ବରଗଡ : ବରଗଡ଼ ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଲିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚ୍ସି ଭାବରେ ଘୋଷଣା କରାଯାଇଛି । ତା ସତ୍ୱେ ମଧ୍ୟ ଏଠାରେ ରୋଗୀ ଠିକ୍ ଭାବରେ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ସରକାର ଗର୍ଭବତୀ ତଥା ନବଜାତକ ସନ୍ତାନ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତା ସତ୍ୱେ ମଧ୍ୟ ବରଗଡ଼ ସଦର ମହକୁମାରେ ପ୍ରସୂତି ବାରଣ୍ଡା, ଅଟୋରେ ଶିଶୁ ଜନ୍ମ ଘଟଣା ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ।
ସୂଚନା ଅନୁଯାୟୀ, ବରଗଡ଼ ନିକଟସ୍ଥ ତୋରା ଗ୍ରାମର ନେତ୍ରାନନ୍ଦ ମହାପାତ୍ର ନିଜ ଆସନ୍ନ ପ୍ରସବା ସ୍ତ୍ରୀ ଜ୍ୟୋତିମୟୀକୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ତେବେ ଡାକ୍ତର କୋଭିଡ୍ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନ ଥିଲେ । ଅପରପକ୍ଷେ ପ୍ରସୂତି କକ୍ଷରେ ବନ୍ଦ ଥିବା ସହ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ହଇରାଣ ହେବା ପରେ ହସ୍ପିଟାଲ ପରିସରରେ ଅଟୋ ମଧ୍ୟରେ ନେତ୍ରାନନ୍ଦଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେହିପରି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ନିଜ ସ୍ତ୍ରୀ ଲଳିତାକୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଙ୍କୁ ଅପେକ୍ଷା କରିଥିବାବେଳେ ଲଳିତା ଡାକ୍ତରଖାନା ପରିସରରେ ବନ୍ଦ ହୋଇ ପଡିରହିଥିବା ମାତୃ ମଙ୍ଗଳ କେନ୍ଦ୍ର ବାର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।