ଭୀମଟାଙ୍ଗୀରେ ମହିଳାଙ୍କୁ ହତ୍ୟା ଘଟଣା : ହସ୍ପିଟାଲରେ ବାଉଳି ହେଉଛି ଜଗନ୍ନାଥ

ଭୁବନେଶ୍ୱର : ହସ୍ପିଟାଲରେ ଅଭିଯୁକ୍ତ ଜଗନ୍ନାଥ ବାଉଳି ହେଉଛି । ଏମିତିକି ସାଇକୋ ପାଲଟି ପ୍ରେମିକା ରିଙ୍କିଙ୍କୁ ଝୁରୁଛି, କାନ୍ଦୁଛି, ଆଉ ମନେ ପକାଉଛି । ହଠାତ୍ ଶୋଇପଡୁଛି । ପୁଣି ବେଡରୁ ଉଠି ବସିପଡୁଛି । ଏହାଦେଖି ନର୍ସମାନେ ମଧ୍ୟ ଡରିଯାଉଛନ୍ତି । ଏମିତିକି ଠିକ୍‌ଭାବେ ସେ ଖାଦ୍ୟ ମଧ୍ୟ ଖାଉନାହିଁ । ହତ୍ୟାକାଣ୍ଡ ଦିନକୁ ମନେ ପକାଇ ବାଉଳିଚାଉଳି ହେଉଛି । ଜଗନ୍ନାଥର ମାନସିକ ଅବସ୍ଥା ସୁଧୁରିନଥିବାବେଳେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି କିଛିଦିନ ଲାଗିବ ବୋଲି ଜଣାପଡ଼ିଛି । ତେବେ ଏହାରି ଭିତରେ ପୋଲିସ ମଧ୍ୟ ତା’ର ତଦନ୍ତ ଜାରି ରଖିଛି । ଜଗନ୍ନାଥ ସୁସ୍ଥ ହେବା ଯାଏଁ ପୋଲିସ ସବୁଦିଗକୁ ନେଇ ତଦନ୍ତ ଚଳାଇଛି । ଏଥିରେ ଆଉ କିଏ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ୍ କରୁଛି ।
ସୂଚନାଯୋଗ୍ୟ, ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ମୃତକ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ସ୍ୱାମୀ ରାକେଶ ସାହୁ ଏବଂ ୩ବର୍ଷର ପୁଅ ଘର ଭଡ଼ା ନେଇ ରହୁଥିଲେ । ଗତ ସୋମବାର ଯାଜପୁରର ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ପରେ ଭିଡ଼ିଓ କଲ୍ କରି ପ୍ରିୟଙ୍କାଙ୍କ ସ୍ୱାମୀକୁ ସ୍ତ୍ରୀ’କୁ ଦେଖାଇଥିଲା । ଏହାପରେ ନିଜେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୌଭାଗ୍ୟବଶଃତ ୩ବର୍ଷର ପୁଅ ଘରମାଲିକଙ୍କ ପାଖକୁ ପଳାଇଯାଇଥିଲେ । ନହେଲେ ତାକୁ ବି ଅଭିଯୁକ୍ତ ମାରିବାର ଯୋଜନା କରିଥିଲା । ଏସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥକୁ ହସ୍ପିଟାଲ ପଠାଇଥିଲା । ଏହାପରେ ସେଠାରୁ ସୁଇସାଇଡ୍ ନୋଟ୍ ସମେତ ଛୁରି ଓ ତଦନ୍ତ ସାପେକ୍ଷ ଜିନିଷ ଜବତ କରିଥିଲା ।

ହ୍ୱାଟ୍ସଆପ୍ ଚାଟ୍ ଖେଳାଉଛି ପୋଲିସ
ପ୍ରିୟଙ୍କା ବିବାହ ପରେ ଜଗନ୍ନାଥଙ୍କ ସହ ଆଉ କଥା ହୋଇନଥିଲେ । ହେଲେ ଗତବର୍ଷ ଲକ୍‌ଡାଉନରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଉଭୟ କିଛି ମାସ କଥା ହୋଇଥିଲେ । ହେଲେ ହଠାତ୍ ପ୍ରିୟଙ୍କା ଜଗନ୍ନାଥଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ତାଙ୍କ ହ୍ୱାଟ୍ସଆପ୍ ମେସେଜ୍‌ର ରିପ୍ଲାଏ ଦେଇନଥିଲେ । ଏମିତିକି ଆଉ ଜଣେ ଯୁବକ ସହିତ ପ୍ରିୟଙ୍କା କଥା ହେଉଥିବା ଜଗନ୍ନାଥ ସନ୍ଦେହ କରିଥିଲେ । ତେବେ ଉଭୟ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ହ୍ୱାଟ୍ସଆପ୍ ଚାଟ୍‌ର ଖୋଳତାଡ୍ କରୁଛି ପୋଲିସ । ସେମାନେ କେବେଠାରୁ କଥା ହେଉଥିଲେ, କେବେ କଥା ବନ୍ଦ ହୋଇଥିଲା, ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

ପ୍ରିୟଙ୍କା ଦୂରେଇବାକୁ ଚାହୁଁଥିଲେ
ଲକ୍‌ଡାଉନ ହେବାରୁ ଜଗନ୍ନାଥ ବାଙ୍ଗାଲୋରରୁ ଓଡ଼ିଶା ଚାଲିଆସିଥିଲେ । ଏହାପରେ ସେ ପ୍ରିୟଙ୍କାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଏମିତିକି ପୁରୁଣା ପ୍ରେମକୁ ମନେ ପକାଇ ସେ ପ୍ରିୟଙ୍କାଙ୍କୁ ବାରମ୍ବାର ମେସେଜ୍ କରୁଥିଲେ । ପ୍ରିୟଙ୍କା ଦୂରେଇ ରହିବା ପାଇଁ ଜଗନ୍ନାଥଙ୍କ ମେସେଜ୍‌କୁ ଅଣଦେଖା କରୁଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଯାହାଫଳରେ ଜଗନ୍ନାଥ ରାଗି ଏଭଳି ନୃଶଂସ କାଣ୍ଡ ଘଟାଇଛି ।

ତୃତୀୟ ବ୍ୟକ୍ତିକୁ ଖୋଜାଚାଲିଛି
ଏହି ହତ୍ୟାକାଣ୍ଡ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ସନ୍ଦେହ କରାଯାଉଛି । ପ୍ରେମରେ ତୃତୀୟ ବ୍ୟକ୍ତିଙ୍କ ପ୍ରବେଶରୁ ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାକୁ ମାରିଥିବା ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ ହୋଇଛି । ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିଲେ ବି ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ତେବେ ଏହି ତୃତୀୟ ବ୍ୟକ୍ତି ଜଣକ କିଏ, ସୁଇସାଇଡ୍ ନୋଟ୍‌ରେ ତା’ ନାମ କାହିଁକି ରହିଲା, ଏନେଇ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଖୋଜୁଥିବା ଜଣାପଡୁଛି । ଏନେଇ ପୁଲିସ ଜଗନ୍ନାଥଙ୍କ ଗାଁକୁ ଯାଇ ସମ୍ପୃକ୍ତ ବ୍ୟକ୍ତି ବିଷୟରେ ପଚରାଉଚରା କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here