ମୁମ୍ବାଇ: ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ ଥିବା ଗୌତମ ନବଲଖାଙ୍କୁ ସୁପ୍ରିମକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏଥିସହ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଉପରେ ଲଗାଇଥିବା ରୋକ୍କୁ ମଧ୍ୟ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ପ୍ରକାଶ, ନଭେମ୍ବର ୨୦୨୨ରୁ ଗୌତମ ନବଲଖା ନବିମୁମ୍ବାଇ ସ୍ଥିତ ନିଜ ଘରେ ହିଁ ଗୃହବନ୍ଦୀ ଭାବେ ରହିଆସୁଛନ୍ତି । ତେବେ ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୌତମ ନବଲଖା ଗତ ୪ ବର୍ଷ ଧରି ବନ୍ଦୀ ଭାବେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇନାହିଁ । ତେଣୁ ଶୁଣାଣି ପ୍ରକ୍ରିୟା ଆହୁରି ଅଧିକ ବିଳମ୍ବ ହୋଇପାରେ । ଅନ୍ୟପକ୍ଷେ ଏହି ମାମଲାରେ ଅନ୍ୟ ୬ ଅଭିଯୁକ୍ତ ବହୁ ପୂର୍ବରୁ ଜାମିନ ପାଇସାରିଛନ୍ତି । ତେଣୁ ନବଲଖାଙ୍କ ଜାମିନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବାଢ଼ାଇବା କୌଣସି ଆବଶ୍ୟକତା ନାହିଁ । ସୁତରାଂ ଗତ ୨ବର୍ଷ ମଧ୍ୟରେ ଗୃହବନ୍ଦୀ ଖର୍ଚ୍ଚ ବାବଦକୁ ନବଲଖାଙ୍କୁ ୨୦ଲକ୍ଷ ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରକାଶ, ଗୌତମ ନବଲଖାଙ୍କ ଜାମିନ ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଭୀମା କୋରେଗାଓଁ ଠାରେ ଜାତିଗତ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ଆଧାରରେ ୨୦୧୮ ଜାନୁଆରୀ ୧ରେ ପୁଣେ ପୁଲିସ ଓ ପରେ ଏନ୍ଆଇଏ ନବଲଖାଙ୍କୁ ଗିରଫ କରିଥିଲା ।