27.1 C
Bhubaneswar
Saturday, July 27, 2024
Homeଓଡିଶାଶ୍ରୀଜଗନ୍ନାଥ ମନ୍ଦିରରେ ବିଭ୍ରାଟ ଓ ଦାନ ଅର୍ଥ ହଡପ୍ ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ବିଜେପି ବିଧାୟକଙ୍କ...

ଶ୍ରୀଜଗନ୍ନାଥ ମନ୍ଦିରରେ ବିଭ୍ରାଟ ଓ ଦାନ ଅର୍ଥ ହଡପ୍ ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ବିଜେପି ବିଧାୟକଙ୍କ ଫେରାଦ

ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛନ୍ତି ରାଜ୍ୟ ସରକାର : ବିଜେପି

 ସଦୟ ହସ୍ତକ୍ଷେପ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି
 ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଯାଇ ହଜାର ହଜାର ବର୍ଷର ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରାଯାଇଛି
 ଶ୍ରୀମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ପ୍ରଚେଷ୍ଟା ଅତ୍ୟନ୍ତ ଲଜ୍ଜାଜନକ

ଭୁବନେଶ୍ୱର : ଅର୍ପଣ ରଥ ବୁଲିବା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଥିଲା ଏବଂ ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର । ସେଥି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ତେଣୁ ଏ ସମସ୍ତ ବିଭ୍ରାଟ ପାଇଁ ଏକମାତ୍ର ରାଜ୍ୟ ସରକାର ହିଁ ଦାୟୀ । ଉକ୍ତ ସମ୍ବେଦନଶୀଳ ଘଟଣାରେ ସଦୟ ହସ୍ତକ୍ଷେପ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।
ଶ୍ରୀ ମାଝୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ବିଭ୍ରାଟ ପ୍ରସଙ୍ଗରେ ତଥ୍ୟ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି । ପରିକ୍ରମା ପ୍ରକଳ୍ପ ସମୟରେ ଶାସକ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ ‘ବାରମିଶା’ (ଅରୁଆ / ଉଷୁନା) ଚାଉଳ ସଂଗ୍ରହ କରାଗଲା, ତାକୁ ନେଇ ଜଗନ୍ନାଥଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଥିଲା । ସଂଗୃହିତ ସେହି ‘ବାରମିଶା’ (ଅରୁଆ / ଉଷୁନା) ଚାଉଳକୁ ରାଜ୍ୟ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହି ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବକ୍ତବ୍ୟ ପରେ, ଏହା ଶ୍ରୀମନ୍ଦିର ପରିଚାଳନା ସମିତିର ସହମତିରେ ନୁହେଁ ବରଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହୋଇଥିବାର ସ୍ପଷ୍ଟ ହୋଇଥିଲା । ସେହିପରି ନୀତି ଅନୁଯାୟୀ ମନ୍ଦିରରେ ସଂଗୃହିତ ‘ବାରମିଶା’ ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ ଏବଂ ଏଥି ପାଇଁ କେବଳ ଗୋଟି ଚାଉଳ (ଏକପ୍ରକାର ଅରୁଆ ଚାଉଳ) ବ୍ୟବହାର କରାଯାଏ ବୋଲି ଶ୍ରୀମନ୍ଦିର ସେବାୟତମାନେ କହିଥିଲେ । ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଯାଇ ହଜାର ହଜାର ବର୍ଷର ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି । ଶ୍ରୀମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ପ୍ରଚେଷ୍ଟା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେହିପରି ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଦାନ କରିଥିବା ଟଙ୍କା, ସୁନା, ରୁପା, ଗହଣା ଗଲା କୁଆଡେ? ସରକାରୀ ଆୟୋଜନରେ କରାଯାଇଥିବା ଅର୍ପଣ ଯାତ୍ରାରେ ସଂଗୃହିତ ହୋଇଥିବା ଅର୍ଥ ପାଇଁ କାହିଁକି ରସିଦ୍ ବ୍ୟବସ୍ଥା କରାଗଲା ନାହିଁ ? ଶ୍ରୀମନ୍ଦିର ପରିଚାଳନା ନିୟମ ଓ ହିନ୍ଦୁ ଦେବତ୍ୱୋର ଆଇନ ଅନୁସାରେ ମନ୍ଦିରକୁ ଆସୁଥିବା ପ୍ରତିଟି ଦାନର ରସିଦ୍ ଭକ୍ତମାନଙ୍କୁ ଦେବା ବାଧ୍ୟତାମୂଳକ ହୋଇଥିଲାବେଳେ ଏଭଳି ବ୍ୟତିକ୍ରମ କିଭଳି କରାଗଲା ? ସେହିପରି ନିକଟ ଅତୀତରେ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ତାଙ୍କ ଦ୍ୱାରା ମହାପ୍ରସାଦର ସ୍ୱାଦକୁ ଜନପ୍ରିୟ କରାଯିବାର ଏକ ହୀନ ପ୍ରୟାସ ମଧ୍ୟ ପଦାକୁ ଆସିଛି । ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛି । ଶ୍ରୀମନ୍ଦିର ଇତିହାସରେ ଏଭଳି କୁକର୍ମ ନା କେବେ ହେଇଥିଲା ନା ଓଡ଼ିଶାର ଲୋକ କେବେ ଏଭଳି ଦୁଃଖଦ ଖବର ଦେଖିଥିଲେ । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛୁ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ବିଧାୟକମାନେ ଉପସ୍ଥିତ ଥିଲେ ।

 

(ବିଜେପି ମିଡିଆ ସେଲ୍‌)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking