ନୂଆଦିଲ୍ଲୀ: ନିଜକୁ ଦେବାଳିଆ ଘୋଷଣା କରିବାକୁ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ୍ ଇତିମଧ୍ୟରେ ଏନ୍ସିଏଲଟି (ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ)ର ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ଏହାର ଶୁଣାଣି ହୋଇଥିବାବେଳେ ଏନ୍ସିଏଲଟି ରାୟକୁ ସଂରକ୍ଷିତ ରଖିଛନ୍ତି । ଏୟାରଲାଇନ୍ସର ଦେବାଳିଆ ଆବେଦନକୁ ଲେସର (ଏୟାରଲାଇନ୍ସକୁ ଲିଜ୍ ସୂତ୍ରରେ ବିମାନ ଯୋଗାଇଥିବା ସଂସ୍ଥା) କମ୍ପାନୀଗୁଡିକ ବିରୋଧ କରିଥିଲେ । ପ୍ରଥମେ ସେମାନଙ୍କ ଯୁକ୍ତି ଶୁଣିବାକୁ ଦାବି କରାଯାଇଥିଲା ।
ଜଷ୍ଟିସ ରାମଲିଙ୍ଗମ ସୁଧାକରଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍ସିଏଲଟିର ଦୁଇଜଣିଆ ପୀଠ ଉଭୟପକ୍ଷର ଯୁକ୍ତି ଶୁଣିବାପରେ ରାୟ ସଂରକ୍ଷିତ ରଖିଛନ୍ତି । ଅପରପକ୍ଷରେ ବିଭିନ୍ନ କଟକଣାରୁ ରିହାତି ପାଇବାକୁ ଗୋ-ଫାଷ୍ଟ ଏନ୍ସିଏଲଟି (ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ)ର ଦ୍ୱାରସ୍ଥ ହୋଇଛି । ଲିଜ୍ସୂତ୍ରରେ ଗୋ-ଫାଷ୍ଟ୍କୁ ବିମାନ ଯୋଗାଇଥିବା ସଂସ୍ଥା ଉକ୍ତ ବିମାନକୁ କାଳେ ଫେରାଇନେବେ, ଏୟାରପୋର୍ଟରେ ମିଳିଥିବା ପାର୍କିଂ ସ୍ଥାନ କାଳେ ହାତଛଡା ହେବ, ବିମାନ ଇନ୍ଧନ ଯୋଗାଉଥିବା କମ୍ପାନୀ କାଳେ ସମ୍ପର୍କ ତୁଟାଇବେ କିମ୍ବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଏଡାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୋ-ଫାଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ।
ୱାଡିଆ ଗ୍ରୁପ୍ ମାଲିକାନାରେ ପରିଚାଳିତ ଏହି ଏୟାରଲାଇନ୍ସ ଉପରେ ବର୍ତ୍ତମାନ ସୁଦ୍ଧା ୧୧,୪୬୩ କୋଟି ଟଙ୍କାର ଋଣବୋଝ ରହିଛି । ଏହି କାରଣରୁ ଗୋ-ଫାଷ୍ଟ ନିଜକୁ ଦେବାଳିଆ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ୧୭ ବର୍ଷ ଧରି ବିମାନ ଚଳାଚଳ ବ୍ୟବସାୟରେ ସଂପୃକ୍ତ ଗୋ-ଫାଷ୍ଟ୍ ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ବିମାନର ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ସେଗୁଡିକ ଉଡାଣଯୋଗ୍ୟ ହୋଇପାରୁନାହିଁ । ଗତ ଆର୍ôଥକବର୍ଷରେ ଗୋଫାଷ୍ଟ ୩୬୦୦ କୋଟି ଟଙ୍କାର କ୍ଷତି ସହିଥିଲା । ବର୍ତ୍ତମାନ ଗୋ-ଫାଷ୍ଟ୍ ଏୟାରଲାଇନ୍ସରେ ମୋଟ ୫୩ଟି ବିମାନ ରହିଛି ।