30.1 C
Bhubaneswar
Sunday, May 19, 2024
Homeଖେଳଅଷ୍ଟ୍ରେଅଲିଆନ୍ ଓପନ୍‌ : ପୁରୁଷ ସେମିରେ ସିଟ୍‌ସିପାସ୍‌-ମେଡଭେଡେଭ୍ ଲଢ଼େଇ

ଅଷ୍ଟ୍ରେଅଲିଆନ୍ ଓପନ୍‌ : ପୁରୁଷ ସେମିରେ ସିଟ୍‌ସିପାସ୍‌-ମେଡଭେଡେଭ୍ ଲଢ଼େଇ

ବାର୍ଟି-କଲିନ୍ସ ମହିଳା ସିଙ୍ଗଲ୍ସ ଫାଇନାଲ୍‌
ମେଲବର୍ଣ୍ଣ : ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଲଢ଼େଇ ଅଷ୍ଟ୍ରେଲିଆର ଏକ ନମ୍ବର ଖେଳାଳି ଆଶଲେ ବାର୍ଟି ଓ ଆମେରିକାର ୨୭ତମ ସିଡେଡ୍ ଖେଳାଳି ଡାନିଏଲ୍ କଲିନ୍ସଙ୍କ ମଧ୍ୟରେ ହେବ । କାରଣ ଏହି ଦୁଇ ପ୍ରତିଯୋଗୀ ପ୍ରତିଯୋଗିତାର ଦଶମ ଦିନରେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେମିଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସ ଲାଇନଅପ୍ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଦ୍ୱିତୀୟ ସେମିରେ ଗ୍ରୀସ୍‌ର ଷ୍ଟେଫାନୋସ୍ ସିଟ୍‌ସିପାସ୍ ଓ ରୁଷିଆର ଡାନିଲ୍ ମେଡଭେଡେଭ୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ସକାଶେ ଲଢ଼େଇ କରିବେ । ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ପରସ୍ପର ସହ ମୁକାବିଲା କରିବା ସକାଶେ ସ୍ପେନ୍‌ର ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ରାଫେଲ୍ ନାଡାଲ୍ ଓ ଇଟାଲୀର ମାଟେଓ ବେରେଟିନି ଯୋଗ୍ୟତା ହାସଲ କରିସାରିଛନ୍ତି ।
ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ୍‌ରେ
କଲିନ୍ସ ସପ୍ତମ ସିଡ୍ ପୋଲାଣ୍ଡ୍ ଖେଳାଳି ଇଗା ସ୍ୱିଆଟେକ୍‌ଙ୍କୁ ୬-୪, ୬-୧ରେ ପରାସ୍ତ କରିଛନ୍ତି । ଏଥିସହ ସେ କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ର‌୍ୟାଙ୍କିଙ୍ଗ୍‌ରେ ଯଥେଷ୍ଟ ତଳେ ଥିଲେ ମଧ୍ୟ କଲିନ୍ସ ପୂର୍ବତନ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ସ୍ୱିଆଟେକ୍‌ଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଥିସହ ୨୮ ବର୍ଷୀୟା କଲିନ୍ସ ଫାଇନାଲ୍‌ରେ ବାର୍ଟିଙ୍କ ପାଇଁ କଡ଼ା ଚାଲେଞ୍ଜ୍ ସୃଷ୍ଟି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଅର୍ଥାତ୍ ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ଭାବେ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ଥିବା ବାର୍ଟିଙ୍କ ସକାଶେ ଚାମ୍ପିଅନ୍ ହେବା ବାଟରେ କଲିନ୍ସ ଦୃଢ଼ ପ୍ରାଚୀର ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ସେମିଫାଇନାଲ୍‌ରେ ରହିଥିବା ଅନ୍ୟତମ ଆମେରିକୀୟ ଖେଳାଳି ମାଡିସନ୍ କିଜ୍ କଲିନ୍ସଙ୍କ ପରି ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନାହାନ୍ତି ।

କାରଣ ତାଙ୍କୁ ସେମିଫାଇନାଲ୍‌ରେ ବାର୍ଟିଙ୍କ ହାତରୁ ୧-୬, ୩-୬ ସିଧାସଳଖ ସେଟ୍‌ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଏଥିସହ ଏହି ୫୧ତମ ସିଡେଡ୍ ଖେଳାଳି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଏକତରଫା ରହିଥିବା ବେଳେ ଏହାକୁ ଜିତିବା ସକାଶେ ବାର୍ଟିଙ୍କୁ ମାତ୍ର ୬୨ ମିନିଟ୍ ସମୟ ଲାଗିଥିଲା । ଅନ୍ୟପକ୍ଷରେ ସହଜସାଧ୍ୟ ବିଜୟ ସହ ବାର୍ଟି ଫାଇନାଲ୍‌ରେ ପହଞ୍ଚିବା ପରେ ଏ କ୍ଷେତ୍ରରେ ୪୨ ବର୍ଷ ପରେ ପ୍ରଥମ ଘରୋଇ ମହିଳା ସିଙ୍ଗଲ୍ସ ଖେଳାଳି ହୋଇପାରିଛନ୍ତି ।

ଗତ ୧୯୮୦ରେ ୱେଣ୍ଡି ଟର୍ନବୁଲ୍ ଶେଷ ଅଷ୍ଟ୍ରେଲୀୟ ଖେଳାଳି ଭାବେ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଚଳିତ ବର୍ଷ କ୍ରମାଗତ ଭାବେ ୧୦ଟି ମ୍ୟାଚ୍‌ରେ ବିଜୟ ହାସଲ କରି ଫାଇନାଲ୍‌ରେ ପହଞ୍ଚିଥିବା ବାର୍ଟି ୨୦୨୦ ଫ୍ରେଞ୍ଚ୍ ଓପନ୍ ଓ ୨୦୨୧ ୱିମ୍ବଲଡନ୍ ଟାଇଟଲ୍‌ରେ ଆଉ ଏକ ଟ୍ରଫି ଯୋଡ଼ିବା ସକାଶେ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ସେମିଫାଇନାଲ୍‌ରେ ପହଞ୍ଚିବା ପୂର୍ବରୁ ପାଉଲା ବାଦୋସା ଓ ବାର୍ବୋରା କ୍ରେଜିକୋଭାଙ୍କ ପରି ୨ ଜଣ ଟପ୍ ଟେନ୍ ଖେଳାଳିଙ୍କୁ ପରାସ୍ତ କରିଥିଲେ ହେଁ ଏହି ପର୍ଯ୍ୟାୟକୁ ଟପିପାରିନାହାନ୍ତି ।

ସେହିପରି ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସର ଅନ୍ୟ ଦୁଇ କ୍ୱାର୍ଟର୍ ଫାଇନାଲ୍‌ରେ ବିଜୟୀ ହୋଇ ମେଡଭେଡେଭ୍ ଓ ସିଟ୍‌ସିପାସ୍ ଶେଷ ୪ ଖେଳାଳି ସୂଚୀରେ ରହିଛନ୍ତି । ଗୋଟିଏ ପଟେ ଦ୍ୱିତୀୟ ସିଡ୍ ମେଡଭେଡେଭ୍ ନବମ ସିଡ୍ କାନାଡା ଖେଳାଳି ଫେଲିକ୍ସ ଆଗର୍ ଆଲିଆସିମ୍‌ଙ୍କୁ କଡ଼ା ସଂଘର୍ଷମୂଳକ ମୁକାବିଲାରେ ୬-୭(୪/୭),୩-୬, ୭-୬(୭/୨),୭-୫, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି । ଚତୁର୍ଥ ସେଟ୍‌ରେ ଫେଲିକ୍ସ ମ୍ୟାଚ୍ ପଏଣ୍ଟ୍ ପାଇଥିଲେ ହେଁ ଏହାକୁ ବଞ୍ଚାଇ ମେଡଭେଡେଭ୍ ଅଳ୍ପକେ ବିଦାୟ ପଥରୁ ଓହରିଥିଲେ । ପରେ ପଞ୍ଚମ ସେଟ୍‌ରେ ବିଜୟୀ ହୋଇ ମେଡଭେଡେଭ୍ କ୍ୟାରିୟର୍‌ରେ ଦ୍ୱିତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲେ ।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟି ଦୀର୍ଘ ୪ ଘଣ୍ଟା ୪୨ ମିନିଟ୍ ଚାଲିଥିବା ବେଳେ ତୃତୀୟ ସେଟ୍‌ରେ ଟାଇବ୍ରେକର୍ ସମୟରେ ବର୍ଷା କାରଣରୁ କୋର୍ଟର ଛାତକୁ ବନ୍ଦ କରିବାକୁ ପଡ଼ିଥିଲା । ଏହି ସମୟରେ ମେଡଭେଡେଭ୍ ପାଇଥିବା ସାମୟିକ ବିରତିର ଫାଇଦା ନେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅନ୍ୟତମ କ୍ୱାର୍ଟର୍‌ରେ ଚତୁର୍ଥ ସିଡ୍ ସିଟ୍‌ସିପାସ୍ ଇଟାଲୀର ଏକାଦଶ ସିଡ୍ ଖେଳାଳି ଜାନିକ୍ ସିନର୍‌ଙ୍କୁ ୬-୩,୬-୪, ୬-୨ରେ ହରାଇଛନ୍ତି । ୨ ଘଣ୍ଟା ୬ ମିନିଟ୍ ଅବଧି ବିଶିଷ୍ଟ ଏହି ମ୍ୟାଚ୍ ଜିତିବା ପରେ ସିଟ୍‌ସିପାସ୍ ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ସେମିରେ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ଗତବର୍ଷ ଏହି ଖେଳାଳି ଜଣକ ଫ୍ରେଞ୍ଚ୍ ଓପନ୍ ସେମିରେ ପହଞ୍ଚି ଏ କ୍ଷେତ୍ରରେ ଦେଶର ପ୍ରଥମ ଖେଳାଳି ହୋଇଥିଲେ । ତେବେ ନୋଭାକ୍ ଜୋକୋଭିଚ୍‌ଙ୍କଠାରୁ ପରାସ୍ତ ହୋଇ ଶେଷରେ ସିଟ୍‌ସପାସ୍‌ଙ୍କୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking