ଭୁବନେଶ୍ବର: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା। କଟକ ସଦର ଥାନା ଗଙ୍ଗେଶ୍ବରପଡ଼ାରୁ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ର କୁ ପୁଲିସ୍ ଗିରଫ କରିଛି। ସୌମ୍ୟଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚିନୁ ବାଉଁଶରେ ପିଟିଥିବା ଜଣାପଡ଼ିଛି। ପୂର୍ବରୁ ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ପୁଲିସ୍ ଅଭିଯୁକ୍ତ ବଣ୍ଟି ଓରଫ୍ ଯୁଧିଷ୍ଠିର ଜେନାକୁ ଗିରଫ କରି କୋର୍ଟ ପଠାଇଥିଲା। ଏପର୍ଯ୍ୟନ୍ତ, ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୁଲିସ୍ ପୂର୍ବରୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛନ୍ତି।ସେପଟେ ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ୍ ଙ୍କୁ ନିଲମ୍ବନ କରାଯାଇଛି। ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି।










