ନୂଆଦିଲ୍ଲୀ : ହର୍ମୁଜ୍ରେ ଜାହାଜ ଉପରେ ମିସାଇଲ୍ ଆକ୍ରମଣ, ୫ ଭାରତୀୟ ନାବିକ ସୁରକ୍ଷିତ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ପୁଣିଥରେ ମିସାଇଲ୍ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାବିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଭାରତୀୟ ଦୂତାବାସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ସମସ୍ତ ଭାରତୀୟ ନାବିକଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, କୁଏତ୍ ପତାକା ବୋହିଥିବା କ୍ରୁଡ୍ ଅଏଲ୍ ଟ୍ୟାଙ୍କର MT Kazimah I ଉପରେ ଏହି ଆକ୍ରମଣ ହୋଇଥିଲା । ଜାହାଜଟି ଲୋମେ ଅଭିମୁଖେ ଯାତ୍ରା କରୁଥିବା ବେଳେ ହର୍ମୁଜ୍ ଷ୍ଟ୍ରେଟ୍ ଅଞ୍ଚଳରେ ଏକ ପ୍ରୋଜେକ୍ଟାଇଲ୍ ଦ୍ୱାରା ଆଘାତ ପାଇଥିଲା ।
ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସକ୍ରିୟ ହୋଇ ୫ ଭାରତୀୟ ନାବିକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ହର୍ମୁଜ୍ ଷ୍ଟ୍ରେଟ୍ ହେଉଛି ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ଏଠାରେ ବଢ଼ୁଥିବା ସାମରିକ ଉତ୍ତେଜନା ଯୋଗୁଁ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଭାରତ ସରକାର ମଧ୍ୟ ଗଲ୍ଫ୍ ଅଞ୍ଚଳ ଓ ହର୍ମୁଜ୍ ଷ୍ଟ୍ରେଟ୍ରେ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି ।ଭାରତୀୟ ନାବିକଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ନୌସେନା, ଦୂତାବାସ ଓ ଅନ୍ୟ ଦେଶର ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ଚାଲିଛି । ଗତ କିଛି ମାସରେ ଏହି ଅଞ୍ଚଳରେ ଭାରତୀୟ ନାବିକମାନେ ବାରମ୍ବାର ବିପଦର ସମ୍ମୁଖୀନ ହୋଇଛନ୍ତି । ଜୁନ୍ରେ ମଧ୍ୟ ଅନେକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଘଟିଥିଲା ଏବଂ ଭାରତୀୟ ନାବିକମାନଙ୍କୁ ଉଦ୍ଧାର କରାଯାଇଥିଲା । ନୂଆ ଘଟଣାରେ ୫ ଭାରତୀୟ ନାବିକ ସୁରକ୍ଷିତ ଥିବା ଖବର ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତି ଆଣିଛି । ତେବେ ହର୍ମୁଜ୍ ଅଞ୍ଚଳରେ ଜାହାଜ ଚଳାଚଳର ସୁରକ୍ଷା ନେଇ ଚିନ୍ତା ଏବେ ମଧ୍ୟ ଜାରି ରହିଛି ।










