33.5 C
Bhubaneswar
Tuesday, June 23, 2026
Homeଓଡିଶାଏସ୍ଏସ୍ବି ନିଯୁକ୍ତି ବିଳମ୍ୱକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜୁ ଛାତ୍ର ଜନତା ଦଳ

ଏସ୍ଏସ୍ବି ନିଯୁକ୍ତି ବିଳମ୍ୱକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର: ଗତ ୨ ବର୍ଷ ହେଲା ଆଶାୟୀ ଏସ୍ଏସ୍ବି ଅଧ୍ୟାପକ, ଅଧ୍ୟାପିକା ମାନଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ମାନ୍ୟବର ହାଇକୋର୍ଟରେ ହୋଇଥିବା କେସ୍କୁ ଆଗକୁ ନେବାକୁ ସରକାରୀ ଓକିଲ ସହଯୋଗ କରୁନାହାନ୍ତି । ଯାହା ଫଳରେ ୫୦ ହଜାର ଉଚ୍ଚଶିକ୍ଷିତ ଆଶାୟୀ ହତାଶ ହୋଇପଡ଼ିଥିବାରୁ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୋଷ ପରିଡ଼ା କହିଥିଲେ ଯେ, ୨୦୨୨ ମସିହାରେ ନିଯୁକ୍ତି ନେଇ ହାଇକୋର୍ଟରେ ହୋଇଥିବା କେସ୍ରେ ହସ୍ତକ୍ଷେପ କରି ତକ୍ରାଳୀନ ବିଜୁ ଜନତା ଦଳର ସରକାର ୧୦୬୫ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ୨୦୨୩ ମସିହାରେ ନିଯୁକ୍ତି ଦେଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଏସ୍ଏସ୍ବି ନିଯୁକ୍ତିକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା କେସ୍ରେ କୌଣସି ତତ୍ପରତା ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଇପ୍ସୀତା ସାହୁ କହିଥିଲେ ଯେ, ୨୦୨୪ ମସିହା ମାର୍ଚ୍ଚ ମାସରେ ପୁନର୍ବାର ନିଯୁକ୍ତି ପାଇଁ ବିଜେଡି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲା । ଜୁନ୍ ମାସରେ ସରକାର ପରିବର୍ତ୍ତନ ହେଲା ଏବଂ ପୂର୍ବଭଳି କିଛି ଆଶାୟୀ ହାଇକୋର୍ଟରେ କେସ୍ ଫାଇଲ କରିଥିଲେ । ବିଜେପି ସରକାରରେ ବିଗତ ୨ ବର୍ଷ ହେଲା ବାରମ୍ବାର କେସ୍ ତାରିଖ ଆସିଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଓକିଲ ଏହି କେସ୍ରେ ଭାଗ ନେଇନଥିଲେ, ଯାହା ଫଳରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ହୋଇପାରିଲା ନାହିଁ । ଆଶାୟୀ ମାନେ ବାରମ୍ବାର ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗର ସଚିବ, ମୁଖ୍ୟ ଶାସନ ସଚିବ ଓ ଆଡଭୋକେଟ୍ ଜେନେରାଲଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ନିଯୁକ୍ତି ବାବଦରେ ବିଜ୍ଞପ୍ତି ପ୍ରକାଶ କରିବା ନେଇ ସରକାର କୌଣସି ତତ୍ପରତା ଦେଖାଇ ନଥିଲେ । ଆଗାମୀ ଜୁନ୍ ୩୦ ତାରିଖରେ ହାଇକୋର୍ଟରେ ହେବାକୁ ଥିବା ଶୁଣାଣିରେ ସରକାରୀ ଓକିଲ ଅଂଶଗ୍ରହଣ କରି ୫୦ ହଜାର ଉଚ୍ଚଶିକ୍ଷିତ ଆଶାୟୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ସରକାର ତୁରନ୍ତ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ, ନଚେତ୍ ଆଗାମୀ ଦିନରେ ଏସ୍ଏସ୍ବି ଆଶାୟୀଙ୍କ ଲଢ଼େଇକୁ ବିଜୁ ଛାତ୍ର ଜନତା ଦଳ ତୀବ୍ରତର କରିବ ।ଶ୍ରୀ ପ୍ରଦୋଷ ପରିଡ଼ା କହିଥିଲେ ଯେ, ଉଚ୍ଚଶିକ୍ଷିତ ଏସ୍ଏସ୍ବି ଆଶାୟୀଙ୍କୁ ଅଣଦେଖା କରି ସରକାର ୨୦୨୫ ଅକ୍ଟୋବର ୨୩ ତାରିଖ ଦିନ ଅବସରପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କର ପୁନଃ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କଲେ । ୫୦ ହଜାର ଆଶାୟୀ ରାଜରାସ୍ତାରେ ଲଢ଼େଇ କରୁଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପୁନଃ ନିଯୁକ୍ତି କାହା ସ୍ୱାର୍ଥରେ ? ଦୁଃଖ ଓ ପରିତାପ ବିଷୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଆଶାୟୀ ମାନେ ଭେଟି ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଆଲୋଚନା କରିବା ସମୟରେ ମନ୍ତ୍ରୀ କହିଥିଲେ ଯେ, ଦରମା ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ତେଣୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଉନାହିଁ । ମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ହୋଇଛି, ରାଜ୍ୟ ବିଜେପି ସରକାର କେତେ ଅସହାୟ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ୧.୫ ଲକ୍ଷ ସରକାରୀ ନିଯୁକ୍ତି ଦେବାକୁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ସରକାର ପିଲାଙ୍କ ଭବିଷ୍ୟତ ସହିତ ନ ଖେଳି ତୁରନ୍ତ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking