37.1 C
Bhubaneswar
Friday, May 17, 2024
Homeଓଡିଶାଗାଁରୁ ସହର, ଏବେ ଦୁର୍ନୀତିର ଗନ୍ତା ଘର: ଦିଲୀପ ମହାନ୍ତି

ଗାଁରୁ ସହର, ଏବେ ଦୁର୍ନୀତିର ଗନ୍ତା ଘର: ଦିଲୀପ ମହାନ୍ତି

 ସବୁଜ ସୁନ୍ଦର ଭୁବନେଶ୍ୱର ଆଜି ଦୁର୍ଗନ୍ଧରେ ଫାଟି ପଡୁଛି
 ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ମାଳ ମାଳ ଅଳିଆ ଆବର୍ଜନା ପରିଚାଳନା କେନ୍ଦ୍ରରେ ଅଣନିଶ୍ୱାସୀ ହୋଇଯାଇଛି
 ଭୁବନେଶ୍ୱର ଡ୍ରେନ ମରାମତିରେ ୧୦୦କୋଟି ଟଙ୍କାର ଦୁର୍ନୀତି ହୋଇଛି
 ବ୍ରହ୍ମପୁରର ସହରରେ ଗୋଟିଏ “ରିଙ୍ଗ ରୋଡ”କୁ ସରକାର ତିନି ତିନି ଥର ଘୋଷଣା କଲେଣି କିନ୍ତୁ ଏଯାଏଁ ଇଟା ଖଣ୍ଡେ ପଡି ନାହିଁ
 ମହାନଦୀ କୂଳରେ ଥିବା ସମ୍ବଲପୁରବାସୀ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି
 ୨୩ବର୍ଷ ଧରି ବସ୍ତିବାସିନ୍ଦାଙ୍କୁ ବିଜୁ ଜନତା ଦଳ ସରକାର କେବଳ ଭୋଟ ପାଇଁ ବ୍ୟବହାର କରିଆସିଛି
 ରାଉରକେଲା ସ୍ମାର୍ଟ ସିଟି ମିଶନ ସମ୍ପୂର୍ଣ୍ଣ ବିଫଳ
 ଜାଇକା ପ୍ରକଳ୍ପରେ ହେବାକୁ ଥିବା ୧୯ଶହ କୋଟି ଟଙ୍କା ବଜେଟ୍ ବଢ଼ି ବଢ଼ି ୪ହଜାର କୋଟି ଛୁଇଁଲାଣି । ପ୍ରକଳ୍ପରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । “ସିଏମ୍‌ସିର ନା କରପଟେଡ୍ ମ୍ୟୁନିସପାଲ କର୍ପୋରେସନ” ବୋଲି କଟକ ଲୋକ କହିଲେଣି

ଭୁବନେଶ୍ୱର : ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି ଆଉ କିଛି ନାହିଁ । ମ୍ୟୁନିସପାଲଟିରୁ ନେଇ ସଚିବାଳୟ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଗତ ୨୩ବର୍ଷରେ ରାଜ୍ୟର ସହରାଚଂଳର ବିକାଶ ହେବାତ ଦୂରର କଥା ବରଂ ସହରାଚଂଳମାନଙ୍କରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରୁ ନେଇ ମାଲକାନଗିରି ପର୍ଯ୍ୟନ୍ତ ସବୁ ସହରାଚଂଳ ଆଜି ସମସ୍ୟାର ପାହାଡ ଉପରେ ଛିଡା ହୋଇଛି । କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ସହରାଚଂଳର ବିକାଶ ନହୋଇ ବିଜେଡିର ନେତା ଓ କିଛି ମୁଷ୍ଠିମେୟ ଅଫିସରଙ୍କ ପକେଟ୍‌କୁ ଯାଉଛି । ସବୁଜ ସୁନ୍ଦର ଭୁବନେଶ୍ୱର ଆଜି ଦୁର୍ଗନ୍ଧରେ ଫାଟି ପଡୁଛି । ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ମାଳ ମାଳ ଅଳିଆ ଆବର୍ଜନା ପରିଚାଳନା କେନ୍ଦ୍ରରେ ଅଣନିଶ୍ୱାସୀ ହୋଇଯାଇଛି । ଭୁବନେଶ୍ୱର ବୋଧୁଏ ଦେଶର ଏକମାତ୍ର ସହର ଯେଉଁଠି ସହର ମଝିରେ ଏକ ବିଶାଳକାୟ ଅଳିଆ ପାହାଡ ଛିଡା ହୋଇଛି । ଭୁବନେଶ୍ୱରରେ ବାର୍ଦ୍ଧକ୍ୟ, ଅସହାୟ ଲୋକଙ୍କ ଭତା ଟଙ୍କାକୁ ରାଜ୍ୟ ସରକାର ନିଜ ଆକାଉଂଟକୁ ଟ୍ରାନ୍ସଫର କରି ଦୁର୍ନୀତି କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଚଂଳବାସୀ ଆଜି ବିଜୁ ଜନତା ଦଳର ଅଗଣତାନ୍ତ୍ରିକ ଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାର ପାଇଁ କଠିନପୀଡା ଭିତରେ ଅଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଭୁବନେଶ୍ୱରରେ ବିଏମ୍‌ସି ଆଜି ଦୁର୍ନୀତି ଓ ଅପରିପକ୍ୱ ନିଷ୍ପତି ପାଇଁ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । କେବଳ ଭୁବନେଶ୍ୱର ଡ୍ରେନ ମରାମତିରେ ୧୦୦କୋଟି ଟଙ୍କାର ଦୁର୍ନୀତି ହୋଇଛି । କୃତିମ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧ହଜାର କୋଟି ଟଙ୍କାର ପ୍ୟାକେଜ କେଉଁଠି ଖର୍ଚ୍ଚ ହେଲା? ଆଜିବି ଅସରାଏ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ କାହିଁକି? ୨୩ବର୍ଷ ଧରି ବସ୍ତିବାସିନ୍ଦାଙ୍କୁ ବିଜୁ ଜନତା ଦଳ ସରକାର କେବଳ ଭୋଟ ପାଇଁ ବ୍ୟବହାର କରିଆସିଛି । ସହରରେ ରହୁଥିବା ଭୂମିହୀନ ଗରିବ ଲୋକଙ୍କୁ ପଟ୍ଟା ଦେବେ ବୋଲି କହି ଶେଷକୁ ଖଣ୍ଡିଏ ନକଲି ଫର୍ମ ଧରାଇ ପ୍ରତାରଣା କଲେ ରାଜ୍ୟ ସରକାର । ଏହା ହେଉଛି ଏ ଦଶନ୍ଧିର ସବୁଠୁ ବଡ ସରକାରୀ ଠକେଇ । କେବଳ ସେତିକି ନୁହେଁ ଗରିବ ଲୋକଙ୍କୁ ସରକାର ଜମି ବିକ୍ରି ମଧ୍ୟ କଲେ । ଏକ ଜନକଲ୍ୟାଣକାରୀ ବ୍ୟବସ୍ଥାରେ ସରକାର ଗରିବ ଭୂମିହୀନମାନଙ୍କୁ ମାଗଣାରେ ଜମି ଦେବା କଥା, କିନ୍ତୁ ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଜମି ମାଫିଆ ପାଲଟିଲା । କେନ୍ଦ୍ର ସରକାର ସ୍ମାର୍ଟ ସିଟି ବିକାଶ ପାଇଁ ଦେଇଥିବା ୩,୬୭୨କୋଟି ଟଙ୍କାକୁ ବିଜେଡି ସରକାର ଚଳୁ କରିଲା । ଯାହା ଫଳରେ ଆଜି ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ସବୁଠାରୁ ତଳେ ରହିଛି । ଭୁବନେଶ୍ୱର ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେରେ ଦେଶର ସବୁ ବଡ ବଡ ସହରରଠାରୁ ପଛରେ ପଡିଛି । ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା “ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ” କଂଟେଷ୍ଟରେ ମୋଟ ୬୬ଟି ବିଭାଗରେ ପୁରସ୍କାର ଦିଆଗଲା କିନ୍ତୁ ଓଡିଶାର କୌଣସି ସହର ସେହି ତାଲିକାରେ ନଥିଲା । ଏଥିରୁ ହିଁ ଜଣାପଡୁଛି ଯେ, ଓଡ଼ିଶାରେ ସହରାଚଂଳର ସ୍ଥିତି କେଉଁଠି ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏବେ କଟକରେ କର୍ପୋରେଟରମାନେ ଆନ୍ଦୋଳନ କରୁଛନ୍ତି । ବାଲିଯାତ୍ରା ଦୁର୍ନୀତିରେ ଧରାପଡିଥିବା ସଂସ୍ଥାକୁ କାହିଁକି କାମ ଦିଆଗଲା ଏହାର ଉତର ନା ମେୟର ପାଖରେ ଅଛି ନା କମିଶନଙ୍କ ପାଖରେ ଅଛି । ଜାଇକା ପ୍ରକଳ୍ପରେ ହେବାକୁ ଥିବା ୧୯ଶହ କୋଟି ଟଙ୍କା ବଜେଟ୍ ବଢ଼ି ବଢ଼ି ୪ହଜାର କୋଟି ଛୁଇଁଲାଣି । ପ୍ରକଳ୍ପରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । “ସିଏମ୍‌ସିର ନା କରପଟେଡ୍ ମ୍ୟୁନିସପାଲ କର୍ପୋରେସନ” ବୋଲି କଟକ ଲୋକ କହିଲେଣି । ବ୍ରହ୍ମପୁରର ସହରରେ ଗୋଟିଏ ରିଙ୍ଗ ରୋଡକୁ ସରକାର ତିନି ତିନି ଥର ଘୋଷଣା କଲେଣି । କିନ୍ତୁ ୧୦ବର୍ଷ ହେଲାଣି ଇଟା ଖଣ୍ଡେ ପଡିପାରିଲା ନାହିଁ । ବ୍ରହ୍ମପୁର ମୁନିସ୍‌ପାଲ କର୍ପୋରେସନ ଏତେ ତତ୍‌ପର ଯେ, ବିଶ୍ୱ ବ୍ୟାଙ୍କ ପ୍ରକଳ୍ପ ସେଠାରେ ସମୟ ଅବଧିରେ ସରିଲାନାହିଁ ବୋଲି ସେମାନେ ଶେଷକୁ ପ୍ରତ୍ୟାହାର କରିନେଲେ ।

ରାଉରକେଲା ସ୍ମାଟ ସିଟି ମିଶନ ସମ୍ପୂର୍ଣ୍ଣ ବିଫଳ । ପ୍ରଦୂଷଣରେ ସହରବାସୀ ଅଣନିଶ୍ୱାସୀ । ସେହିପରି ପୁରୀ ସହରରେ ନବକଳେବର ସମୟରେ ହୋଇଥିବା ୧୦୦୦କୋଟି ଟଙ୍କାର ଭିତିଭୂମି ପ୍ରକଳ୍ପରୁ କେବଳ ମାଳତୀପାଟପୁର ବସଷ୍ଟାଣ୍ଡକୁ ଛାଡିଦେଲେ ଆଉ ସବୁ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ । ମହାନଦୀ କୂଳରେ ଥିବା ସମ୍ବଲପୁରବାସୀ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସାରା ଓଡ଼ିଶାରେ କରାଯାଉଥିବା ଜନଆକ୍ରୋଶ ଘେରାଉ କାର୍ଯ୍ୟକ୍ରମରେ ସମସ୍ତ ସହରାଚଂଳରେ ଏହି ସମସ୍ତ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ରାଜରାସ୍ତାରେ ଲୋକଙ୍କ “ଜନଆକ୍ରୋଶ”କୁ ସ୍ୱର ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking