ଭୁବନେଶ୍ୱର: ରାଜଧାନୀରେ ଲୁଟ୍ ପରେ ହଣାକଟା କରି ଆତଙ୍କ ସୃଷ୍ଟି କରିଥିବା କଟୁରି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୁଣାଷ୍ଟେସନ ବଜାରର ଏନ୍.ନାଗୁ ଓରଫ୍ ଏନ୍.ନଗେସ୍(୧୯) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଅଭିଯାଗକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଶଳା ମାନସ କୁମାର ସେନାପତି କଳ୍ପନା ଛକ ନିକଟସ୍ଥ ଏକ ପ୍ରେସ୍ରେ କାର୍ଯ୍ୟ କରନ୍ତି । ଜାନୁୟାରୀ ୨୮ତାରିଖ ଭୋର ପ୍ରାୟ ୪ଟା ୧୫ମିନିଟ୍ ସମୟରେ ମାନସ କାମସାରି ଷ୍ଟେସନ୍ ବଜାରକୁ ଚା’ ପିଇବାକୁ ଆସିଥିଲେ । ଚା’ ପିଇସାରି ସେ ଚିନ୍ତାମଣିଶ୍ୱର ଛକ ଦେଇ ଫେରିବାବେଳେ ଅଭିଯୁକ୍ତ ନାଗୁ ତା’ର ସହଯୋଗୀଙ୍କ ସହ ମିଶି ମାନସଙ୍କୁ ଅଟକାଇଥିଲା । ପରେ ଗାଳିଗୁଲଜ କରି ନଗଦ ୩୦ହଜାର ଟଙ୍କା ଓ ତାଙ୍କର ମୋବାଇଲ ଫୋନ୍ ଛଡ଼ାଇନେଇଥିଲେ । ଏହାପରେ କଟୁରିରେ ମାନସଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଯାହାଫଳରେ ମାନସଙ୍କ ମୁଣ୍ଡ, ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ଏ ନେଇ ପ୍ରଶାନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ନିକଟରେ ନୟାପଲୀ ଥାନା ପୁଲିସ ଏକ କଟୁରି ଗ୍ୟାଙ୍ଗ୍କୁ ଗିରଫ କରିଥିଲା । ସେହି ଗ୍ୟାଙ୍ଗର ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଜଣାପଡିଥିଲା ଯେ ଅଭିଯୁକ୍ତ ଅରୁଣ କୁମାର ସାହୁ ତାଙ୍କ ସହଯୋଗୀଙ୍କ ସହିତ ମିଶି ମୋଟରସାଇକେଲ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅପରାଧ କରିଛି । ଅଭିଯୁକ୍ତ ଏକଥା ମଧ୍ୟ କହିଥିଲେ ଯେ ୨୮ ତାରିଖରେ ତାଙ୍କର ସହଯୋଗୀ ଜୟଦେବ ଏବଂ ନାଗୁ ଏକ ଅପରାଧ ଘଟାଇଥିଲେ । ଏହି ତଥ୍ୟ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ନାଗୁକୁ ପୁରୁଣାଷ୍ଟେସନ୍ ବଜାର ଅଞ୍ଚଳରୁ ଗୁରୁବାର କାବୁ କରିଥିଲା । ଏହି କେସ୍ର ଅଧିକ ତଦନ୍ତ ଚାଲୁ ରହିଥିବା ପୁଲିସ କହିଛି ।