ବଲାଙ୍ଗିର : ବହୁ ଦିନର ନୀରବତା ପରେ ବଲାଙ୍ଗିର ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି । ସାରା ଜିଲ୍ଲାରେ ପଳାତକ ଆପରାଧିଙ୍କୁ ନିକଟସ୍ଥ ଥାନାରେ ଆତ୍ମ ସମର୍ପଣ ପାଇଁ ପୋଲିସ ପକ୍ଷରୁ ନୋଟିସ କରାଯାଉଛି । ସେହିପରି ଗତକାଲି ବଲାଙ୍ଗିର ପୋଲିସ ସହରରେ ମଧ୍ୟ ନୁଆଁ ରୂପ ଦେଖାଇଛି । କୌଣସି ସୂତ୍ରରୁ ବଡ଼ ଧରଣର ଲୁଟ ଖବର ପାଇବ ପରେ , ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଷ୍ଣୁମୁଣ୍ଡା ଅଂଚଳରୁ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସହରର ସାରା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଆପରାଧି ଲୁଟେରାଙ୍କୁ କାବୁ କରିବା ନେଇ ପୋଲିସ ଅଣ୍ଟା ଭିଡିଥିବା ଏସଡିପିଓ ତୋଫାନ ବାଗ କହିଛନ୍ତି । ସେହି କ୍ରମରେ, ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ଟାଉନ ପୋଲିସର ପେଟ୍ରୋଲିଂ ଟିମ୍ ୬ ଜଣ ଲୁଟେରାକୁ କାବୁ କରିବା ସହ ଲୁଟେରାମାନଙ୍କ ନିକଟରୁ ୨ଟି ସ୍କୁଟି, ଗୋଟିଏ ବାଇକ, ୬ଟି ମୋବାଇଲ ଫୋନ୍, ୨ଟି ଖଣ୍ଡା, ଗୋଟିଏ ସକଅପ୍ ରଡ ଓ ଗୋଟିଏ ଏୟାର ଗନ୍ ଜବତ କରିଛି । ତା ସହ ବିଷ୍ଣୁମୁଣ୍ଡାର ଶ୍ରୀକାନ୍ତ ସୁନା (୨୪), ନିତେଇ ନନ୍ଦ (୨୪), ଅବିନାଶ ଓରଫ ସୁମନ ବାଗ (୧୯), ସୁଦାମ ସୁନା (୨୫) ଓ ମାଲଗୋଦାମ ପଡାର ଧନେଶ୍ୱର ନାଗ (୨୬) ଓ ତେଜରାଜ ନନ୍ଦ (୨୬) ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଲୁଟ ତରାଜ ମାମଲାରେ ସାମିଲ ଥିବା ନେଇ ପୋଲିସ ସୂଚନା ଦେଇଥିବା ବେଳେ ସହର ର ଅନ୍ୟ ଅପରାଧି ଙ୍କୁ ପୋଲିସ କଡା ତାଗିଦ କରିଛି। ତେବେ ପୋଲିସର ଏହି ରୁପ ସହରବାସୀଙ୍କୁ ବେଶ ଆଶ୍ୱସ୍ଥ କରିଛି ।