ଭୁବନେଶ୍ୱର, : ଓଡ଼ିଆ ଜାତିକୁ ସାକ୍ଷର କରିବାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ଥିଲା ଅଗ୍ରସ୍ମରଣୀୟ ।
ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ସମାରୋହରେ ଆଜି ବିଶିଷ୍ଟ ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି ।
ଆଜି ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ସନ୍ଧ୍ୟା ୬.୩୦ଘଟିକାରେ ଅନୁଷ୍ଠିତ ଭବ୍ୟ ଜୟନ୍ତୀ ସମାରୋହକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମାରୋହରେ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।
ବିଶିଷ୍ଟ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ
ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ସମାରୋହରେ
ପୌରୋହିତ୍ୟ କରିଥିଲେ ।
ମନ୍ତ୍ରୀ ଶ୍ରୀ ପାତ୍ର ଉଦ୍ଘାଟନୀ ଅଭିଭାଷଣରେ କହିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀଙ୍କ ଜୟନ୍ତୀ ତାଙ୍କ
ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନ, ସାଧନା ପୀଠ ସାତଲହଡ଼ି ମଠ ଓ ଭୁବନେଶ୍ୱରରେ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ଓ ଆଲୋଚନା
ମାଧ୍ୟମରେ ପାଳିତ ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ବରପୁତ୍ରମାନଙ୍କ ଜୟନ୍ତୀ ପାଳନ ମାଧ୍ୟମରେ ସେମାନଙ୍କ ପ୍ରତି ଗଭୀର
କୃତଜ୍ଞତା ଜଣାଉଛି । ମୁଖ୍ୟ ଅତିଥି ଶ୍ରୀ ଆଚାର୍ୟ୍ୟ କହିଥିଲେ ଯେ ଅତିବଡ଼ୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ନବ ଜାଗରଣ
ଆଣିଥିଲେ, ଯାହା ଆଜିଯାଏ ଏ ଜାତିକୁ ସଂଜୀବିତ କରିରଖିଛି । ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିକୁ ସାକ୍ଷର
କରିବାରେ ଜଗନ୍ନାଥ ଦାସଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସଂସ୍କୃତି ବିଭାଗ ପକ୍ଷରୁ
ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ଯେଉଁ ବ୍ୟାପକ କାର୍ୟ୍ୟକ୍ରମ ନିଆଯାଉଛି, ତାର ସୂଚନା ଦେଇଥିଲେ । ଶ୍ରୀ ରାଉତରାଏ କହିଥିଲେ ଯେ ଅତିବଡ଼ୀଙ୍କ ଭାଗବତ ଓଡ଼ିଆ ଜାତିର ବିବେକ ଜାଗ୍ରତ କରିଥିଲା । ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟ ମାଧ୍ୟମରେ
ଏକାଡେମୀ ମୁଦ୍ରିତ ଭାଗବତ ଆଉ ଉପଲବ୍ଧ ନଥିବାରୁ ଏହାର ପୁନଃମୁଦ୍ରଣ ଓ ଭାଗବତ ଟୁଙ୍ଗୀର ଅଧିକ ପ୍ରସାର ପାଇଁ
ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ସଭାପତି ଡକ୍ଟର ମଲ୍ଲିକ ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ଓଡ଼ିଆ ଜାତିର
ସଂସ୍କୃତି ହେଉଛି ଭାଗବତର ସଂସ୍କୃତି, ଏ ସଂସ୍କୃତି ବଞô୍ଚଥିବା ଯାଏ ଏ ଜାତିର ମୃତ୍ୟୁ ନାହିଁ । ଏକାଡେମୀର ସଚିବ ଶ୍ରୀମତୀ
ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପ ସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ
ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ ଓ ନିମାକାନ୍ତ ରାଉତରାୟ ଭାଗବତ ଆବୃତ୍ତି କରିଥିଲେ ।
ପରିଚାଳନା କରିଥିଲେ ପ୍ରଫେସର ଜଗନ୍ନାଥ କୁଅଁର । ଡକ୍ଟର ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସାରସ୍ୱତ ସଭାରେ ବହୁ ବରିଷ୍ଠ ଓ ତରୁଣ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦାନ କରିଥିଲେ ।
ପୂର୍ବାହ୍ଣ ୯.୦୦ ଘଟିକାରେ ସଂସ୍କୃତି ଭବନ ପରିସରର ମହାପୁରୁଷ ଅତିବଡ଼ୀ ଜଗନ୍ନାଥଙ୍କ ସମେତ ଅନ୍ୟ ପ୍ରତିମୂର୍ତ୍ତିରେ
ମାଲ୍ୟାର୍ପଣ କରାଯାଇଥିଲା । ସେହିପରି ଅତିବଡ଼ୀଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନରେ ପୂର୍ବାହ୍ଣ ୧୦.୦୦ ଘଟିକାରେ
ଭାଗବତ ପାଠ ଏବଂ ପୂର୍ବାହ୍ଣ ୧୧.୦୦ ଘଟିକାରେ ଅତିବଡ଼ୀଙ୍କ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଡକ୍ଟର
କୈଳାସଚନ୍ଦ୍ର ଟିକାୟତରାୟ, ଡକ୍ଟର ପ୍ରତିଭା ମହାରଥୀ, ଡକ୍ଟର ମୃତ୍ୟୁଞ୍ଜୟ ରଥ ସ୍ମୃତିଚାରଣ କରିଥିବାବେଳେ ଏକାଡେମୀର
ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ସଭାମୁଖ୍ୟ ଭାବେ ଯୋଗଦାନ କରିଥିଲେ । ଆସନ୍ତାକାଲି ଏକାଡେମୀ ପକ୍ଷରୁ ପୂର୍ବାହ୍ଣ
୯.୦୦ ଘଟିକାରେ ଭାଗବତ ସଚେତନତା ପଦଯାତ୍ରା ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ସାତଲହଡ଼ି ମଠ ପର୍ଯ୍ୟନ୍ତ ଏବଂ ସାତଲହଡ଼ି
ମଠଠାରେ ପୂର୍ବାହ୍ଣ ୧୦.୦୦ ଘଟିକାରେ ଭାଗବତ ପାଠ ଓ ୧୧.୦୦ ଘଟିକାରେ ସାରସ୍ୱତ ସଂପାନ ଅନୁଷ୍ଠିତ ହେବ ।