28.1 C
Bhubaneswar
Sunday, September 8, 2024
Homeଓଡିଶା୮,୨୧୬ କୋଟିର ରେଳ ପ୍ରକଳ୍ପର ଶୁଭାରମ୍ଭ; ବିକାଶର ଇଞ୍ଜିନ ବନ୍ଦେ ଭାରତ ଏକ୍ସପ୍ରେସ୍‌: ମୋଦୀ

୮,୨୧୬ କୋଟିର ରେଳ ପ୍ରକଳ୍ପର ଶୁଭାରମ୍ଭ; ବିକାଶର ଇଞ୍ଜିନ ବନ୍ଦେ ଭାରତ ଏକ୍ସପ୍ରେସ୍‌: ମୋଦୀ

ଭୁବନେଶ୍ୱର: ବନ୍ଦେ ଭାରତ ଏକ୍ସପ୍ରେସ୍ ବିକାଶର ଇଞ୍ଜିନ । ଏହି ଦ୍ରୁତଗାମୀ ଟ୍ରେନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ୁଥିବାବେଳେ ଭାରତର ଗତି ଓ ପ୍ରଗତି ଦେଖିବାକୁ ମିଳିଥାଏ । ଓଡ଼ିିଶା ଓ ପଶ୍ଚିମବଙ୍ଗରେ ତାହା ଏବେ ଦେଖିବାକୁ ମିଳିଛି । ଏହା ଯାତ୍ରୀମାନଙ୍କ ପାଇଁ ଯାତ୍ରା କରିବାର ଅଭିଜ୍ଞତା ସହିତ ବିକାଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ । ଯାତ୍ରା ସମୟ ବର୍ତ୍ତମାନ ସାଢ଼େ ଛଅ ଘଣ୍ଟାକୁ ହ୍ରାସ ପାଇବ । ଏଥିଯୋଗୁଁ ସମୟ ବଞ୍ଚିବ, ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଓ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ । ଥେଣୁ କୋଲକାତା ଠାରୁ ପୁରୀକୁ ଦର୍ଶନ ପାଇଁ ହେଉ କିମ୍ବା ଅନ୍ୟ କାର୍ଯ୍ୟରେ ହେଉ ସମସ୍ତେ ଟ୍ରେନର ସୁବିଧା ନେଇପାରିବେ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବା ସହ ଓଡ଼ିଶାରେ ୮୨୧୬ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅନ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ରାଜ୍ୟର ରେଳ ନେଟ୍‌ୱାର୍କର ୧୦୦% ବିଦ୍ୟୁତିକରଣ, ସମ୍ବଲପୁର-ଟିଟଲାଗଡ଼ ରେଳଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ୍ ଗଜ ରେଳଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳଲାଇନ୍ ଏବଂ ବିଛୁପାଲି-ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ୍‌-ଗଜ୍ ଲାଇନ୍‌ର ଲୋକାର୍ପଣ ଅନ୍ତର୍ଭୁକ୍ତ ରହିଛି । ପୁରୀ ଷ୍ଟେସନରୁ ଉଦ୍‌ଘାଟିତ ହେବା ପରେ ଟ୍ରେନଟି ହାୱଡ଼ା ଅଭିମୁଖେ ବାହାରିଛି । ପୁରୀ,କଟକ ଓ ଭୁବନେଶ୍ୱରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଦୂର ଯାତ୍ରା କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ରେଳ ହେଉଛି ପ୍ରଥମ ପସନ୍ଦ ଓ ପ୍ରାଥମିକତା । ତେଣୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରଦାନ କରାଯାଉଛି । ସେହିପରି ପୁରୀ ଓ କଟକ ରେଳ ଷ୍ଟେସନର ପୁନଃର୍ନିମାଣ ଏବଂ ଆଧୁନିକୀକରଣ ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିସହିତ ରାଜ୍ୟରେ ଅନେକ ରେଳ ଲାଇନର ଦୋହରିକରଣ ଓ ବିଦ୍ୟୁତିକରଣ କାର୍ଯ୍ୟର ଲୋକାର୍ପଣ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜାଦୀ କା ଅମୃତ କାଳରରେ ଦେଶର ଏକତା ଓ ଅଖଣ୍ଡତାକୁ ଗୁରୁତ୍ୱ ଦେବାକୁ ହେବ । ଦେଶ ଏକଜୁଟ ହୋଇ ରହିଲେ, ଦେଶର ସାମୂହିକ ଦକ୍ଷତା ଶିଖରରେ ପହଞ୍ଚିପାରିବ । ବନ୍ଦେ ଭାରତ ଏକ୍ସପ୍ରେସ ଏଭଳି ବିଶ୍ୱାସର ପ୍ରତିଫଳନ । ଭାରତର ବିକାଶକୁ ଆଗକୁ ବଢାଇବା ସହ ଏହା ଦେଶ ପାଇଁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଆବେଗ ସହ ବିକାଶର ଇଞ୍ଜିନ ପାଲଟିଛି । ଭାରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିଥାଏ ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ସମାନ ଧାରଣା ଏବଂ ଚିନ୍ତାଧାରା ସହିତ ଆଗକୁ ବଢ଼ିିବ । ଏହି ଟ୍ରେନ୍ ପୁରୀ ଓ ହାୱଡା ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂଯୋଗକୁ ମଜବୁତ କରିବ । ସାଂପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ବଜାୟ ରଖିଛି । ଏହି ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଶ୍ରେୟ ରହିଛି । ପ୍ରତ୍ୟେକ ରାଜ୍ୟକୁ ନେଇ ଦେଶ ଆଗକୁ ବଢୁଛି ।

