ନୁଆଦିଲ୍ଲୀ: ଅସ୍ତ୍ରବିରତି ସତ୍ତ୍ୱେ ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଆକ୍ରମଣରେ ପରୀକ୍ଷା ଦେବାକୁ ଯାଉଥିବା ୧୬ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସ୍ତ୍ରବିରତି ସତ୍ତ୍ୱେ ଗାଜା ଷ୍ଟ୍ରିପରେ ଆକ୍ରମଣ କରୁଛି ଇସ୍ରାଏଲ । ଗାଜା ସହରର ଏକ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି । ଏହି ବିମାନ ଆକ୍ରମଣରେ ଜଣେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ରାଘଦ ହାସନ ଆଶୁର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ।
ରାଘଦ ଏକାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଉଥିବା ବାଟରେ ଏଭଳି ଘଟିଛି । ଘଟଣାସ୍ଥଳରୁ ମିଳିଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଆକ୍ରମଣ ପରେ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି । ନିର୍ଦ୍ଦୋଷ ରାଘଦଙ୍କ ମୃତ୍ୟୁ ସହିତ ବିମାନ ଆକ୍ରମଣରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଇସ୍ରାଏଲୀ ସେନା ଏହି ଗମ୍ଭୀର ବିଷୟରେ ସରକାରୀ ସ୍ପଷ୍ଟୀକରଣରେ କହିଛି ଯେ, ସେମାନଙ୍କର ଟାର୍ଗେଟରେ ଜଣେ ହମାସ ସଦସ୍ୟ ଥିଲେ । ସେନା ସ୍ୱୀକାର କରିଛି ଯେ, ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ହୋଇଛି । ୨୦୨୩ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଏହି ଭୟଙ୍କର ଯୁଦ୍ଧରେ ୭୩ ହଜାରରୁ ଲୋକ ପ୍ରାଣ ହରାଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧାରୁ ଅଧିକ ନିରୀହ ମହିଳା ଏବଂ ଶିଶୁ ଥିବା ସୂଚନା ମିଳିଛି ।









