ବଡ଼ବିଲ: ବଡ଼ବିଲରେ ଅଭାବନୀୟ। ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଉଲିବୁରୁ ବୁରୁ ସାହିରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ମୃତର ହେଲେ ବନମାଳୀ ମୁଣ୍ଡା। ମୃତ ବନମାଳୀ ବିଭିନ୍ନ ସମୟରେ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିଲେ। ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ବନମାଳୀ ପତ୍ନୀଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଶୁକମତି ନିଜ ବାପଘର ଲୋକଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ସେମାନଙ୍କୁ ଡାକିଥିଲେ। ଖବର ପାଇ ଗତକାଲି ସନ୍ଧ୍ୟାରେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳରୁ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଉଲିବୁରୁ ବୁରୁ ସାହିରେ ପହଞ୍ଚିଥିଲେ।ରାତି ପ୍ରାୟ ୧୦ଟା ସମୟରେ ଅଜୟ ନିଜ ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ଭିଣୋଇଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳେ ଭିଣୋଇଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଶାଳକ ଅଜୟ ସେଠାରୁ ଫେରାର ହୋଇଯାଇଛି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରିବା ସହ ଅଭିଯୁକ୍ତ ଅଜୟକୁ ଧରିବାକୁ ଛାନଭିନ୍ ଜାରି ରଖିଛି ।