ପୂର୍ବ ସମୟ ତୁଳନାରେ ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞାନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି । ମହାମାରୀ ସମୟରେ ଭାରତ ୫-ଜି ଏବଂ ଟିକା ଭଳି ବନ୍ଦେଭାରତ ଏକ୍ସପ୍ରେସ୍‌ରେ ଦେଶୀୟ ଜ୍ଞାନକୌଶଳ ବିକଶିତ କରିଛି । ଏହି ଉଦ୍ଭାବନଗୁଡ଼ିକ କେବଳ ଗୋଟିଏ ରାଜ୍ୟ କିମ୍ବା ସହରରେ ସୀମିତ ରହିଲା ନାହିଁ, ବରଂ ସମାନ ଢଙ୍ଗରେ ସାରା ଦେଶରେ ନିଆଗଲା । ସେହିଭଳି ବନ୍ଦେ ଭାରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ର ଏହି ନୀତି ବିକାଶରେ ପଛରେ ପଡିଥିବା ସେହି ରାଜ୍ୟଗୁଡିକ ପାଇଁ ଲାଭଦାୟକ । ଓଡିଶାରେ ରେଳ ଯୋଜନା ପାଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପାଇଛି । ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ମାତ୍ର ୨୦ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ମାତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବା ଲାଇନ ପ୍ରତିଷ୍ଠା କରାଯାଇଥିଲା ।

ଖୋର୍ଦ୍ଧା ବୋଲାଙ୍ଗୀର ଲାଇନ ଏବଂ ହରିଦାସପୁର-ପାରାଦୀପ ଲାଇନ ଭଳି ଦୀର୍ଘ ଦିନରୁ ପଡ଼ିରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେଉଛି । ଓଡ଼ିିଶା ଦେଶର ସେହି ରାଜ୍ୟ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି । ଏହାଦ୍ୱାରା ଟ୍ରେନ ଗତିର ସାମଗ୍ରିକ ବୃଦ୍ଧି ଘଟିବା ସହିତ ମାଲବାହୀ ଟ୍ରେନ୍ ପାଇଁ ସମୟ ସଞ୍ଚୟ ହୋଇଛି । ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶା ରେଳ ଲାଇନର ବିଦ୍ୟୁତିକରଣ ଦ୍ୱାରା ବହୁ ଲାଭବାନ ହେବ । ଭିତ୍ତିଭୂମି ର୍ନିମାଣର ବିକାଶ ଘଟିବ । ତାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ରେଳପଥ ଓ ରାଜପଥ ସଂଯୋଗ, ଯାତାୟତରେ ସୁଗମତା ଏବଂ କୃଷକମାନଙ୍କୁ ନୂତନ ବଜାର, ପର୍ଯ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ କରିବ । କଲେଜ ଛାତ୍ରମାନଙ୍କୁ ସଂଯୋଗ ସେତୁ ସଦୃଶ ହେବ । ତେଣୁ ଦେଶ “ଜନ ସେବା ହିଁ ପ୍ରଭୁ ସେବା’ ର ଆବେଗ ସହିତ ଗତି କରୁଛି । ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ଏବଂ ଆୟୁଷ୍ମାନ କାର୍ଡ, ଉଜ୍ଜ୍ୱଳା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ରହିଛି । ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନିଜ ନିଜର ମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking