18.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଏସିଆନ୍ ୟୁଥ୍ ଓ ଜୁନିୟର୍ ବକ୍ସିଂ: ବିଶ୍ୱନାଥ ଓ ବଂଶରାଜଙ୍କୁ ସ୍ୱର୍ଣ୍ଣ, ଭାରତକୁ ୩୯ ପଦକ

ଏସିଆନ୍ ୟୁଥ୍ ଓ ଜୁନିୟର୍ ବକ୍ସିଂ: ବିଶ୍ୱନାଥ ଓ ବଂଶରାଜଙ୍କୁ ସ୍ୱର୍ଣ୍ଣ, ଭାରତକୁ ୩୯ ପଦକ

ନୂଆଦିଲ୍ଲୀ : ବିଶ୍ୱନାଥ ସୁରେଶ (୪୮ କେଜି) ଓ ବଂଶରାଜ (୬୩ କେଜି)ରେ ସ୍ୱର୍ଣ୍ଣ ସହ ଜୋର୍ଡାନ୍‌ର ଅମାନ୍‌ରେ ଅନୁଷ୍ଠିତ ଏସିଆନ୍ ୟୁଥ୍ ଓ ଜୁନିୟର୍ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଭାରତ ୧୫ ସ୍ୱର୍ଣ୍ଣ ସମେତ ମୋଟ ୩୯ ପଦକ ଜିତି ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛି । ଏହା ମଧ୍ୟରେ ୧୦ ରୌପ୍ୟ ଓ ୧୪ ବ୍ରୋଞ୍ଜ୍ ପଦକ ମଧ୍ୟ ସାମିଲ ରହିଛି । ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ୟୁଥ୍ ଦଳ ୭ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୮ଟି ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ଜୁନିୟର୍ ଦଳ ୮ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୬ଟି ବ୍ରୋଞ୍ଜ୍ ପଦକ ହାତେଇଛି । ଉଜ୍‌ବେକିସ୍ତାନ ଓ କଜାଖ୍‌ସ୍ତାନ ଯଥାକ୍ରମେ ୨୩ ଓ ୨୨ ସ୍ୱର୍ଣ୍ଣ ପଦକ ସହ ପ୍ରଥମ ଓ ଦ୍ୱିତୀୟରେ ରହିଛନ୍ତି ।
ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ୪୮ କିଗ୍ରା ବର୍ଗରେ ଚେନ୍ନାଇ ବକ୍ସର୍ ବିଶ୍ୱନାଥ ୫-୦ରେ କିର୍ଗିଜିସ୍ତାନର ଏର୍ଗେସୋଭ୍ ବେକ୍‌ଜାତ୍‌ଙ୍କୁ ହରାଇଥିଲେ । ପରେ ସୋନିପତ୍‌ର ବଂଶରାଜ ୟୁଥ୍ ପୁରୁଷ ବିଭାଗରେ ଉଜ୍‌ବେକିସ୍ତାନର ଜାଭୋଖିର ଉମାତାଲିଏଭ୍‌ଙ୍କୁ ୪-୧ରେ ହରାଇ ତାଲିକାରେ ଦ୍ୱିତୀୟ ସ୍ୱର୍ଣ୍ଣ ଯୋଡ଼ିଥିଲେ । ତେବେ ଯୁକ୍ତ ୯୨ କିଗ୍ରା ବର୍ଗରେ ଅମନ୍ ସିଂହ ବିଷ୍ଟ୍ ସ୍ଥାନୀୟ ବକ୍ସର୍ ସେଫ୍ ଅଲ୍‌-ରାୱାଶଦେହଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ସେହିପରି ପୁରୁଷ ବିଭାଗରେ ରମନ (୫୧ କିଗ୍ରା), ଆନନ୍ଦ ଯାଦବ (୫୪ କିଗ୍ରା) ଓ ଦୀପକ (୭୫ କିଗ୍ରା) ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।
ଏହାଛଡ଼ା ୟୁଥ୍ ମହିଳା ବର୍ଗରେ ନିବେଦିତା କାର୍କି (୪୮ କିଗ୍ରା), ତମନ୍ନା (୫୦ କିଗ୍ରା), ଶାହୀନ୍ ଗିଲ୍ (୬୦ କିଗ୍ରା), ରବିନା (୬୩ କିଗ୍ରା) ଓ ମୁସ୍‌କାନ୍ (୭୫ କିଗ୍ରା) ସୋମବାର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଜୁନିୟର୍ ବାଳିକାରେ ବିନି (୫୦ କିଗ୍ରା), ୟାସ୍ତିକା (୫୨ କିଗ୍ରା), ନିକିତା ଚାନ୍ଦ (୬୦ କିଗ୍ରା), ବିଧି (୫୭ କିଗ୍ରା), ସୃଷ୍ଟି ସାଠେ (୬୩ କିଗ୍ରା) ଓ ରଦ୍ରୁକା (୭୫ କିଗ୍ରା) ସ୍ୱର୍ଣ୍ଣ ଜିତିଥିବା ବେଳେ ବାଳକ ବିଭାଗରେ କ୍ରିଷ ପାଲ୍ ଓ ୟଶ୍‌ୱର୍ଦ୍ଧନ ସିଂହ ଚାମ୍ପିଅନ୍ ହୋଇଥିଲେ । ଜୁନିୟର ବିଭାଗରେ ଭାରତୀୟ ଟିମ୍ ଦ୍ୱିତୀୟ ହୋଇଥିବା ବେଳେ ଉଜ୍‌ବେକିସ୍ତାନ ପଥମ ସ୍ଥାନରେ ରହିଛି ।  ଭାରତୀୟ ଦଳର ପଦକ ସଂଖ୍ୟା ଦୁବାଇରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ର ଗତ ସଂସ୍କରଣର ପଦକ ସହ ସମାନ ରହିଛି । ତେବେ ସ୍ୱର୍ଣ୍ଣ ପଦକ କ୍ଷେତ୍ରରେ ଗତ ସଂସ୍କରଣ ତୁଳନାରେ ଚଳିତ ଥର ଭାରତ ଗୋଟିଏ ଅଧିକ ପାଇଛି । ଏହି ପ୍ରତିଯୋଗିତାରେ ଭାରତ, ଇରାନ୍‌, କଜାଖସ୍ତାନ, ମଙ୍ଗୋଲିଆ, ତାଜିକିସ୍ତାନ ଓ ଉଜ୍‌ବେକିସ୍ତାନ ସମେତ ୨୧ଟି ଦେଶର ୩୫୨ ବକ୍ସର୍ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking