ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉପରୁ ଟଳୁନି ବର୍ଷା ବିପତ୍ତି । ତୁହାକୁ ତୁହା ବର୍ଷା ଲାଗି ରହିଛି । ତା ପଛକୁ ପୁଣି ଆସୁଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗିରହିବ । କାଲିଠୁ ବର୍ଷାର ପରିମାଣ ବଢ଼ିବ । କିଛି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାର ଅନେକ ତଳିଆ ଅଞ୍ଚଳରେ ଏବେ ବି ବନ୍ୟାର ବିପର୍ଯ୍ୟୟ କଷ୍ଟ ଶେଷ ହୋଇ ନଥିବାବେଳେ ଏବେ ବର୍ଷା ବିପନ୍ନ ଦୁଃଖ ଆହୁରି ବଢ଼ାଇ ଦେଇଛି ।










