ଭୁବନେଶ୍ୱର: ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକୁ ସାକାର କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଏକ ସ୍ୱତନ୍ତ୍ର ୪୪ ଦିନିଆ ଅଭିଯାନ ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି, ୨ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୧୪ ନଭେମ୍ବର ଶିଶୁ ଦିବସ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାମସଭାରେ ଶିଶୁ ଶ୍ରମ ବିରୋଧରେ ସଂକଳ୍ପ ଗ୍ରହଣ କରାଯାଇ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ପାଇଁ ସାମୂହିକ ପ୍ରତିବଦ୍ଧତା ପ୍ରକାଶ କରାଯିବ। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ୱାନ କରିଛନ୍ତି। ସେହିପରି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ୟ୍ୟଟନ ମନ୍ତ୍ରୀ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମାନ୍ୟବର ମନ୍ତ୍ରୀମାନେ ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ଜନସାଧାରଣଙ୍କୁ ସକ୍ରିୟ ଭାବେ ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏହି ଅଭିଯାନର ମୁଖ୍ୟ ଆଧାର ହେଉଛି ସମୁଦାୟର ସକ୍ରିୟ ଅଂଶଗ୍ରହଣ। ଗ୍ରାମ ପଞ୍ଚାୟତକୁ ଅଭିଯାନର ମୁଖ୍ୟ କାର୍ଯ୍ୟାନ୍ୱୟନ ଏକକ ଭାବେ ଗ୍ରହଣ କରାଯାଇଛି। ଏଥିପାଇଁ ନୂତନ କୌଣସି ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି ନକରି ବିଦ୍ୟମାନ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ନେଇ ଅଭିଯାନକୁ ଆଗେଇ ନିଆଯିବ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଅନୁଷ୍ଠାନ, ବିଦ୍ୟାଳୟ ଓ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି (SMC), ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ (SHG), ତୃଣମୂଳସ୍ତରୀୟ କର୍ମଚାରୀ ଏବଂ ଶ୍ରମ ପ୍ରଶାସନ ପ୍ରମୁଖ ଭାବେ ସାମିଲ ହେବେ।
ଅଭିଯାନର ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ମିଶନ ଶକ୍ତି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ବିଭାଗୱାରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସକ୍ରିୟ ପଦକ୍ଷେପରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏହି ଅଭିଯାନକୁ ଆଗେଇ ନିଆଯାଉଛି। ଶିଶୁ ଶ୍ରମର ତୁରନ୍ତ ନିରାକରଣ ସହ ଏହାର ମୂଳ କାରଣଗୁଡ଼ିକର ସମାଧାନ ଉପରେ ଅଭିଯାନରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ତିନୋଟି ପ୍ରମୁଖ ରଣନୀତି ଗ୍ରହଣ କରାଯାଇଛି। ପ୍ରଥମତଃ, ଶିଶୁମାନଙ୍କୁ ବିଦ୍ୟାଳୟରେ ରଖିବା ଏବଂ ସେମାନଙ୍କ ମଧ୍ୟରେ ବିଦ୍ୟାଳୟ ଛାଡ଼ିବା ପ୍ରବୃତ୍ତିକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟତଃ, ବିଭିନ୍ନ ବିଭାଗର ମିଳିତ ଏନ୍ଫୋର୍ସମେଣ୍ଟ୍ ଅଭିଯାନ, ଶିଶୁ ଉଦ୍ଧାର ପାଇଁ ମାନକ ପ୍ରକ୍ରିୟା ଏବଂ ଉଦ୍ଧାର ପରବର୍ତ୍ତୀ ପୁନର୍ବାସ ଉପରେ ଗୁରୁତ୍ୱ ଦିଆଯିବ। ତୃତୀୟତଃ, ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ମାଧ୍ୟମରେ ତୃଣମୂଳସ୍ତରରେ ଜନସମ୍ପୃକ୍ତି ଓ ସଚେତନତାକୁ ଅଧିକ ସୁଦୃଢ଼ କରାଯିବ। ଏହି ଅଭିଯାନ ଅଧୀନରେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଶିଶୁ ଶ୍ରମର କୁପ୍ରଭାବ ସମ୍ପର୍କରେ ସଚେତନତା, ଶିଶୁମାନଙ୍କର ବିଦ୍ୟାଳୟରେ ଉପସ୍ଥାନ ଓ ଶିକ୍ଷା ଜାରି ରଖିବାକୁ ପ୍ରୋତ୍ସାହନ, ଶିଶୁ ଶ୍ରମରେ ନିୟୋଜିତ ହେବାର ଆଶଙ୍କା ଥିବା ଶିଶୁଙ୍କ ଚିହ୍ନଟ ଏବଂ ଶିଶୁ ଶ୍ରମ ଚିହ୍ନଟ ହେଲେ ତ୍ୱରିତ ସମନ୍ୱିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପରିବାର, ସମୁଦାୟ, ବିଦ୍ୟାଳୟ, ସ୍ଥାନୀୟ ସ୍ୱୟଂଶାସନ ସଂସ୍ଥା ଏବଂ ବିଭିନ୍ନ ବିଭାଗର ସାମୂହିକ ଦାୟିତ୍ୱ। ଏହି ଲକ୍ଷ୍ୟ ହାସଲ ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣକୁ ଅଭିଯାନରେ ପ୍ରାଥମିକତା ଦିଆଯାଇଛି। ସମନ୍ୱିତ ପ୍ରୟାସ, ଜନସଚେତନତା, ଦୃଢ଼ କାର୍ଯ୍ୟାନୁଷ୍ଠାନ, ଶିଶୁମାନଙ୍କର ଶିକ୍ଷାରେ ନିରନ୍ତରତା ଏବଂ ଉଦ୍ଧାର ପରବର୍ତ୍ତୀ ପୁନର୍ବାସ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ଏହି ୪୪ ଦିନିଆ ଅଭିଯାନ ଏକ ସମନ୍ୱିତ ଜନଆନ୍ଦୋଳନର ରୂପ ନେବାକୁ ଲକ୍ଷ୍ୟ ରଖିଛି।










