ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ବିଶେଷ କରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୩ ଦିନ ପରେ ବଙ୍ଗୋପସାଗରରେ ଆସୁଛି ପୁଣି ଏକ ଲଘୁଚାପ । ବଙ୍ଗୋପସାଗରରେ ସକ୍ରିୟ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସହ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହେବ । ହେଲେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି । ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ଆଶଙ୍କା ଥିବା କନ୍ଧାମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୨୧ରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ତ କେଉଁଠି ଘର ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଛି । ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଖଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, ଏବଂ କାଲିମେଳା ବର୍ଷା ହୋଇଛି । ଫଳରେ ଜାତୀୟ ରାଜପଥ ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ପୋଟେରୁ ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ବହୁଥିବା ବେଳେ ନଈ କୁଳିଆ ଗାଁରେ ପାଣି ପଶିଯାଇଛି । ପୋଟେରୁ, କାଙ୍ଗରୁକୋଣ୍ଡା, ଏମଭି ୯୦, ଏମଭି ୯୬, କନ୍ୟାଆଶ୍ରମ ପରି ବିଭିନ୍ନ ସ୍ଥାନରେ ରାଜପଥ ଉପରେ ଜଳ ପ୍ରଭାବିତ ହେବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା ।
ଅପରପକ୍ଷେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଜଳଭଣ୍ଡାର ସ୍ଥିତି ବଢିଛି । ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା । ଗତ ବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି । ଇନ୍ଦ୍ରାବତୀରେ ଏବେ ୧୪ ପ୍ରତିଶତ ପାଣି ଅଛି । ଗତ ବର୍ଷ ଏହି ସମୟରେ ୨୧ ପ୍ରତିଶତ ଥିଲା । ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ । ଏବେ ବି ୧୧ ଫୁଟ ତଳେ ଅଛି । ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଏବେ ୨ ମିଟର କମ ଅଛି । ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ । ବୈତରଣୀ, ବ୍ରାହ୍ମଣୀ ବେସିନରେ ବର୍ଷା ଅଛି । ଜଳଭଣ୍ଡାର ସ୍ଥିତି ସୁଧୁରିବାର ଗୋଟେ ହିଁ ଉପାୟ ବର୍ଷା । ଜୁନ ୧ ରୁ ସବୁଠାରେ ଫ୍ଲଡ କଣ୍ଟ୍ରଲ ରୁମ ଖୋଲା ଯାଇଛି ।