେଉନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ୯୦ଦଶକରୁ ଓବିସି ଓ ଏସିବିସି ବର୍ଗଙ୍କ ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ୨୭% ସଂରକ୍ଷଣ ମିଳି ଆସୁଥିବାବେଳେ ୨୦୨୨ରେ ରାଜ୍ୟ ଉଚ୍ଚ ନ୍ୟାୟଳୟରେ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଜରିଆରେ ପଛୁଆ ବର୍ଗମାନଙ୍କର କୌଣସି ଡାଟା ନଥିବା କହି ସେମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି ।
ଟ୍ରିପୁଲ ଟେଷ୍ଟର ଦ୍ୱିତୀୟ ସର୍ତ ଅନୁଯାୟୀ ପଛୁଆବର୍ଗ ସର୍ଭେ କରି ସେମାନଙ୍କ ପ୍ରତିଶତ ସ୍ଥିର କରିବା ରାଜ୍ୟ ଓବିସି କମିଶନ ତଥା ରାଜ୍ୟ ସରକାରଙ୍କ ଦାୟିତ୍ୱ । ବିଧାନସଭାରେ ସଂକଳ୍ପ ପାରିତ କରି ବିଜେଡି ସରକାର ଆଜିସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏସମ୍ପର୍କରେ ବିଜେପି ପକ୍ଷରୁ ବାରମ୍ବାର ରାଜ୍ୟ ଓବିସି କମିଶନ, ଏସିଏସଟି ଓ ଓବିସି ବିଭାଗ ଏବଂ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କର୍ଣ୍ଣପାତ କରୁନାହାନ୍ତି ସରକାର । ବାରମ୍ବାର ସଂଖ୍ୟାଧିକ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଉଦାସିନତାକୁ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଉଛି ।
ରାଜ୍ୟରେ ଅର୍ଥନୈତିକ ଅନଗ୍ରସର(ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀମାନଙ୍କୁ କେବଳ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଛାଡିଦେଲେ ଆଉ କୌଣସି ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଆଜିସୁଦ୍ଧା କୌଣସି ସଂରକ୍ଷଣ ଯୋଗାଇ ଦିଆଯାଇ ନାହିଁ । ଏପରିକି ମାଟ୍ରିକ ପରବର୍ତୀ ଛାତ୍ରବୃତି ଯୋଗାଇ ଦିଆଯାଉ ନାହିଁ । ଏସମ୍ପର୍କରେ ରାଜ୍ୟ କାର୍ଯ୍ୟକାରିଣୀ ଉଦ୍‌ବେଗ ପ୍ରକାଶ କରିଛି ।
ସମବାୟ ସଂସ୍ଥାର ଅଚଳାବସ୍ଥା
ବିକାଶଶୀଳ ରାଜ୍ୟର ମେରୁଦଣ୍ଡ କେବଳ ସମବାୟ ସଂସ୍ଥା । ବିକାଶ ଉଦ୍ଦେଶ୍ୟରେ ଗଠିତ ସମବାୟ ସଂସ୍ଥାଗୁଡିକ ଆଜି ସାଇନବୋର୍ଡ ସଂସ୍ଥା ରୂପେ କେବଳ ଠିଆ ହୋଇଛି । ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସମବାୟ ସଂସ୍ଥା ଲୋକ କଲ୍ୟାଣର ମେରୁଦଣ୍ଡ ହୋଇଥିବାବେଳେ ଏ ରାଜ୍ୟରେ ତାହା ବିଜେଡି ଦଳର ଗୋଷ୍ଠୀ କାର୍ଯ୍ୟାଳୟ ଭଳି ମନେ ହୁଏ । ସମବାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଦୁର୍ନୀତିଖୋର ମନୋଭାବକୁ ଆଜିର କାର୍ଯ୍ୟକାରିଣୀ ନିନ୍ଦା କରିବା ସହ ଘୋର ବିରୋଧ କରୁଛି ।

——————————–

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking