ମାର୍ଶାଘାଇ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ବିଭୂ ସାହୁ ଅପହରଣ ଘଟଣା ଉପରୁ ସୋମବାର ମାର୍ଶାଘାଇ ପୁଲିସ ପରଦା ଉଠାଇଛି । ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମାଷ୍ଟର ଓରଫ ଅମିତ ପ୍ରଧାନ, ମାର୍ଶାଘାଇ ଥାନା ଛନ୍ଦା ପୁରୁଷୋତ୍ତମପୁର ଗ୍ରାମର ମାନସ ଓରଫ ହିରଣ୍ୟ ରାଉତ,ମାର୍ଶାଘାଇ ଥାନା ଯଦୁପୁର ଗ୍ରାମର କୁନା ଓରଫ ସୁକାନ୍ତ ଦାସ, ବଡକୁଳ ଗ୍ରାମର ରାଜା ଓରଫ ରାଜ କିଶୋର ଲେଙ୍କା, ପାଟକୁରା ଥାନା ତାଳସଙ୍ଗା ଗ୍ରାମର ବୁବୁ ଓରଫ ଶୁଭକାନ୍ତ ବେହେରା ଓ କାନ୍ତ ଓରଫ କମଳାକାନ୍ତ ବେହେରା ।
ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମର ବିଭୂ ଓରଫ ପ୍ରତାପ ସାହୁଙ୍କୁ ମେ’ ୩୧ ସନ୍ଧ୍ୟାରେ ଅପହରଣ କରିନେବା ପରେ ହତ୍ୟା କରାଯାଇଥିବା ନେଇ ପୁଲିସ ସ୍ପଷ୍ଟ କରିଛି । ବିଭୂଙ୍କୁ ନିଜ ଗାଁ ଭଗବାନପୁରରୁ ଅପହରଣ କରିନେବା ପରେ ମହାକାଳପଡ଼ା ଥାନା ମଙ୍ଗଳପୁରର ଏକ ପୁରୁଣା ଇଟାଭାଟି ନିକଟରେ ହତ୍ୟା କରିଥିଲେ । ପରେ ମୃତଦେହକୁ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ପୋଡ଼ି ଦେଇଥିବା ପୁଲିସ ସୂଚନା ଦେଇଛି । ଏନେଇ ବିଭୁର ପତ୍ନୀ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାର୍ଶାଘାଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏନେଇ ସୋମବାର ମାର୍ଶାଘାଇ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକ ସନ୍ଦୀପ ସମ୍ପଦ ମଦକର ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସଡିପିଓ କାର୍ତ୍ତିକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।