29.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟମଧୁମେହ ଦୂର ପାଇଁ ଘି’ କୁଆଁରୀ

ମଧୁମେହ ଦୂର ପାଇଁ ଘି’ କୁଆଁରୀ

ଭୁବନେଶ୍ୱର : ଘି’ କୁଆଁରୀ ବା ଏଲୋଭେରା ଆମ ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ଉପଲବ୍ଧ ଉପକାରୀ ଔଷଧୀୟ ଉଦ୍ଭିଦ । ଏହାକୁ ଲୋକେ ସାଧାରଣତଃ ଘରେ କୁଣ୍ଡରେ ସଜାଇବା ପାଇଁ ଲଗାଇଥାନ୍ତି । ଏହା ବହୁ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ । ଏହାର ଫୁଲ ଦେଖିବାକୁ ଈଷତ୍ ଲାଲ ରଙ୍ଗର ଏବଂ ଏହା ଶୀତ ଋତୁର ଦୋଷ ଆଡ଼କୁ ଫୁଟେ । ଏହାର ପତ୍ରର ଔଷଧୀୟ ଗୁଣ ରହିଛି । ଏହାର ତାଜାରସକୁ ‘କୁମାରୀ ସାର’ କହନ୍ତି ଏବଂ ଶୁଖିଲା ରସ ମୁସବ୍ବର ନାଁରେ ବଜାରରେ ମିଳେ । ଆଜିକାଲି ଘି’ କୁଆଁରୀ ଚାଷ ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲାଣି ।

ଘି’ କୁଆଁରୀର ଉଭୟ ପୁଷ୍ଟିକର ଓ ଔଷଧୀୟ ଗୁଣ ରହିଛି । ଏହାର ପତ୍ର ରସର କବକ (ଫଙ୍ଗସ୍) ଏବଂ ଜୀବାଣୁ (ବ୍ୟାକ୍ଟେରିଆ) ନିରୋଧୀ ଗୁଣ ରହିଛି । ଏହାର ପତ୍ର ରସରେ ଅନେକ ଉପାଦେୟ ଭିଟାମିନ୍, ମିନେରାଲ୍ ତଥା ଉପକାରୀ ବୀଟା-କେରୋଟିନ, ଅମିନୋ ଏସିଡ୍ ଓ ଶ୍ୱେତସାର ଜାତୀୟ ତତ୍ତ୍ୱ ରହିଛି, ଯାହା ଘା’କୁ ଶୁଖାଇବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ପାଚନ ପ୍ରଣାଳୀର ପ୍ରଦାହକୁ କମ୍ କରିଥାଏ । ଏଣୁ ଏହା କୋଷ୍ଠ କାଠିନ୍ୟ, ଗ୍ୟାସ, ପୁରୁଣା ଅମାଶୟରୋଗରେ ଏହା ଅତ୍ୟନ୍ତ ଉପଯୋଗୀ । ବିଭିନ୍ନ ଚର୍ମରୋଗ, ଯଥା – ଅଧିକ ସୂର୍ଯ୍ୟ ବିକିରଣରୁ ତ୍ୱଚା ପୋଡ଼ିଯିବା, ଅଗ୍ନିଦଗ୍ଧ, ଅସମୟରେ ଚର୍ମ କୁଞ୍ଚିତ ହେବା, ତ୍ୱଚା ନାଲି ପଡ଼ିବା ଓ ଛୋଟ ଘା’ରେ ଏହାର ପତ୍ର ରସ ଲଗାଇଲେ ଲାଭ ମିଳେ ।
ଆଜିକାଲି ବଜାର ଓ ଔଷଧ ଦୋକାନରେ ଏଲୋଭେରା ଜୁସ୍ ବିକ୍ରି ହେବାର ଦେଖାଯାଉଛି । ଉଚିତ ପରାମର୍ଶ ଦ୍ୱାରା ଏହା ପିଇଲେ କୋଷ୍ଠବଦ୍ଧତା, ଶାରୀରିକ ଦୁର୍ବଳତା ଦୂର ହେବା ସଙ୍ଗେ ସଙ୍ଗେ ଏହା ଯକୃତ, ତ୍ୱଚା ଓ କେଶକୁ ସୁସ୍ଥ ରଖେ । ଏହା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ପାଚନଗତ ସମସ୍ୟା, କାମଳ, ମୋଟାପା, ମଧୁମେହ, ମାସିକ ଧର୍ମରେ ଅନିୟମିତତା ରୋଗୀ ପାଇଁ ମଧ୍ୟ ଏହା ଉପକାରୀ । ଘି’ କୁଆଁରୀ ରସକୁ ବୟସ୍କ ବ୍ୟକ୍ତି ରୋଗର ଅବସ୍ଥା ଅନୁସାରେ ୫ରୁ ୧୦ ଗ୍ରାମ ଖାଇବା ଉଚିତ । ଅଧିକ ମାତ୍ରାରେ ଖାଇଲେ ଏହା ଅତିସାର କରିପାରେ । ଶିଶୁ, ଗର୍ଭବତୀ ଏବଂ ବୃକକ୍ ରୋଗୀ ଏହାର ସେବନ ସତର୍କତାର ସହିତ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking