30.1 C
Bhubaneswar
Thursday, May 9, 2024
Homeଏସିଆ କପ୍ 2023ଏସିଆ କପ୍‌: ବାଂଲାଦେଶକୁ ୫ୱିକେଟ୍‌ରେ ହରାଇଲା ଶ୍ରୀଲଙ୍କା

ଏସିଆ କପ୍‌: ବାଂଲାଦେଶକୁ ୫ୱିକେଟ୍‌ରେ ହରାଇଲା ଶ୍ରୀଲଙ୍କା

ପାଲିକେଲ୍‌: ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୫ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଗ୍ରୁପ୍ ବି’ରେ ଅଭିଯାନ ଆରମ୍ଭ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୨.୪ ଓଭରରେ ୧୬୪ ରନ୍‌ରେ ଅଲ୍‌ଆେଉଟ୍ ହୋଇଥିଲା । ଶ୍ରୀଲଙ୍କା ଦ୍ରୁତ ବୋଲର ପାଥିରାନା ୪ଟି ୱିକେଟ୍ ନେଇଥିଲେ । ଜବାବରେ ଶ୍ରୀଲଙ୍କା ସଦୀରା ସମରୱିକ୍ରମା ଓ ଚାରିଥ ଅସଲଙ୍କାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ୩୯ ଓଭରରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ପାଥିରାନା ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

୧୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଓପନର ଡିମୁଥ କରୁଣାରତ୍ନେ ଓ ୱିକେଟ୍ କିପର କୁଶଲ ମେଣ୍ଡିସ୍ ଦଳୀୟ ସ୍କୋର ୧୫ ଭିତରେ ଆଉଟ୍ ହୋଇଥିଲେ । ପରେ ଦଳୀୟ ସ୍କୋର ୪୩ରେ ଅନ୍ୟତମ ଓପନର ପାଥୁମ ନିଶଙ୍କା (୧୪) ଆଉଟ୍ ହୋଇଥିଲେ । କିନ୍ତୁ ଚତୁର୍ଥ ୱିକେଟ୍‌ରେ ସଦୀରା ସମରୱିକ୍ରମା ଓ ଚାରିଥ ଅସଲଙ୍କା ବାଂଲା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଉଭୟ ରକ୍ଷଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଶ୍ରୀଲଙ୍କାକୁ ବିଜୟ ଆଡକୁ ନେଇଥିଲେ । ୭୮ ରନ୍‌ର ଭାଗିଦାରୀ କରିବା ସହ ଦଳୀୟ ସ୍କୋର ୧୨୧ରେ ସମରୱିକ୍ରମା (୫୪ ରନ୍‌, ୬ ଚୌକା) ମେହଦୀ ହସନଙ୍କ ଓଭରରେ ଷ୍ଟମ୍ପିଂ ହୋଇଥିଲେ । ପରେ ଅଧିନାୟକ ଶନକା (୧୪) ଓ ଅସଲଙ୍କା (୬୨³ ରନ୍‌, ୫ ଚୌକା, ୧ ଛକା) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ବାଂଲାଦେଶ ପକ୍ଷରୁ ସକିବ ଅଲ୍ ହସନ୍ ୨ଟି, ତସ୍କିନ୍ ଅହମ୍ମଦ ଓ ଶେରିଫୁଲ ଇସ୍‌ଲାମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବାଂଲାଦେଶ ପକ୍ଷରୁ ମହମ୍ମଦ ନଇମ୍ ଓ ଅନ୍ତର୍ଜାତୀୟ ପ୍ରଦାର୍ପଣ କରିଥିବା ତନ୍‌ଜିଦ୍ ହସନ୍ ଇନିଂସ୍ ଓପନ୍ କରିଥିଲେ । ପ୍ରଥମ ଓଭରରେ ନଇମ୍ ୪ରନ୍ କରିଥିଲେ । ଏହି ସମୟରେ ଡେବ୍ୟୁମାନ୍ ତନ୍‌ଜିଦଙ୍କୁ ଏଲ୍‌ବିଡ଼ବ୍ଲ୍ୟୁ ଆଉଟ୍ କରି ମହିଶ ତିକ୍ଷଣା ବଂଲାଦେଶକୁ ବିପର୍ଯ୍ୟୟକୁ ଠେଲିଦେଇଥିଲେ । ଦଳୀୟ ସ୍କୋର ୨୫ରେ ନଇମ୍ (୧୬) ପାଭିଲିୟନ୍ ଫେରିଥିଲେ । ଏହିଠାରୁ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ପେରେ ଅଧିନାୟକ ସକିବ ଅଲ୍ ହସନ୍ (୫) ପାଥିରାନାଙ୍କ ପ୍ରଥମ ଶିକାର ହୋଇଥିଲେ । ଚତୁର୍ଥ ୱିକେଟ୍‌ରେ ନଜମୁଲ ହୋସେନ୍ ସାଣ୍ଟୋ ଓ ଟୋହିନ୍ ହିର୍‌ଦୟ ୫୯ରନ୍‌ର ଭାଗିଦାରୀ କରିଥିଲେ । ହ୍ରିଦୟ ୨୦ ରନ୍ କରି ଆଉଟ୍ ହୋଇଥିଲେ ।

ସାଣ୍ଟୋ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟପଟେ ତାଙ୍କୁ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିପାରିନଥିଲେ । ୱିକେଟ୍ କିପର ବ୍ୟାଟର ମୁକସ୍‌ଫିକର ରହିମ ୧୩ ରନ୍ କରି ଆଉଟ୍ ହୋଇଥିଲେ । ସାଣ୍ଟୋ ଦଳୀୟ ସ୍କୋର ୧୬୨ ବେଳେ ବ୍ୟକ୍ତିଗତ ୮୯ (୧୨୨ ବଲ୍‌, ୭ ଚୌକା)ରନ୍ କରି ଅଷ୍ଟମ ୱିକେଟ୍ ଭାବେ ମହେଶ ତୀକ୍ଷାଣାଙ୍କ ଦ୍ୱିତୀୟ ୱିକେଟ୍ ହୋଇଥିଲେ । ଏହାର ଦୁଇ ରନ୍ ବ୍ୟବଧାନରେ ବାଂଲାଦେଶ ଅଲ୍‌ଆଉଟ୍ ହୋଇଥିଲା । ବାଂଲାର ୭ ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁବାକୁ ସକ୍ଷମ ହୋଇନଥିଲେ । ଶ୍ରୀଲଙ୍କା ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡି ସିଲ୍‌ଭା, ଡୁନିଥ୍ ୱେଲାଲାଗେ ଓ ଶନକା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking