26.1 C
Bhubaneswar
Thursday, April 10, 2025
Homeଦେଶ ବିଦେଶଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

ଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

ଅହମଦାବାଦ, :  ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ ମନ୍ଦିରର ତଳତାଲା ସ୍ଥିତ କମ୍ୟୁନିଟି ହଲରେ ବିରାଜମାନ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏଠାରେ ସନ୍ଧ୍ୟା ୬ଟା ବେଳେ ଦିଅଁ ମାନଙ୍କର ବାହୁଡା଼ ଯାତ୍ରା ଆରମ୍ଭ ହୋଇଥିଲା। ଉପସ୍ଥିତ ପୂଜକ ଓ ଭକ୍ତମାନେ ରୋଷଣୀ କରି ଚାରି ଠାକୁରଙ୍କୁ ମାଉସୀମା ମନ୍ଦିରରୁ ଉପରତାଲାର ବାଇଶି ପାହାଚ ପରେ ନିର୍ମିତ ସ୍ବତନ୍ତ୍ର ମଞ୍ଚକୁ ନେଇଥିଲେ। ଏହା ପରେ ମହାପ୍ରଭୁଙ୍କର ସାମ୍ନାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ କଲଚରାଲ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ( ଜେ.ସି. ଏ. ଆର୍.ସି) ତରଫରୁ ପ୍ରଯୋଜନା କରାଯାଇଥିବା ନାଟକ ‘ ଫେରିଯାଅ ମହାବାହୁ’ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କର କାହାଣୀ ଓ ଲୀଳା ଉପରେ ଆଧାରିତ ଏକ ଘଣ୍ଟାର ଏହି ପ୍ରସ୍ତୁତି ଖୁବ ଜୀବନ୍ତ ଓ ମର୍ମସ୍ପର୍ଶୀ ଥିଲା। ନାଟକଟି ଦର୍ଶକ ମାନଙ୍କୁ ଐଶ୍ୱରିକ ଆନନ୍ଦର ଉତ୍ସ୍ଵାସ ଏବଂ ଭଗବତ ସତ୍ତାର ସୁସ୍ୱାଦ ପ୍ରଦାନ କରିବା ସହିତ ସେମାନଙ୍କୁ ବେଶ୍ ଭାବବିହ୍ୱଳ ଓ ଅଭିଭୂତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଓଡ଼ିଶା ସୋସିଓ କଲଚରାଲ ଆସୋସିଏନର ସଭାପତି ହରେକୃଷ୍ଣ ଦାଶଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ବିଶେଷ ସାଂସ୍କୃତିକ ଆକର୍ଷଣ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା। ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ମଧ୍ୟରେ ଗଜପତି ଭାବରେ ଡଃ ସୁଦିପ କୁମାର ନନ୍ଦ, ଶ୍ରୀ ଜଗନ୍ନାଥଙ୍କ ଭୂମିକାରେ ବଦ୍ରି ମହାପାତ୍ର ଏବଂ ମହାଲକ୍ଷ୍ମୀଙ୍କ ରୂପରେ ଉଷାରାଣୀ ତ୍ରିପାଠୀଙ୍କ ର ଅଭିନୟ ବେଶ୍ ଉଚ୍ଚକୋଟୀର ଥିଲା। ମା’ ଲକ୍ଷ୍ମୀଙ୍କ ଟିମରେ ସେବିକା ଭାବରେ ଭୁବନେଶ୍ଵରୀ ପଣ୍ଡା, ନିବେଦିତା ସାହୁ, ଲୀଳା ଦାସ, ତୃପ୍ତି ମହାପାତ୍ର, ସୁପ୍ରଭା ମିଶ୍ର, ସନ୍ଧ୍ୟା ପଣ୍ଡା, ସୁଚରିତା ତ୍ରିପାଠୀ, ମନୋରମା ମିଶ୍ର ଏବଂ ମିତା ଦାସ ପ୍ରମୁଖ ସ୍ଥାନ ପାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଟିମ୍ ରେ ବଡ଼ ପଣ୍ଡା ଭାବରେ ରବି ରଂଜନ ପଣ୍ଡା, ସାରଥୀ ରୂପରେ ବସନ୍ତ ପଣ୍ଡା, ଦିବ୍ୟଲୋଚନ ଭୂମିକାରେ ମହେଶ୍ୱର ସାହୁ,ଦଇତାପତି ଭାବରେ ନାରାୟଣ ସ୍ବାଇଁ, ମହନ୍ତ ରୂପରେ ଗଣେଶ ସାବତ, ଚୁଡ଼ାମଣି ଭାବରେ ହରେକୃଷ୍ଣ ଦାଶ ଏବଂ ପ୍ରତିହାରୀ ଭୂମିକାରେ ଅଶୋକ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଥିଲେ। ସନ୍ଧ୍ୟା ୮ଟା ସମୟରେ ବାଦ୍ୟ ଯନ୍ତ୍ର ଓ କୀର୍ତ୍ତନର ତାଳେ ତାଳେ ଠାକୁର ମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ମୁଖ୍ୟ ମନ୍ଦିରର ରତ୍ନ ସିଂହାସନ ଉପରକୁ ନିଆଯାଇଥିଲା। ସେଠାରେ ଆରତୀ ଶେଷ ହେବା ପରେ ଗୁଜୁରାଟର ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା। ଏହା ପୂର୍ବରୁ ବଡ଼ଠାକୁର ମାଉସୀମା ମନ୍ଦିରରେ ଦୀର୍ଘ ୯ ଦିନ ଧରି ଥିବା ବେଳେ ଆଡ଼ପ ମଣ୍ଡପ ସାମ୍ନାରେ ପ୍ରତ୍ୟହ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ବାହୁଡ଼ା ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନା କରିବାରେ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡ଼ଃ ସୁଦିପ କୁମାର ନନ୍ଦ, ସଦସ୍ୟ ସଚିବ ବଦ୍ରି ମହାପାତ୍ର, ବରିଷ୍ଠ ସଦସ୍ୟ ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ଡଃ ନିବେଦିତା ସାହୁ, ଲୀଳା ଦାସ, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ବାଇଁ, ଅଜୟ ଦାଶ, ମହେନ୍ଦ୍ର ଦାସ, ରୋହିତ ନାୟକ, ନିଗମାନନ୍ଦ ଦାସ, ବସନ୍ତ ପଣ୍ଡା ଓ ଗଣେଷ ନାୟକ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking